ଅନ୍ଫିଟ୍ ବୁମ୍ରା ବାଦ୍
ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳା
ମୁମ୍ବାଇ, ୯ା୧ (ଏଜେନ୍ସି): ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍ରା ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଟିମ୍ ଇଣ୍ଡିଆର ଅଂଶବିଶେଷ ହେବେ ନାହିଁ । ସେ ଫିଟ୍ନେସ୍ ଜନିତ ସମସ୍ୟା ଯୋଗୁଁ ଘରୋଇ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି ।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛି ଯେ ଟିମ୍ ଇଣ୍ଡିଆର ପେସର୍ ଯଶପ୍ରୀତ ବୁମ୍ରା ଶ୍ରୀଲଙ୍କା ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି । ଦିନିକିଆ ଶୃଙ୍ଖଳା ପୂର୍ବରୁ ଗୌହାଟୀ ଠାରେ ଟିମ୍ରେ ଯୋଗ ଦେବାକୁ ଥିବା ବୁମ୍ରାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ହେବା ପାଇଁ ଆଉ ଟିକେ ସମୟ ଦରକାର । ସତର୍କତାମୂଳକ ପଦକ୍ଷେପ ଭାବେ ଏହି ନିଷ୍ପତ୍ତି ନିଆଯାଇଛି । ଚୟନ କମିଟି ବୁମ୍ରାଙ୍କ ସ୍ଥାନରେ ଅନ୍ୟ କୌଣସି ନାମ ଘୋଷଣା କରି ନାହିଁ ।
ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ୧୦ରେ ଗୌହାଟୀର ବର୍ଷାପରା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ । ୧୨ରେ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସ ଦ୍ୱିତୀୟ ମ୍ୟାଚ୍ ଆୟୋଜନ କରିବ ଏବଂ ୧୫ରେ ତୃତୀୟ ମ୍ୟାଚ୍ ତିରୁଭନନ୍ତପୁରମ୍ର ଗ୍ରୀନ୍ଫିଲ୍ଡ ଇଣ୍ଟର୍ନାସ୍ନାଲ୍ ଷ୍ଟାଡିୟମ୍ରେ ଆୟୋଜିତ ହେବ । ସମସ୍ତ ମ୍ୟାଚ୍ ଦିବା-ରାତ୍ର । ନିକଟରେ ଭାରତ ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳାରେ ଶ୍ରୀଲଙ୍କାକୁ ୨-୧ରେ ପରାସ୍ତ କରିଥିଲା ।
ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ ଶେଷ ମ୍ୟାଚ୍
ଛଅ ଦିନ ପୂର୍ବେ ବୁମ୍ରା ଟିମ୍ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ଗତ ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାର ଠିକ୍ ପୂର୍ବରୁ ପ୍ରଶିକ୍ଷଣ ସତ୍ର ସମୟରେ ପିଠି ଯନ୍ତ୍ରଣା ଭୋଗିଥିଲେ । ଏହି ଆଘାତ ଯୋଗୁଁ ସେ ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ରେ ଖେଳିପାରି ନ ଥିଲେ ।
ଏହି ୨୯ବର୍ଷୀୟ ପେସର୍ ୨୦୨୨ ସେପ୍ଟେମ୍ବର ୨୫ରେ ଶେଷ ମ୍ୟାଚ୍ ଖେଳିଥିଲେ । ସେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ ପ୍ରଥମ ମ୍ୟାଚ୍ ଖେଳି ନ ଥିଲେ; ତେବେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ରେ ଚୂଡ଼ାନ୍ତ ଏକାଦଶର ଅଂଶବିଶେଷ ଥିଲେ । ତେବେ ଏହାପରେ ସେ ପୁଣି ଥରେ ଆହତ ହୋଇ ଟିମ୍ରୁ ବାଦ୍ ପଡ଼ିଥିଲେ ।
ନୁ୍ୟଜିଲାଣ୍ଡ ଶୃଙ୍ଖଳା ଓ ବର୍ଡର-ଗାଭାସ୍କର ଟ୍ରଫିରେ ବି ଖେଳି ନ ପାରନ୍ତି
ବୁମ୍ରା ନୁ୍ୟଜିଲାଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ଛଡ଼ା ଫେବ୍ରୁଆରୀ ୯ରୁ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିରେ ବି ଖେଳି ନ ପାରନ୍ତି । କେତେକ ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ ଜାନୁଆରୀ ୧୮ରୁ ଆରମ୍ଭ ହେବାକୁ ଥିବା ନୁ୍ୟଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାର ଅଂଶବିଶେଷ ହେବେ ନାହିଁ । କଙ୍ଗାରୁ ଟିମ୍ ଆସନ୍ତା ମାସରେ ଚାରି ଟେଷ୍ଟ ଖେଳିବାକୁ ଭାରତ ଆସିବ । ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଦୃଷ୍ଟିକୋଣରୁ ଏହା ଗୁରୁତ୍ୱପୂର୍ଣ୍ଣ । ଅଷ୍ଟ୍ରେଲିଆ ଟିମ୍ ତିନି ଦିନିକିଆ ମଧ୍ୟ ଖେଳିବ ।
ଭାରତୀୟ ଟିମ୍ (ଶ୍ରୀଲଙ୍କା ଦିନିକିଆ): ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ଲୋକେଶ ରାହୁଲ (ୱିକେଟ୍କିପର୍), ଈଶାନ କିଶନ (ୱିକେଟ୍କିପର୍), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ୍, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମରାନ ମଲିକ, ଅର୍ଶଦୀପ ସିଂହ ।