ବିଜୟରୁ ଅଭିଯାନ ଲକ୍ଷ୍ୟରେ ଭାରତ
ଆଜିଠୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳା
ଗୌହାଟୀ, ୯ା୧ (ଏଜେନ୍ସି): ଶ୍ରୀଲଙ୍କା ବିପକ୍ଷ ଟି-୨୦ ଶୃଙ୍ଖଳା ଜିତିବା ପରେ ଭାରତୀୟ ଟିମ୍ ମଙ୍ଗଳବାର ଦିନିକିଆ ଶୃଙ୍ଖଳାରେ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଅନ୍ୟପଟେ ଭ୍ରମଣକାରୀ ଟିମ୍ ଦୀର୍ଘ ପରେ ହେଲା ଭାରତ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଜିତି ନାହିଁ । ଏପରିସ୍ଥଳେ ଦସୁନ ଶନାକାଙ୍କ ନେତୃତ୍ୱାଧୀନ ଟିମ୍ ଏଥର ଇତିହାସ ବଦଳାଇବାକୁ ଚାହିଁବ ।
ଶ୍ରୀଲଙ୍କା ଟିମ୍ ଭାରତ ବିପକ୍ଷରେ ଶେଷ ଥର ୧୯୯୭ରେ ଦିନିକିଆ ଶୃଙ୍ଖଳା ଜିତିଥିଲା । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏ ଯାବତ ୧୯ ଦିନିକିଆ ଶୃଙ୍ଖଳା ଖେଳାଯାଇଛି । ସେଥି ମଧ୍ୟରେ ଭାରତ ୧୪ ଶୃଙ୍ଖଳା ଜିତିଛି । ଶ୍ରୀଲଙ୍କା ମାତ୍ର ଦୁଇ ଶୃଙ୍ଖଳା ଜିତିଥିବା ବେଳେ ତିନି ଶୃଙ୍ଖଳା ଅମୀମାଂସିତ ରହିଛି । ଏଥର ବି ଟିମ୍ ଇଣ୍ଡିଆ ଫେଭରିଟ୍ ଭାବେ ଖେଳିବ । ଆୟୋଜକ ଟିମ୍କୁ ବରିଷ୍ଠ ଖେଳାଳି ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ଲୋକେଶ ରାହୁଲ ଟିମ୍କୁ ଫେରିଛନ୍ତି । ଏହା ସହ ପେସର୍ ମହମ୍ମଦ ଶାମୀ ଓ ମହମ୍ମଦ ସିରାଜଙ୍କର ବି ପ୍ରତ୍ୟାବର୍ତ୍ତନ ହୋଇଛି । ଟି-୨୦ରେ ଅଧିନାୟକ ଦାୟିତ୍ୱ ତୁଲାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଥର ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ ।
ରୋହିତ ଓ ଶୁଭମନ ଇନିଂସ୍ ଓପନ୍ କରିପାରନ୍ତି । ଓପନର୍ ଭାବେ ଈଶାନ କିଶନଙ୍କ ଠାରୁ ଶୁଭମନଙ୍କୁ ଅଗ୍ରାଧିକାର ଦିଆଯିବ । ରୋହିତ ମ୍ୟାଚ୍-ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ । ଈଶାନ ନିଜ ପୂର୍ବ ମ୍ୟାଚ୍ରେ ଦ୍ୱିଶତକ ଲଗାଇଥିଲେ ।
ତିନି ନମ୍ବରରେ ବିରାଟ, ଚାରି ନମ୍ବରରେ ରାହୁଲ ଆସିବେ । ପଞ୍ଚମ ସ୍ଥାନ ପାଇଁ ସୂର୍ଯ୍ୟକୁମାର ଯାଦବ ଓ ଶ୍ରେୟାସ ଆୟରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଏହାପରେ ହାର୍ଦ୍ଦିକଙ୍କ ନମ୍ବର ଆସୁଛି । ଟି-୨୦ ଶୃଙ୍ଖଳାରେ ପ୍ଲେୟାର୍ ଅଫ୍ ଦ ଶୃଙ୍ଖଳା ବିବେଚିତ ହୋଇଥିବା ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର୍ ଅକ୍ଷର ପଟେଲ୍ଙ୍କ ଖେଳିବା ନିଶ୍ଚିତ ।
ଶାମୀ, ସିରଜଙ୍କ ପରେ ଅର୍ଶଦୀପ ସିଂହ ତୃତୀୟ ପେସର୍ ହୋଇପାରନ୍ତି । ଉମରାନ୍ ମଲିକ ବି ଦୌଡ଼ରେ ଅଛନ୍ତି । ସେହିପରି ଦ୍ୱିତୀୟ ସ୍ପିନର୍ ପାଇଁ ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଇପାରେ ।
ଏହି ମ୍ୟାଚ୍ରେ ବର୍ଷା ଆଶଙ୍କା ନାହିଁ । ଏଠାରେ ଏ ଯାବତ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳାଯାଇଛି । ୨୦୧୮ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କାରିବୀୟ ଟିମ୍ ୮ ୱିକେଟ୍ ହରାଇ ୩୨୨ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତୀୟ ଟିମ୍ ୪୩ତମ ଓଭର୍ରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।