ଏନ୍ଆର୍ଆଇମାନେ ଭାରତର ଦୃଷ୍ଟିଭଙ୍ଗୀ ଦୃଢ଼ କରନ୍ତୁ
ନୂଆଦିଲ୍ଲୀ(ଏଜେନ୍ସି): ଭାରତର ବିଶ୍ୱସ୍ତରୀୟ ଅନନ୍ୟ ଦୃଷ୍ଟିଭଙ୍ଗି ଓ ଭୂମିକାକୁ ପ୍ରବାସୀ ଭାରତୀୟ(ଏନ୍ଆର୍ଆଇ) ମାନେ ଆହୁରି ସୁଦୃଢ଼ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି । ମଧ୍ୟପ୍ରଦେଶର ଇନେ୍ଦାରରେ ସୋମବାର ଆୟୋଜିତ ୧୭ଶ ପ୍ରବାସୀ ଭାରତୀୟ ଦିବସକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମେକ୍ ଇନ୍ ଇ୍ଣ୍ଡିଆ, ଯୋଗ ଆୟୁର୍ବେଦ, କୁଟୀର ଶିଳ୍ପ, ହସ୍ତଶିଳ୍ପ, ମିଲେଟ୍ ଇତ୍ୟାଦିର ବ୍ରାଣ୍ଡ ଆମ୍ବାସଡ଼ର ହେଉଛନ୍ତି ପ୍ରବାସୀ ଭାରତୀୟ । ସଂପ୍ରତି ଦୁନିଆ ଆଶା ଓ ବିଶ୍ୱାସ ରଖି ଭାରତ ପ୍ରତି ଲକ୍ଷ୍ୟ ରଖିଛି । ଦୁନିଆର ଭରସା ହେବାକୁ ଭାରତୀୟ ବଂଶୋଦ୍ଭବମାନେ ଭାରତର ବ୍ରାଣ୍ଡ ଆମ୍ବାସଡ଼ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଉଚିତ ।
ମୋଦି ଆହୁରି କହିଛନ୍ତି, ଟପ୍ ଅର୍ଥନୀତିସଂପନ୍ନ ଦେଶଙ୍କ ମଧ୍ୟରେ ଭାରତ ଅନ୍ତର୍ଭୁକ୍ତ । ଆମେ ସ୍ୱଦେଶୀ ଜ୍ଞାନ କୌଶଳରେ ତେଜସ୍, ଆରିହଣ୍ଟ ନିର୍ମାଣ କରିଛି । ଆମ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିଶ୍ୱର ନଜର ରହିଛି ବୋଲି ମୋଦି କହିଛନ୍ତି । ଏହି କାର୍ଯକ୍ରମରେ ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋକ୍ଷୀ, ଗୁଏନା ରାଷ୍ଟ୍ରପତି ମହମ୍ମଦ ଇର୍ଫାନ ଅଲ୍ଲି, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହ୍ୱାନ ପ୍ରମୁଖ ଉଦ୍ବୋଧନ ଦେଇଛନ୍ତି । ସୂଚନାଯୋଗ୍ୟ ଜାନୁଆରୀ ୯ରେ ମହାତ୍ମା ଗାନ୍ଧୀ ସ୍ୱଦେଶ ଫେରିଥିଲେ । ଏହାକୁ ସ୍ମରଣ କରି ପ୍ରତିବର୍ଷ ଏହିଦିନ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି ।
ଏଥର ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୭୦ ଦେଶର ପ୍ରତିନିଧି ଯୋଗଦେଇଛନ୍ତି । ଅନ୍ୟପକ୍ଷରେ ବ୍ରାଜିଲ ଦଙ୍ଗା ପରିସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରାଜିଲ ସରକାରଙ୍କ ପ୍ରତି ସମର୍ଥନ ଜଣାଇ ମୋଦି ଟୁଇଟ୍ କରି କହିଛନ୍ତି ଯେ, ଗଣତାନ୍ତ୍ରିକ ପରମ୍ପରାକୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ । ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲ୍ଭାଙ୍କୁ ଟ୍ୟାଗ କରି ସେ ଏହା କହିଛନ୍ତି ।