ଏକସଙ୍ଗେ ଆଖି ବୁଜିଲେ ୩ ସାଙ୍ଗ
କ୍ରିକେଟ୍ ଖେଳି
ଫେରିବା ବେଳେ ଧକ୍କା ଦେଲା ଟ୍ୟାଙ୍କର୍
ଉତ୍ତ୍ୟକ୍ତ ଲୋକଙ୍କ ଏନ୍ଏଚ୍ ଅବରୋଧ
ଭବାନୀପାଟଣା, ୮ା୧(ଆପ୍ର): ନୂଆ ବର୍ଷର ପ୍ରଥମ ସପ୍ତାହ କଳାହାଣ୍ଡି ଜିଲ୍ଲା ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି । କ୍ରିକେଟ ଖେଳି ଫେରୁଥିବା ୩ ସାଙ୍ଗ ଗ୍ୟାସ୍ ଟ୍ୟାଙ୍କର ଧକ୍କାରେ ପ୍ରାଣ ହରାଇଛନ୍ତି । ରବିବାର ଅପରାହ୍ଣ ୪ଟାରେ ସଦର ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥର ବେଳାମାଲ ଛକ ରେଡିଓ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଖବର ପ୍ରଚାରିତ ହେବା ମାତ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶହଶହ ସ୍ଥାନୀୟ ଅଧିବାସୀ ଏନ୍ଏଚ୍ ଅବରୋଧ କରିବାରୁ କେସିଙ୍ଗା-ଭବାନୀପାଟଣା ରାସ୍ତାରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ଉଭୟ ପାଶ୍ୱର୍ରେ ଶହଶହ ଗାଡ଼ି ଅଟକି ରହିଛି । ସଦର ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଆନେ୍ଦାଳନକାରୀଙ୍କ ସହିତ ଆଲୋଚନା ଚଳାଇଛନ୍ତି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପରିସ୍ଥିତି ସ୍ୱାଭାବିକ ହୋଇ ନ ଥିଲା । ଡକାବାହଲି ଗାଁର ୩ ଯୁବକ ଅକ୍ଷୟ ଗୌଡ଼, ଟୁକୁ ଚଣ୍ଡୀ ଓ ରଘୁ ଗୌଡ଼ କେସିଙ୍ଗା ଥାନା ଅନ୍ତର୍ଗତ ଉକ୍ରେଲାରେ ·ଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ବାଇକ୍ରେ ଗାଁକୁ ଫେରୁଥିବା ସମୟରେ ବେଳାମାଲ ଛକ ନିକଟରେ ସମ୍ନାପଟୁ ଦ୍ରୁତ ଗତିରେ ଆସୁଥିବା ଗ୍ୟାସ ଟ୍ୟାଙ୍କର ଧକ୍କା ଦେଇଥିଲା । ଟ୍ୟାଙ୍କର ବାଇକ୍ ଉପରେ ମାଡ଼ିଯିବାରୁ ଘଟଣା ସ୍ଥଳରେ ୩ ସାଙ୍ଗଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ଘଟଣା ସ୍ଥଳରେ ଗ୍ରାମବାସୀ ଓ ପରିବାର ଲୋକେ ପହଞ୍ଚି କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।