ଶପଥ ନେଲେ ୭ ନୂଆ ମନ୍ତ୍ରୀ, ୬ ସିପିଏସ୍
ହିମାଚଳକୁ ମିଳିଲା ନୂଆ ମନ୍ତ୍ରିମଣ୍ଡଳ
ଶିମ୍ଲା (ଏଜେନ୍ସି): ହିମାଚଳ ମୁଖ୍ୟମନ୍ତ୍ରୀ ସୁଖୱିନ୍ଦର ସିଂହ ସୁଖୁ, ରବିବାର ନିଜ କ୍ୟାବିନେଟ୍ରେ ୭ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି । ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । ଏହି ନୂଆ ୭ ମନ୍ତ୍ରୀ ହେଲେ କର୍ଣ୍ଣଲ ଧନୀରାମ ସାଣ୍ଡିଲ୍, ଚନ୍ଦ୍ର କୁମାର, ହର୍ଷବର୍ଦ୍ଧନ ଚୌହାନ, ଜଗତ ସିଂହ ନେଗୀ, ରୋହିତ ଠାକୁର, ଅନିରୁଦ୍ଧ ସିଂହ ଏବଂ ବିକ୍ରମାଦିତ୍ୟ ସିଂହ । ଏହି ୭ ନୂଆ ମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ କ୍ୟାବିନେଟ୍ରେ ମୋଟ୍ ୯ ମନ୍ତ୍ରୀ ସାମିଲ ହୋଇଛନ୍ତି ।
ଅନ୍ୟପକ୍ଷେ ଯେଉଁ ନିର୍ବାଚିତ ୬ ବିଧାୟକମାନେ କୌଣସି କାରଣରୁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁଖୁ ସେମାନଙ୍କୁ ମୁଖ୍ୟ ସଂସଦୀୟ ସଚିବ (ସିପିଏସ୍) ଭାବେ ନିଯୁକ୍ତି ଦେଇଛନ୍ତି । ଏମାନେ ମଧ୍ୟ ରବିବାର ନିଜ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି । ସିପିଏସ୍ ଭାବେ ନିଯୁକ୍ତ ୬ ନେତା ହେଲେ ସୁନ୍ଦର ସିଂହ ଠାକୁର, ଏମ୍ଏଲ୍ ବ୍ରାକ୍ଟା, ରାମ କୁମାର, ଆଶୀଷ ବୁଟେଲ୍, କିଶୋରୀ ଲାଲ ଏବଂ ସଞ୍ଜୟ ଅବସ୍ଥି ।
ମନ୍ତ୍ରିମଣ୍ଡଳ ଗଠନ ପରିପ୍ରେକ୍ଷୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏକାକୀ ଶିମ୍ଲା ଜିଲ୍ଲାରୁ ୩ ବିଧାୟକ (ବିକ୍ରମାଦିତ୍ୟ, ରୋହିତ ଏବଂ ଅନିରୁଦ୍ଧ)ଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ଏମାନଙ୍କ ବ୍ୟତୀତ କାଙ୍ଗଡା ଜିଲ୍ଲାରୁ ଚନ୍ଦ୍ର କୁମାର, କିନୌର ଜିଲ୍ଲାରୁ ଜଗତ୍ ସିଂହ ନେଗୀ, ସୋଲନ୍ ଜିଲ୍ଲାରୁ ଧନୀରାମ ସାଣ୍ଡିଲ ଏବଂ ସିରନୌର ଜିଲ୍ଲାରୁ ହର୍ଷବର୍ଦ୍ଧନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ସେହିପରି ହମିରପୁର ଅଞ୍ଚଳରୁ ମୁଖ୍ୟମନ୍ତ୍ରୀ ସୁଖୁ ନିଜେ ଏବଂ ଉନା ଜିଲ୍ଲାରୁ ଉପମୁଖ୍ୟମନ୍ତ୍ରୀ ମୁକେଶ ଅଗ୍ନିହୋତ୍ରୀ ମନ୍ତ୍ରିମଣ୍ଡଳରେ ସାମିଲ ଅଛନ୍ତି । ତେବେ ବାକି ୫ ଜିଲ୍ଲାରୁ କୌଣସି ନିର୍ବାଚିତ ବିଧାୟକଙ୍କୁ ମନ୍ତ୍ରିପଦ ମିଳିନାହିଁ । ଏହାକୁ ନେଇ ଦଳର କିଛି ନେତା ଅସନ୍ତୁଷ୍ଟ ହୋଇପଡିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଇତି ମଧ୍ୟରେ ମାସାଧିକ ସମୟ ବିତିଯାଇଥିଲେ ମଧ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରୁନଥିଲା । ୮ଡିସେମ୍ବରରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା । ନିର୍ବାଚନରେ କଂଗ୍ରେସକୁ ବହୁମତ ମିଳିଥିଲା । କଂଗ୍ରେସ ପକ୍ଷରୁ ଦଳର ବରିଷ୍ଠ ନେତା ସୁଖୱିନ୍ଦର ସିଂହ ସୁଖୁଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅଧିଷ୍ଠିତ କରାଯାଇଥିଲା । ଏସବୁ ସତ୍ତ୍ୱେ କଂଗ୍ରେସ ପାଇଁ ଏପର୍ଯ୍ୟନ୍ତ ରାଜ୍ୟରେ ମନ୍ତ୍ରିମଣ୍ଡଳ ଗଠନ ପ୍ରକି୍ରୟା ସମ୍ଭବ ହୋଇପାରୁନଥିଲା । ମୁଖ୍ୟମନ୍ତ୍ରୀ ସୁଖୁଙ୍କ ପ୍ରସ୍ତାବିତ ନାମକୁ ଦଳୀୟ ହାଇକମାଣ୍ଡ ସମର୍ଥନ ଦେଉନଥିବାରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରୁନଥିଲା । ଏହିକ୍ରମେ ରବିବାର ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିଛନ୍ତି । ଏହାକୁ ନେଇ ବିରୋଧୀ ଦଳ ବିଜେପି, ଶାସକ ଦଳ କଂଗ୍ରେସକୁ ବାରମ୍ବାର ଟାର୍ଗେଟ୍ କରିଆସୁଥିଲା । ତେବେ ବହୁ ବାଦ ବିବାଦ ମଧ୍ୟରେ ଦଳ ଏବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାରେ ସଫଳ ହୋଇଛି । ଦିନକ ପୂର୍ବେ ସୁଖୁ ଦେଇଥିବା ପ୍ରସ୍ତାବ ଉପରେ ବ୍ୟାପକ ଆଲୋଚନା ତଥା ବିଚାର ବିମର୍ଶ କରାଯାଇ ଏବେ ଏକ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି ।