ସେମିଳିଗୁଡ଼ାରେ ୨ ଡିଗ୍ରୀ
ଦାରିଙ୍ଗବାଡ଼ିରେ ବର୍ଷର ପ୍ରଥମ ତୁଷାରପାତ
ଭୁବନେଶ୍ୱର / ଦାରିଙ୍ଗବାଡି, ୮ା୧ (ବୁରୋ/ଆପ୍ର): ସାରା ରାଜ୍ୟରେ ପ୍ରବଳ ଥଣ୍ଡା ଅବ୍ୟାହତ ରହିଛି । କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଶନିବାର ରାତିରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲାୟ ସେଠାରେ ଗତକାଲି ରାତିରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରେକର୍ଡ କରାଯାଇଛି । ରବିବାର ଦିନ ସେମିଳିଗୁଡ଼ା ସମେତ ୨୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୧୦ ତାରିଖ ପର୍ଯ୍ୟନ୍ତ ପାଗରେ କିଛି ପରିବର୍ତନର ସମ୍ଭାବନା ନାହିଁ । ଏହା ପରେ ତାପମାତ୍ରା ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରବଳ ଥଣ୍ଡା ଯୋଗୁ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଂବାଡ଼ିରେ ତୁଷାରପାତ ହୋଇଛି ।
କିରେଇରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଜି. ଉଦୟଗିରିରେ ୪.୬, ଫୁଲବାଣୀରେ ୫, ରାଉରକେଲାରେ ୬.୪, ସୁନ୍ଦରଗଡ଼ରେ ୬.୫, କୋରାପୁଟରେ ୬.୫, ଝାରସୁଗୁଡ଼ାରେ ୬.୬, ଦାରିଙ୍ଗବାଡ଼ିରେ ୬.୭, କେନ୍ଦୁଝରରେ ୭.୨, ଭବାନୀପାଟଣାରେ ୭.୨, ଢେଙ୍କାନାଳରେ ୮, ସୋନପୁରରେ ୮.୫, ଅନୁଗୋଳରେ ୮.୬, ବାରିପଦାରେ ୯, ନବରଙ୍ଗପୁରରେ ୯, ସମ୍ବଲପୁରରେ ୯.୩, ରାଣୀତାଲରେ ୯.୪, ଭଦ୍ରକରେ ୯.୫, ମହିଷାପାଟରେ ୯.୫ ଓ ହୀରାକୁଦରେ ୯.୬ ଡିଗ୍ରୀ ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଛି ଯେ, ଆଗାମୀ ଦୁଇ ଦିନ କିଛି ସ୍ଥାନରେ ଶୀତର ପ୍ରକୋପ ଜାରି ରହିବ । ରାତିରେ ଯେଉଁ ତାପମାତ୍ରା ରହୁଛି ସେଥିରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ସମୟରେ ୨/୩ ଡିଗ୍ରୀ କରି ବଢ଼ିବ ।
ଶୀତକୁ ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ଅନୁଗୋଳ ଜିଲ୍ଲା ପାଇଁ ସୋମବାର ସକାଳ ୮.୩୦ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୋମବାର ସକାଳ ୮.୩୦ରୁ ୧୦ ତାରିଖ ସକାଳ ୮.୩୦ ପର୍ଯ୍ୟନ୍ତ ଝାରସୁଗୁଡ଼ା, ଦେବଗଡ଼ ଓ ଅନୁଗୋଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାର ଲୋକଙ୍କୁ ରାତିରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଗୃହପାଳିତ ପ୍ରାଣୀଙ୍କ ପାଇଁ ରାତିରେ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି । ଦାରିଙ୍ଗବାଡରେ ପ୍ରଥମ କରି ତୁଷାରପାତ ହୋଇଛି । ପ୍ରତ୍ୟେକ ବର୍ଷ ଡିସେମ୍ବରରେ ତୁଷାରପାତ ହେଉଥିବା ବେଳେ ଏବର୍ଷ ବିଳମ୍ବରେ ବରଫ ପଡ଼ିଛି ।
ତୁଷାରପାତ ହେବା ଫଳରେ ପର୍ଯ୍ୟଟକଙ୍କ ଖୁସି କହିଲେ ନ ସରେ । ଅଞ୍ଚଳବାସୀ ମଧ୍ୟ ଖୁସି ହୋଇଛନ୍ତି । ଦାରିଙ୍ଗବାଡି, ସିମନବାଡ଼ି, ପ୍ଲିହେରୀ, କୁତୁବାଡ଼ି ସମେତ ଅନେକ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହୋଇଛି । ଧାନ ବିଲ, ହଳଦୀପଦର ଭଳି ବିଭିନ୍ନ ସ୍ଥାନରେ ତୁଷାପାତ ହୋଇଥିଲା । ତୁଷାରପାତ ଫଳରେ ଦାରିଙ୍ଗବାଡିରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଦିନ ତମାମ ଥଣ୍ଡା ପବନ ବହୁଛି । ହାତ ଗୋଡ଼ କାଲୁଆ ପଡ଼ିଯାଉଛି । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳୁଛନ୍ତି ଓ ଦିନ ତମାମ ଶୀତ ବସ୍ତ୍ର ପରିଧାନ କରୁଛନ୍ତି । ଦିନ ୯ଟା ପୂର୍ବରୁ ଘରୁ ବାହାରି ହେଉନି । ହେଲେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଭିଡ଼ ଜମିଛି । ହାଡ ଭଙ୍ଗା ଶୀତ ସାଙ୍ଗକୁ ବଣ ଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ ।