ଭାରତ-ଶ୍ରୀଲଙ୍କା ତୃତୀୟ ଟି-୨୦ରେ ରେକର୍ଡ ବର୍ଷା
ରାଜକୋଟ୍, ୮ା୧ (ଏଜେନ୍ସି): ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ରାଜକୋଟ୍ ଠାରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ ୯୧ ରନ୍ରେ ଜିତି ୨-୧ରେ ଶୃଙ୍ଖଳା କରାୟତ୍ତ କରିଛି । ବର୍ଷର ପ୍ରଥମ ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍ରେ ଅନେକ ରେକର୍ଡ ହୋଇଥିଲା ।
ଟି-୨୦ରେ ୯୦ ୱିକେଟ୍ ପୂରଣ କଲେ ଚହଲ
ଭାରତର ରିଷ୍ଟ ସ୍ପିନର୍ ଯୁଜବେନ୍ଦ୍ର ଚହଲ ତୃତୀୟ ମ୍ୟାଚ୍ରେ ୨ ୱିକେଟ୍ ନେଇଥିଲେ । ଏହା ସହିତ ଟି-୨୦ ଆନ୍ତର୍ଜାତିକରେ ସେ ୯୦ ୱିକେଟ୍ ପୂରଣ କରିଥିଲେ । ସେ ଭାରତ ପାଇଁ ଏହି ଫର୍ମାଟ୍ରେ ସର୍ବାଧିକ ୱିକେଟ୍ ନେଇଥିବା ପେସର୍ ଭୁବନେଶ୍ୱର କୁମାରଙ୍କ ସମକକ୍ଷ ହୋଇଛନ୍ତି । ଚହଲ ୭୪ ମ୍ୟାଚ୍ରେ ୯୦ ୱିକେଟ୍ ନେଇଛନ୍ତି । ଭୁବୀ ୮୭ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ରେ ୯୦ ୱିକେଟ୍ ଅକ୍ତିଆର କରିଛନ୍ତି । ଏହି ଦୁଇ ଜଣଙ୍କ ପରେ ପରବର୍ତ୍ତୀ ସ୍ଥାନରେ ଥିବା ରବିଚନ୍ଦ୍ରନ୍ ଅଶ୍ୱିନ ୬୫ ମ୍ୟାଚ୍ରେ ୭୨ ୱିକେଟ୍ ନେଇଛନ୍ତି ।
ଭାରତ ବିପକ୍ଷରେ ଶନକା
ସିକ୍ସର କିଙ୍ଗ୍
ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶନକା ଶୃଙ୍ଖଳାର ତିନିଟିଯାକ ମ୍ୟାଚ୍ରେ ଭଲ ବ୍ୟାଟିଂ କରିଥିଲେ । ସେ ଶେଷ ମ୍ୟାଚ୍ରେ ୨ ଛକା ସହ ୧୭ ବଲ୍ରୁ ୨୩ ରନ୍ କରିଥିଲେ । ସେ ଦ୍ୱିତୀୟ ଛକା ମାରିବା ସହିତ ଟି-୨୦ ଆନ୍ତର୍ଜାତିକରେ ଭାରତ ବିପକ୍ଷରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇପାରିଛନ୍ତି । ସେ ଟିମ୍ ଇଣ୍ଡିଆ ବିପକ୍ଷରେ ୨୨ ମ୍ୟାଚ୍ରୁ ୨୯ ଛକା ମାରିଛନ୍ତି । ତାଙ୍କ ପରେ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ୱେଷ୍ଟଇଣ୍ଡିଜ୍ର ଏଭିନ୍ ଲୁଇସ୍ ଓ ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ୍ । ଲୁଇସ୍ ୯ ମ୍ୟାଚ୍ ଓ ମ୍ୟାକ୍ସୱେଲ୍ ୧୯ ମ୍ୟାଚ୍ରେ ୨୮ ଲେଖାଏଁ ଛକା ମାରିଛନ୍ତି । କାରିବୀୟ କ୍ରିକେଟର୍ କାଇରନ୍ ପୋଲାର୍ଡ ୧୭ ମ୍ୟାଚ୍ରୁ ୨୭ ଛକା ସହିତ ତୃତୀୟ ସ୍ଥାନରେ ରହିଛନ୍ତି ।
କ୍ରମାଗତ ୧୨ ଘରୋଇ ଟି-୨୦ ଶୃଙ୍ଖଳାରେ ଭାରତ ଅପରାଜେୟ
ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷରେ ଘରେ କ୍ରମାଗତ ପଞ୍ଚମ ଟି-୨୦ ଶୃଙ୍ଖଳା ଜିତିଛି । ଏହା ସହିତ ଟିମ୍ ଇଣ୍ଡିଆ ନିଜ ମାଟିରେ ପୂର୍ବ ୧୨ ଟି-୨୦ ଶୃଙ୍ଖଳାରେ ଅପରାଜେୟ ରହିଛି । ଏହି ସମୟରେ ଟିମ୍ ୧୦ ଶୃଙ୍ଖଳା ଜିତିଥିବା ବେଳେ ଦୁଇ ଶୃଙ୍ଖଳାକୁ ଡ୍ର’ ରଖିଛି । ଭାରତକୁ ଶେଷ ଥର ୨୦୧୯ ଫେବ୍ରୁଆରୀରେ ଅଷ୍ଟ୍ରେଲିଆ ୨-୦ରେ ହରାଇ ଟି-୨୦ ଶୃଙ୍ଖଳା ଜିତିଥିଲା । ଦେଶ ଓ ବିଦେଶରେ ଭାରତ ପୂର୍ବ ୧୧ ଶୃଙ୍ଖଳାରେ ଅପରାଜେୟ ରହିଛି । ସେଥିମଧ୍ୟରୁ ଗୋଟିଏ ଶୃଙ୍ଖଳା ଡ୍ର’ ରହିଥିଲା ।
ହାର୍ଦ୍ଦିକଙ୍କ ନେତୃତ୍ୱରେ କ୍ରମାଗତ ତୃତୀୟ ଶୃଙ୍ଖଳା ବିଜୟ
ଶ୍ରୀଲଙ୍କା ବିପକ୍ଷ ବିଜୟ ସହ ଭାରତ ଲଗାତାର ସପ୍ତମ ଟି-୨୦ ଶୃଙ୍ଖଳା ହାତେଇଛି । ୨୦୨୨ ଜୁନ୍ରେ ଭାରତ ଶେଷ ଥର ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାକୁ ୨-୨ରେ ଡ୍ର’ ରଖିଥିଲା । ଏହା ପୂର୍ବରୁ ୨୦୧୭-୧୮ ଓ ୨୦୧୯-୨୧ ସମୟରେ ଭାରତ କ୍ରମାଗତ ଛଅ ଟି-୨୦ ଶୃଙ୍ଖଳା ଜିତିଥିଲା ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ କ୍ରମାଗତ ତୃତୀୟ ଟି-୨୦ ଶୃଙ୍ଖଳା ଜିତିଥିଲା । ହାର୍ଦ୍ଦିକ ପ୍ରଥମ ଥର ୨୦୨୨ ଜୁନ୍ରେ ଆୟରଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତୀୟ ଟିମ୍ର ନେତୃତ୍ୱ ନେଇଥିଲେ । ଭାରତ ୨-୦ରେ ଶୃଙ୍ଖଳା ପୋଛିଥିଲା । ଟି-୨୦ ବିଶ୍ୱକପ୍ ପରେ ନୁ୍ୟଜିଲାଣ୍ଡରେ ମଧ୍ୟ ହାର୍ଦ୍ଦିକ ନେତୃତ୍ୱ ନେଇଥିଲେ । ଭାରତ ୧-୦ରେ ଶୃଙ୍ଖଳା ଜିତିଥିଲା । ଆଉ ଏବେ ଶ୍ରୀଲଙ୍କା ବିପକ୍ଷରେ ୨-୧ରେ ଶୃଙ୍ଖଳା ଜିତିଛି ହାର୍ଦ୍ଦିକ ସେନା ।
ସୂର୍ଯ୍ୟଙ୍କ ତୃତୀୟ ଶତକ ଭାଙ୍ଗିଲା ରେକର୍ଡ
ଭାରତର ସୂର୍ଯ୍ୟକୁମାର ଯାଦବ ୪୫ ବଲ୍ରେ ଶତକ ପୂରଣ କରିବା ପରେ ୫୧ ବଲ୍ରେ ୧୧୨ ରନ୍ କରି ଅପରାଜିତ ଥିଲେ । ଏହି ସମୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୨୧୯.୬୦ । ୨୦୨୨ ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଶତକ ଲଗାଇବା ପରେ ସେ ଛଅ ମାସ ମଧ୍ୟରେ ତୃତୀୟ ଶତକ ଲଗାଇଥିଲେ । ଏତେ କମ୍ ସମୟ ମଧ୍ୟରେ ତିନି ଟି-୨୦ ଆନ୍ତର୍ଜାତିକ ଶତକ ମାରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟର୍ । ଏହାଛଡ଼ା ୨୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ସର୍ବାଧିକ ଶତକ ଲଗାଇବାର ରେକର୍ଡ ବି କରିଛନ୍ତି ।
ସୂର୍ଯ୍ୟ ଟି-୨୦ ଆନ୍ତର୍ଜାତିକରେ ୧୫୦୦ ରନ୍ ପୂରଣ କରିଛନ୍ତି । ସେ ୪୫ତମ ମ୍ୟାଚ୍ର ୪୩ତମ ଇନିଂସ୍ରେ ଏହି ସଫଳତା ପାଇଛନ୍ତି । ଭାରତ ପକ୍ଷରୁ ସବୁଠାରୁ କ୍ଷିପ୍ର ୧୫୦୦ ରନ୍ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ନାମରେ ରହିଛି । ଉଭୟ ୩୯ ଇନିଂସ୍ରେ ଏହି ସଫଳତା ପାଇଥିଲେ ।
ଏହାଛଡ଼ା ସୂର୍ଯ୍ୟକୁମାର ୧୦ମ ଥର ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ଭାରତ ପକ୍ଷରୁ ବିରାଟ କୋହଲି (୧୫) ଓ ରୋହିତ ଶର୍ମା (୧୨) ଅଧିକ ଥର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।