ଆର୍ମି ଆଣୁଛି ୨ଠଠଠ ଡ୍ରୋନ୍
ଚୀନ୍ର ଚାଲାକି ଉପରେ ନଜର ରଖିବ
ନୂଆଦିଲ୍ଲୀ, ୮ ।୧: ଚୀନ୍ ସୀମା ସଂଲଗ୍ନ ପୂର୍ବ ଲଦାଖରେ ଭାରତୀୟ ସେନାକୁ ଅଧିକ ମଜଭୁତ କରିବା ପାଇଁ ସରକାର କିଛିଦିନ ପୂର୍ବେ ୨୦୦୦ ରୁ ଅଧିକ ଡ୍ରୋନ୍ କିଣିବାକୁ ପ୍ରସ୍ତାବ ଦେଇଥିଲେ । ସ୍ଥଳସେନା ଇତିମଧ୍ୟରେ ଏହି ସବୁ ଡ୍ରୋନ୍ ପାଇବା ପାଇଁ ଅର୍ଡ଼ର୍ ଦେଇଛି । ସେଥିରୁ ୪୦୦ ଡ୍ରୋନ୍କୁ ଆଗୁଆ ଘାଟିରେ ଯୁଦ୍ଧାସ୍ତ୍ର (ଲଜିଷ୍ଟିକ୍ସ) ପହଞ୍ଚାଇବା କାର୍ଯ୍ୟରେ ନିୟୋଜିତ କରାଯିବ । ପ୍ରାୟ ୧୫୦୦ ଡ୍ରୋନ୍କୁ ସର୍ଭିଲାନ୍ସ କାର୍ଯ୍ୟରେ ଲଗାଯିବ ।
ଲଜିଷ୍ଟିକ୍ସ ପାଇଁ ଏବେ ଯେଉଁ ସବୁ ଡ୍ରୋନ୍ ବ୍ୟବହୃତ ହେଉଛି, ସେଥିରେ ୫ରୁ ୪୦ କେଜି ଓଜନର ସେନା ସରଞ୍ଜାମ ପଠାଯାଇପାରୁଛି । ଏଗୁଡ଼ିକ ୫୦ରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଗତି କରିବାକୁ ସକ୍ଷମ । ଏହାଠାରୁ ଅଧିକ ଶକ୍ତିଶାଳୀ ଡ୍ରୋନ୍ ଯୋଗାଇବାକୁ ଥିବା ସଂସ୍ଥାମାନଙ୍କୁ ଅତି ଉଚ୍ଚକ୍ଷେତ୍ରରେ କାର୍ଯ୍ୟକ୍ଷମ ହୋଇପାରୁଥିବା ଡ୍ରୋନ୍ ଯୋଗାଇବା ଲାଗି କୁହାଯାଇଛି ।
ଆଇଡିଆଫୋର୍ଜ ନାମକ ସଂସ୍ଥା ସ୍ୱିଚ୍ସର୍ଭିଲାନ୍ସ ଡ୍ରୋନ୍ ଯୋଗାଇବ । ସ୍ୱିଚ୍ ଏକ ହାଇବ୍ରିଡ୍ ଡ୍ରୋନ୍ । ଏହା ସିଧା ଉପରକୁ ଉଠି ଉଡ଼ାଜାହାଜ ଭଳି ଗତି କରିଥାଏ । ଆଇଡିଆଫୋର୍ଜ ମଧ୍ୟ ନେତ୍ର ଭି-୪ ପ୍ଲସ୍ ନାମକ ଆଉ ଏକ ପ୍ରକାର ଅଧିକ ଶକ୍ତିଶାଳୀ ଡ୍ରୋନ୍ ନିର୍ମାଣ କରୁଛି, ଯାହା ୧୯ହଜାର ଫୁଟ ଉଚ୍ଚତାରେ ପହଞ୍ଚô ପାରିବ । ଅନେକ ବିଦେଶୀ ଡ୍ରୋନ୍ଠାରୁ ଏହାର ସାମର୍ଥ୍ୟ ବହୁଗୁଣେ ଅଧିକ ।
ଭାରତୀୟ ଡ୍ରୋନ୍ ମହାସଂଘ ଅଧ୍ୟକ୍ଷ ସ୍ମିତ ଶାହା କହିଛନ୍ତି, ସ୍ଥଳସେନାକୁ ଅତ୍ୟାଧୁନିକ ଡ୍ରୋନ୍ ଯୋଗାଇବା ପାଇଁ ବହୁ ସଂସ୍ଥାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି । ସ୍ଥଳସେନା ଏକ ସଙ୍ଗେ ଏତେଗୁଡ଼ାଏ ଡ୍ରୋନ୍ ତରବରିଆ ଭାବେ ମଗାଇବାର ମୁଖ୍ୟ କାରଣ ହେଉଛି ଲଦାଖରେ ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମ ବୃଦ୍ଧି । ଲଦାଖ ସୀମାରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଅଧିକରୁ ଅଧିକ ସୈନିକ ମୁତୟନ କରିବା ସହ ଅକ୍ସାଇ ଚୀନ୍ରେ ହେଲିପ୍ୟାଡ୍ ନିର୍ମାଣ କରିଛି । ଡେମଚୋକ୍ ଓ ଗଲ୍ୱାନ୍ ଘାଟିରେ ଚୀନ୍ ପୁନର୍ବାର ଅନୁପ୍ରବେଶ କରିବା ଆଶଙ୍କା ଥିବାରୁ ପିଏଲ୍ଏର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆର୍ମି ତରଫରୁ ୨୦୦୦ ଡ୍ରୋନ୍ ବରାଦ କରାଯାଇଛି ।