୭ ଦିନରେ ୯୮ ମୃତ
କାନପୁରରେ ପ୍ରାଣଘାତୀ ଥଣ୍ଡା
କାନପୁର୍(ଏଜେନ୍ସି): ସମ୍ପ୍ରତି ଉତ୍ତର ଭାରତରେ ଶୀତ ଲହରି ପ୍ରକୋପ ପ୍ରାଣଘାତୀ ରୂପ ନେବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶର ଅନେକ ଅଞ୍ଚଳରୁ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିଛି । ତେବେ କାନ୍ପୁର ସର୍ବାଧିକ ବିପଦଶଙ୍କୁଳ ହୋଇପଡିଛି । ଦିନକ ମଧ୍ୟରେ ଏଠାରେ ୧୪ଜଣଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ତେବେ ଆଜିର ଏହି ମୃତୁ୍ୟସଂଖ୍ୟାକୁ ମିଶାଇ ଗତ ୭ଦିନ ମଧ୍ୟରେ କେବଳ କାନପୁର ଅଞ୍ଚଳରୁ ୯୮ଜଣଙ୍କ ମୃତୁ୍ୟ ହୋଇସାରିଥିବା ସରକାରୀସ୍ତରରେ କୁହାଯାଇଛି ।
ପ୍ରକାଶ, କାନପୁରରେ ଭୀଷଣ ଥଣ୍ଡା ଯୋଗୁ ହୃଦ୍ଘାତ ଏବଂ ବ୍ରେନ୍ ଷ୍ଟ୍ରୋକ୍ ଭଳି ମାମଲା ବଢ଼ିବାରେ ଲାଗିଛି । ୩-୪ ଦିନ ମଧ୍ୟରେ ଏହି ସହରରେ ଥିବା ହସ୍ପିଟାଲଗୁଡ଼ିକରେ ହୃଦ୍ଘାତ ଏବଂ ବ୍ରେନ୍ ଷ୍ଟ୍ରୋକ୍ର ଶିକାର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେବେ ୭ଦିନ ମଧ୍ୟରେ ୯୮ଜଣଙ୍କ ମୃତୁ୍ୟ ସମ୍ପର୍କୀତ ତଥ୍ୟ ଏଲପିଏସ୍ ହୃଦରୋଗ ସଂସ୍ଥା ପକ୍ଷରୁ ଜାରି କରାଯାଇଛି । ଏଲ୍ପିଏସ୍ ତଥ୍ୟ ଅନୁଯାୟୀ, ଅତ୍ୟଧିକ ଥଣ୍ଡା କାରଣରୁ ଲୋକେ ନାନାଦି ପ୍ରକାର ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଲୋକଙ୍କ ରକ୍ତ ସଞ୍ଚାଳନ ପ୍ରଭାବିତ ହେଉଥିବା (ରକ୍ତ ଜମାଟ ଭଳି ସମସ୍ୟା)ରୁ ହୃଦ୍ଘାତ ଏବଂ ବ୍ରେନ୍ ଷ୍ଟ୍ରୋକ୍ ଭଳି ମାମଲା ଦେଖିବାକୁ ମିଳୁଛି । ମୃତୁ୍ୟବରଣ କରିଥିବା ୯୮ ବ୍ୟକ୍ତିଙ୍କ ମଧ୍ୟରୁ ୪୪ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟବରଣ କରିଥିବା ବେଳେ ୫୪ଜଣ ହସ୍ପିଟାଲ୍ ଯିବା ବାଟରେ ହିଁ ପ୍ରାଣ ହରାଇଛନ୍ତି । ସୂଚନାଯୋଗ୍ୟ, କାନପୁରର ଏହି ହୃଦରୋଗ ହସ୍ପିଟାଲ ଆଖପାଖ ଜିଲ୍ଲାର ସବୁଠୁ ବଡ଼ ହୃଦରୋଗ ହସ୍ପିଟାଲ ଭାବେ ଜଣାଶୁଣା । ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶୀତ ଲହରରେ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି । ନିତ୍ୟାନ୍ତ ଆବଶ୍ୟକ ନଥିଲେ ଲୋକଙ୍କୁ ଘରୁ ବାହାରକୁ ବାହାରିବାକୁ ମନା କରାଯାଇଛି । ସ୍କୁଲ, କଲେଜ୍ ବନ୍ଦ ରଖିବାକୁ କୁହାଯାଇଛି । ତେବେ ୬ଠବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିବିଶେଷଙ୍କୁ ଅଧିକ ସତର୍କ, ସଚେତନ ରହିବାକୁ କୁହାଯାଉଛି । ସେହିପରି ରାଜଧାନୀ ଦିଲ୍ଲୀରେ ମଧ୍ୟ ଅତ୍ୟଧିକ ଥଣ୍ଡା ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ, ପଞ୍ଜାବ, ଉତ୍ତରପ୍ରଦେଶ, ହରିଆଣା ଆଦି ରାଜ୍ୟରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଦିଲ୍ଲୀରେ ଆସନ୍ତା ୧୫ ଯାଏ ସ୍କୁଲ, କଲେଜ ବନ୍ଦ ରଖିବାକୁ ଦିଲ୍ଳୀ ସରକାର ଘୋଷଣା କରିଛନ୍ତି ।