ଇଣ୍ଟରପୋଲ୍କୁ ଡକାଯିବ!
ରୁଷୀୟ ପର୍ଯ୍ୟଟକ ମୃତୁ୍ୟ ମାମଲା
ରାୟଗଡା, ୩୧ା୧୨(ଆପ୍ର): ଡିସେମ୍ବର ୨୨ ଓ ୨୪ ତାରିଖ ଦିନ ଦୁଇ ଜଣ ରୁଷୀୟ ପର୍ଯ୍ୟଟକ ରହସ୍ୟଜନକ ସ୍ଥିତିରେ ପ୍ରାଣ ହରାଇବା ମାମଲା ଦିନକୁ ଦିନ ରୋଚକ ମୋଡ଼ ନେଉଛି । ଏହି ଅପମୃତୁ୍ୟ ନେଇ ଆନ୍ତର୍ଜାତିକ ସ୍ତରରେ ଚର୍ଚ୍ଚା ଚାଲିଥିବା ବେଳେ ଘଟଣାର ପର୍ଦ୍ଦାଫାସ୍ ପାଇଁ ସାଂସଦ ଆନ୍ତୋଭ ମୃତୁ୍ୟ ପୂର୍ବରୁ କାହା ସହ ମୋବାଇଲ୍ରେ ଚାଟ୍ କରିଥିଲେ, କାହାକୁ ଇ-ମେଲ୍ କରିଥିଲେ ଇତ୍ୟାଦି ତଥ୍ୟ ସଂଗ୍ରହ ଲାଗି କ୍ରାଇମ୍ ବ୍ରାଞ୍ଚ୍ ପକ୍ଷରୁ ଇଣ୍ଟରପୋଲ୍ର ସହାୟତା ଲୋଡାଯାଇପାରେ । ଭାରତରେ ସିବିଆଇ ହିଁ ଇଣ୍ଟରପୋଲ୍ର ରାଷ୍ଟ୍ରୀୟ ବୁ୍ୟରୋ ରୂପେ କାର୍ଯ୍ୟ କରୁଛି ।
ଶୁକ୍ରବାର କ୍ରାଇମ୍ ବ୍ରାଞ୍ଚ୍ ଅଧିକାରୀମାନେ ସ୍ଥାନୀୟ ସାଇ ଇଣ୍ଟରନ୍ୟାସ୍ନାଲ୍ ହୋଟେଲରେ ପହଞ୍ଚô ଛାନ୍ଭିନ୍ କରିବା ସହ ଆଇବି ଟିମ୍ ଓ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଶନିବାର ଦ୍ୱିତୀୟ ଦିନରେ ସେମାନେ ଶ୍ମଶାନରୁ ହାଡ଼, ପାଉଁଶ ନମୁନା ସଂଗ୍ରହ କରିଛନ୍ତି । ଦୁଇ ପର୍ଯ୍ୟଟକଙ୍କ ଶବକୁ କବର ଦିଆ ନ ଯାଇ ପୋଡି ଦିଆଯାଇଥିଲା । ଯେଉଁଠାରେ ଦାହ ସଂସ୍କାର କରାଯାଇଥିଲା ସେଠାରୁ ସମସ୍ତ ପ୍ରକାର ମାପନେଇ ହାଡ, ପାଉଁଶ ଆଦି ନମୁନା ସଂଗ୍ରହ ପରେ ସେଗୁଡିକର ପରୀକ୍ଷା ପାଇଁ ସାଇଣ୍ଟିଫିକ ଟିମ୍ର ୪ଜଣିଆ ଡାକ୍ତରୀ ଦଳ ନେଇ ଯାଇଛନ୍ତି ।
ହୋଟେଲ ସାଇ ଇଣ୍ଟରନେସନାଲର ରୁମ୍ ନଂ ୨୦୩ ଓ ୩୦୫ରେ ଏହି ପର୍ଯ୍ୟଟକ ରହୁଥିଲେ । କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ସେଠାରେ ବିଭିନ୍ନ ଦିଗରୁ ଯାଞ୍ଚ କରିଛନ୍ତି । ସାଂସଦ ଆନ୍ତୋଭ ପାଭେଲ ଯେଉଁ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି ସେଠିକାର ପାରିପାଶ୍ୱିର୍କ ସ୍ଥିତି ପରଖିବା ଓ ମାପ ନେବା ସହ ହୋଟେଲ ମ୍ୟାନେଜର କୌଶିକ ଠାକୁରଙ୍କୁ ପଚରା ଉଚରା କରାଯାଇଛି । ମୃତୁ୍ୟ ପୂର୍ବରୁ ପାୱେଲ ହୋଟେଲ କର୍ମଚାରୀ ପ୍ରଦୀପଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସେ ବିଷୟ ମଧ୍ୟ କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ପଚାରି ବୁଝିଛନ୍ତି । ତଦନ୍ତର ଅଗ୍ରଗତି ସମ୍ପର୍କରେ କ୍ରାଇମ୍ ବ୍ରାଞ୍ଚ୍ ଡିଏସ୍ପି ସରୋଜକାନ୍ତ ମହନ୍ତ ମିଡିଆକୁ କୌଣସି ସୂଚନା ନ ଦେଇ କହିଛନ୍ତି, ତଦନ୍ତ ସରିବା ପରେହିଁ କହିହେବ । ସ୍ପଷ୍ଟଭାବେ ସୂଚନା ଦିଆଯାଇ ନଥିଲେ ମଧ୍ୟ ଇଣ୍ଟରପୋଲର ସହଯୋଗ ଲୋଡାଯାଇ ପାରେ ବୋଲି ବିଶେଷ ସୂତ୍ରରୁ ପ୍ରକାଶ ।
ଶନିବାର ଆନ୍ତୋଭଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ତାଙ୍କ ବାମ ପାଶ୍ୱର୍ ଛାତିରେ ଗଭୀର ଆଘାତ ଲାଗିବା ସହ ଫୁସ୍ଫୁସ୍ ଓ ଜକୃତ ନଷ୍ଟ ହୋଇଯାଇଛି । ଶରୀର ଭିତରେ ପ୍ରବଳ ରକ୍ତସ୍ରାବ ସହ ହୃଦ୍ଘାତ ମଧ୍ୟ ହୋଇଥିଲା । ଏହା ଦୁର୍ଘଟଣାଜନିତ ମୃତୁ୍ୟ ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଦୁଇ ବିଶେଷଜ୍ଞ ଡାକ୍ତର ଡିକେ ଦେବ ଓ ଡାକ୍ତର ହିମାଂଶୁ ଶେଖର ନାଥ ରିପୋର୍ଟ ଦେଇଛନ୍ତି ।
ଅନ୍ୟ ଏକ ଘଟଣାକ୍ରମରେ ଭୁବନେଶ୍ୱରରେ ଶୁକ୍ରବାର ଜଣେ ରୁଷୀୟ ନାଗରିକ ନିଖୋଜ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଶନିବାର ତାଙ୍କୁ ପୁଲିସ୍ ଠାବ କରିଛି । ଏହି ବ୍ୟକ୍ତି ନିଜକୁ ରୁଷୀୟ ଶରଣାର୍ଥୀ ଦର୍ଶାଇ ୟୁକ୍ରେନ୍ ଯୁଦ୍ଧ ବିରୋଧରେ ଲେଖା ଥିବା ପ୍ଲାକାର୍ଡ ଧରି ରେଳ ଷ୍ଟେସନ୍ ଭିତରେ ଭିକ୍ଷା ମାଗୁଥିଲେ । ପରେ ପରେ ସେ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।