ବେଧଡ଼କ ଚାଲିଛି କୋଇଲା ଚୋରା ଚାଲାଣ

ତିହିଡି (ଆପ୍ର): ବେଧଡ଼କ ଭାବେ ଚାଲିଛି କୋଇଲା ଚୋରା ଚାଲାଣ । ନରବଦ୍ରଷ୍ଟା ସାଜିଛି ପୁଲିସ୍ । ଭଦ୍ରକ ଜିଲ୍ଲା ଆଦାନୀ ଧାମରା ବନ୍ଦର ରେଳପଥ କରିଡ଼ୋରରେ ଶହଶହ ଟ୍ରିପ୍ ଚୋରା କୋଇଲା ପଡ଼ି ରହିଛି । ହେଲେ ପୁଲିସ୍ ଆଖିକୁ ସତେ ଯେପରି ଦିଶୁନି । ନାମକୁ ମାତ୍ର ପାଟ୍ରୋଲିଂ କରୁଥିବା ଚର୍ଚ୍ଚା ହେଉଛି ।
ଗାଁ ଗଣ୍ଡାରେ ରେଳପଥ ନିକଟରେ ଦିନ ତମାମ ଶହଶହ ବସ୍ତା କୋଇଲା ପେକିଂ ଚାଲୁଛି । ସଞ୍ଜ ନଇଁଲା ପରେ ବାହାରକୁ ଚୋରା ଚାଲାଣ କରାଯାଉଛି । କୋଇଲା ମାଫିଆମାନେ ଟ୍ରକ୍ ଲଗାଇ ବସ୍ତାବସ୍ତା କୋଇଲା ବାହାରକୁ ଚାଲାଣ କରୁଛନ୍ତି । ଏହାକୁ ନେଇ ଯଦି କେହି ବିରୋଧ କରୁଛନ୍ତି ମାଫିଆଙ୍କ ଆକ୍ରମଣର ଶିକାର ମଧ୍ୟ ହେଉଛନ୍ତି । ତେବେ ଏହି ମାଫିଆରାଜ୍ ମଧ୍ୟରେ ପୁଲିସ୍ର ସହଯୋଗ ରହୁଥିବା ଚର୍ଚ୍ଚା ହେଉଛି । କିଛି ପୁଲିସ୍ ମାଫିଆଙ୍କୁ ସହଯୋଗ କରୁଥିବା ବେଳେ ମୋଟା ଅଙ୍କରେ ଲାଞ୍ଚ ନେଇ ଚୁପ୍ ବସିପଡ଼ୁଥିବା ସାଧାରଣରେ ଆଲୋଚନା ହେଉଛି । ନୂଆନନ୍ଦ ପଞ୍ଚାୟତର ସଚେତନ ନାଗରିକ ଜିଲ୍ଲା ପ୍ରଶାସନ ନିକଟରେ ଏନେଇ ଫେରାଦ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ଗତ ଦୁଇଦିନ ତଳେ ତିହଡ଼ି ପୁଲିସ୍ ମାଡ଼ରେ ଜଣକର ହାତ ଭାଙ୍ଗିଥିବା ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସେଥିରେ ତିହିଡି ଥାନାର ୩ ଜଣ ପୁଲିସ୍ କର୍ମଚାରୀ ବିନା କୌଣସି ଦୋଷରେ ଜଣେ ଯୁବକଙ୍କୁ ମାଡ଼ ମାରିଥିବାର ଜଣାପଡ଼ିଛି । ପୁଲିସ୍ର ଶିକାର ହୋଇଥିବା ବଣିଆ ଗାଁର ସଞ୍ଜିବ କୁମାର ବେହେରା ନିଜ ବାଇକ୍ ଯୋଗେ ଗୋରାମାଟି ଅଞ୍ଚଳରେ ଯାଉଥିବା ବେଳେ ସାଧା ପୋଷାକରେ ପାଟ୍ରୋଲିଂ କରୁଥିବା ତିହିଡି ପୁଲିସର ଆକ୍ରମଣର ଶିକାର ହୋଇଥିଲେ । ପୁଲିସ୍ ବାଧ୍ୟ କରୁଥିଲେ ‘କହ ତୁ ପିକ୍ଅପ୍ ଡ୍ରାଇଭର’ ବୋଲି ଯୁବକ ଜଣକ କହିଛନ୍ତି । ପରେ ପୁଲିସ ଗାଡ଼ିରେ ବସାଇ ତାଙ୍କୁ ତିହିଡି ନେଉଥିବା ବେଳେ ବାଟରେ ମାଡ଼ ମାରି ନନ୍ଦପୁର ଛକ ପୂର୍ବରୁ ଗାଡ଼ିରୁ ଓହ୍ଲାଇ ଦେଇଥିବା ଜଣାପଡ଼ିଛି । ଯାହାକୁ ନେଇ ଜିଲ୍ଲା ବ୍ୟାପି ଚର୍ଚ୍ଚାର ବିଷୟ ସାଜିଛି । ସେପଟେ ତିହିଡି ପୁଲିସ ଘଟଣାର ସତ୍ୟତା ନଥିବା କହିଥିବା ସାଧାରଣରେ ବିଷ୍ମୟ ସୃଷ୍ଟି କରୁଛି । ଅନ୍ୟପଟେ ରେଳପଥ ନିକଟସ୍ଥ ଗାଁ ଗଣ୍ଡା ରାସ୍ତାରେ ଟ୍ରିପ୍ ଟ୍ରିପ୍ କୋଇଲା ଦିନମାନ ପଡ଼ି ରହୁଛି । ରାତି ହେଲେ ଚାଲାଣ ହେଉଥିବା କଥାକୁ ମଧ୍ୟ ଅସ୍ୱିକାର କରିଛି ପୁଲିସ୍ । ମାତ୍ର ଆଜି ବି ନୂଆନନ୍ଦ, ପାଳିଆବିନ୍ଧା, ଦୋହରାସାହି, ଶଙ୍କରପୁର ଛକରେ ଶତାଧିକ କୋଇଲା ବସ୍ତା ପଡ଼ି ରହିଥିବା ଦେଖାଯାଇଛି । ତେବେ ଜିଲ୍ଲା ପ୍ରଶାସନ ଏହି ଘଟଣାରେ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *