ମୃତକଙ୍କ ପରିବାର ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

ଛତ୍ରପୁର (ଆପ୍ର): ଗଞ୍ଜାମ ଜିଲ୍ଲା ଛତ୍ରପୁର ରିକାପଲ୍ଲୀ ସ୍ଥିତ କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟରେ ତରେଇପାଟପୁର ଗ୍ରାମର କୈଳାଶ ଚନ୍ଦ୍ର ବେହେରାଙ୍କ ଝିଅ ରୋଜା ବେହେରା(୧୫)ଙ୍କର ଚଳିତ ମାସ ୧୮ରେ ସନେ୍ଦହଜନକ ଭାବେ ମୃତୁ୍ୟ ଘଟିଥିଲା । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଛାତ୍ରୀଙ୍କ ମୃତୁ୍ୟ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାର ସଠିକ ତଦନ୍ତ ପାଇଁ ପରିବାର ଲୋକ ଗ୍ରାମବାସୀଙ୍କ ସହ ଶନିବାର ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରୋଜା ବେହେରାଙ୍କ ବାପା କୈଳାଶ ଚନ୍ଦ୍ର ବେହେରାଙ୍କ କହିବା ମୁତାବକ ଝିଅର ଦେହ ଭୋର ୪.୩୦ରେ ଖରାପ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ଡାକ୍ତରଙ୍କ ପରାମର୍ଶ ନ ନେଇ କୌଣସି ଏକ ଔଷଧ ଖାଇବାକୁ ଦେଇଥିଲେ । ଯଦ୍ଦ୍ୱାରା ସ୍କୁଲରେ ହିଁ ତା’ର ମୃତୁ୍ୟ ହୋଇଥିଲା । ସ୍କୁଲରୁ ଛତ୍ରପୁର ମେଡିକାଲ ମାତ୍ର ଏକ ଶହ ମିଟର ଦୂରରେ ଥିବାବେଳେ ଚିକିତ୍ସା ପାଇଁ ତୁରନ୍ତ ସେଠାକୁ କାହିଁକି ନ ନେଇ କାହିଁକି ସକାଳ ସାଢ଼େ ୬.୩୦ରେ ଅଣାଯାଇଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେଠାରେ ତାଙ୍କୁ ଡାକ୍ତର ମୃତୁ୍ୟ ଘୋଷଣା କରିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିବାରକୁ ଅବଗତ କରିଥିଲେ । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଝିଅର ମୃତୁ୍ୟ ହୋଇଛି ବୋଲି ପରିବାର ପକ୍ଷରୁ କହାଯାଇଛି । ଏପରିକି ବିଦ୍ୟାଳୟରେ ୧୫୦ ଛାତ୍ରୀ ରହୁଛନ୍ତି । ଦୀର୍ଘ ଦିନ ହେଲା ୱାର୍ଡନ ସମେତ ସ୍ଥାୟୀ ପ୍ରଧାନଶିକ୍ଷକ ଓ ରାତ୍ର ଜଗୁଆଳ ନ ଥିବାବେଳେ ଜଣେ ମାତ୍ର ପିଅନ ଅଛନ୍ତି । ଏପରିକି ଦାୟିତ୍ୱରେ ଥିବା ସ୍କୁଲ ସଂଯୋଜକ ଘଟଣା ଘଟିବା ପରେ କିମ୍ବା ପୂର୍ବରୁ ସ୍କୁଲ ପରିଦର୍ଶନରେ ଯାଉ ନ ଥିବା କହିଥିଲେ । ସେଠାରେ ବ୍ୟାପକ ଅନିୟମିତତା ହେଉଥିବା ସେ କହିଥିଲେ । ଝିଅର ମୃତୁ୍ୟର କିଛି ଦିନ ପୂର୍ବରୁ ସ୍କୁଲରେ ରହୁଥିବା ଦୁଇରୁ ତିନିଟି ଝିଅ ମଧ୍ୟ ଅସୁସ୍ଥ ହୋଇଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହିନତା ଓ ଅବହେଳା ପାଇଁ ଝିଅର ମୃତୁ୍ୟ ହୋଇଛି ବୋଲି ମୃତକଙ୍କ ବାପା କହିଛନ୍ତି । ସ୍କୁଲ ମାତ୍ର ୧୦ ହଜାର ଟଙ୍କା ଦେଇ ତାର କାମ ସାରିଦେଇଛି । ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକ । ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚାରି ବୁଝିବି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ଦାବିପତ୍ରର ନକଲ ମାନବ ଅଧିକାରୀ ଆୟୋଗ ଓ ଜାତୀୟ ମାନବ ଅଧିକାରୀ ଆୟୋଗଙ୍କୁ ପ୍ରଦାନ କରାଯାଇଥିବା ପି.ଧର୍ମା ରେଡ଼ି କହିଛନ୍ତି । ସ୍ମାରକପତ୍ର ପ୍ରଦାନ ବେଳେ ମୃତୁ୍ୟ ଝିଅର ବାପା କୈଳାସ ଚନ୍ଦ୍ର ବେହେରା, ମା’ ଅନୁସୟା ବେହେରା, ଗ୍ରାମ୍ୟ ସଭାପତି ଯୋଗେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *