୨୩’କୁ ସ୍ୱାଗତ ପାଇଁ ଶ୍ରୀକ୍ଷେତ୍ର ଜନସମୁଦ୍ର

ପୁରୀ (ବୁ୍ୟରୋ): ଶନିବାର ଥିଲା ୨୦୨୨ର ଶେଷ ଦିନ । ସୁଖଦୁଃଖ ଭରା ପୁରୁଣା ବର୍ଷକୁ ବିଦାୟ ଏବଂ ନୂତନ ବର୍ଷକୁ ସ୍ୱାଗତ ଲାଗି ପୁରୀରେ ଜମିଛି ଭିଡ଼ । ପୁରୁଣାବର୍ଷର ଏହି ଶେଷ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ନବବର୍ଷ ପାଇଁ ସୁଖସମୃଦ୍ଧି କାମନା କରିଛନ୍ତି । ନୂଆବର୍ଷକୁ ସ୍ୱାଗତ ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଡେରା ପକାଇଛନ୍ତି ଶ୍ରଦ୍ଧାଳୁ । ବଡଦାଣ୍ଡ, ବେଳାଭୂମି ସବୁଆଡେ ଲୋକାରଣ୍ୟ । ଶନିବାର ରାତ୍ର ୧୧ଟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ହୋଇ ରାତ୍ର ସାଢ଼େ ୧ଟାରେ ଦ୍ୱାରଫିଟା ଯାଇଥିଲା । ଶ୍ରୀକ୍ଷେତ୍ରର ସମସ୍ତ ହୋଟେଲ, ଲଜିଂ ସବୁ ପ୍ୟାକ୍ । ପର୍ଯ୍ୟଟକମାନେ ପୁରୀ ସହରକୁ ଛୁଟି କାଟିବାକୁ ଆସିଛନ୍ତି । ସ୍କୁଲ,କଲେଜ ଆଦି ଶିକ୍ଷାନୁଷ୍ଠାନ ଛୁଟି ରହିଥିବାରୁ ବିଦ୍ୟାର୍ଥୀମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି ।
ସେହିପରି ବିଦେଶରୁ ମଧ୍ୟ ପର୍ଯ୍ୟଟକମାନେ ନୂଆବର୍ଷ ବିତାଇବାକୁ ପୁରୀ ଛୁଟିଛନ୍ତି । ୨୦୧୯ ତୁଳନାରେ ଏଥର ସର୍ବାଧିକ ଭିଡ଼ ଦେଖିବାକୁ ମିଳିଛି । ମନୋଜ କୁମାର ବିଶ୍ୱାସ ନାମକ ଜଣେ ପର୍ଯ୍ୟଟକ କୁହନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହିତ ନୂଆ ବର୍ଷ କଟାଇବାକୁ ପୁରୀ ଆସିଛୁ । ସେହିଭଳି ମହିଳା ପର୍ଯ୍ୟଟକ ଶାନ୍ତିଲତା ଘୋଷ କୁହନ୍ତି ଅନେକ ଥର ପୁରୀ ଆସିଛି । କିନ୍ତୁ ନୂଆ ବର୍ଷରେ କେବେ ଆସି ନ ଥିଲି । ଏଥର ନୂଆବର୍ଷ ମହାପ୍ରଭୁଙ୍କୁ ଦର୍ଶନ କରି ପୁରୀରେ କଟାଇବାକୁ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ୨୦୨୨ର ଶେଷ ସୂର୍ଯ୍ୟାସ୍ତ ଦେଖିବା ଲାଗି ସନ୍ଧ୍ୟାରେ ବେଳାଭୂମିରେ ପ୍ରବଳ ଜନସମାଗମ ହୋଇଥିଲା । ତେବେ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନୂଆବର୍ଷରେ ମାର୍କେଟ ଛକଠାରୁ ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ରେ ସିଂହଦ୍ୱାରରେ ପହଞ୍ଚିବେ । ସେଠାରେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିବେ । ପରେ ମହାପ୍ରଭୁଙ୍କୁ ଦର୍ଶନ କରି ଶ୍ରୀମନ୍ଦିରର ଅନ୍ୟ ତିନି ଦ୍ୱାର ଦେଇ ବାହାରକୁ ବାହାରିବେ । ସୁରକ୍ଷା ପାଇଁ ମନ୍ଦିର ଭିତର, ବାହାର ସମେତ ବିଭିନ୍ନସ୍ଥାନରେ ୬୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *