ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବିପତ୍ର

ବ୍ରହ୍ମପୁର (ବୁ୍ୟରୋ): ୪୭ଦିନ ତଳେ ଟ୍ରେନ୍ ଧକ୍କାରେ ଗୁରୁତର ହୋଇ ଲାଞ୍ଜିପଲ୍ଲୀ ରାମନଗର ରେଳବାଇ କଲୋନୀଠାରେ ପଡ଼ି ରହିଥିବା ଗୋଟିଏ ଗର୍ଭବତୀ ଗାଈର ଚିକିତ୍ସା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ସ୍ଥାନୀୟ ଲୋକେ ଆହତ ଗାଈର ସୁଶ୍ରୁଷା କରୁଛନ୍ତି । ହେଲେ ପଶୁ ଚିକିତ୍ସାଳୟ ପକ୍ଷରୁ ଗାଈଟିକୁ ଛିଡ଼ା କରିବା ପାଇଁ ନିୟମିତ ଚିକିତ୍ସା କରାଯାଉନାହିଁ । ଗାଈଟି ଦୀର୍ଘଦିନରୁ ଶୀତ କାକରରେ ଅସହାୟ ଅବସ୍ଥାରେ ପଡ଼ିରହିଛି । ବାରମ୍ବାର କହିବା ପରେ ବି ତା’ର ଚିକିତ୍ସା ପାଇଁ ପଶୁ ଡାକ୍ତରଖାନାକୁ ନିଆଯାଉନାହିଁ । ସଠିକ୍ ଚିକିତ୍ସା ଅଭାବରୁ ସଂକ୍ରମଣ ହୋଇପଡିବାରୁ ତାକୁ ବ୍ରହ୍ମପୁର ପଶୁ ଚିକିତ୍ସାଳୟରେ କୌଣସି ଡାକ୍ତର ଚିକିତ୍ସା କଲେ ନାହିଁ । ଅଞ୍ଚଳବାସୀ ଗାଡ଼ି ଭଡ଼ା କରି ଗାଈଟିକୁ ହିଞ୍ଜିଳିକାଟୁ ଚିକିତ୍ସାଳୟକୁ ନେଇ ଚିକିତ୍ସା କଲେ । ବ୍ରହ୍ମପୁର ଚିକିତ୍ସାଳୟରେ ନିୟୋଜିତ ଡା. ବିଭୁ ପଣ୍ଡା ଓ ଆମ୍ବୁଲାନ୍ସରେ ନିୟୋଜିତ ଡା.ବ୍ରତଚାରି ଷଢ଼ଙ୍ଗୀଙ୍କ ଚରମ ଅବହେଳା ପାଇଁ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି ।
ଦାୟିତ୍ୱହିନ ଓ କର୍ତ୍ତବ୍ୟରେ ଚରମ ଅବହେଳା କରୁଥିବା ଏହି ୨ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଇନ୍ଡୋର ବିଭାଗ ଖୋଲିବା, ରାତ୍ରିକାଳୀନ ସେବା ଯୋଗାଇବା, ଦୁର୍ଘଟଣାରେ ଆହତ ଗାଈଗୋରୁଙ୍କୁ ଅଣଦେଖା ଓ ଅବହେଳା କରୁଥିବା ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା, ଜନବସତି ନିକଟବର୍ତ୍ତୀ ରେଳବାଇ ଟ୍ରାକ୍ର ଉଭୟ ପାଶ୍ୱର୍ରେ ସୁରକ୍ଷା ପାଇଁ ତାର ଜାଲି ବେଢ଼ିବା, ଜୀବ ଜନ୍ତୁଙ୍କ ପ୍ରତି ହେଉଥିବା ନିଷ୍ଠୁରତା ଓ ସେମାନଙ୍କୁ ନ୍ୟାୟ ଦେବାପାଇଁ ଉର୍ଦ୍ଦିଷ୍ଟ ଏସ୍ପିସିଏ କମିଟିକୁ ଗଞ୍ଜାମ ଜିଲ୍ଲାରେ ସକ୍ରିୟ କାର୍ଯ୍ୟକାରୀ କରାଯିବା ଆଦି ଦାବି ନେଇ ଶନିବାର ବ୍ରହ୍ମପୁର ଡେପୁଟି କଲେକ୍ଟର ଶୁଭଶ୍ରୀ ରଥଙ୍କ ସହ ମାନବ ଅଧିକାର ସୁରକ୍ଷା ମଞ୍ଚର ନେତା ମନୋଜ କୁମାର ତରାଇ, ବଂଶୀଧର ଭୂୟାଁ, ବିଜୟ ଚନ୍ଦ୍ର ବିଶୋଇ, ବି.ରାମ ବାବୁ, ସୁରେନ୍ଦ୍ରନାଥ ପଣ୍ଡା, ପ୍ରଶାନ୍ତ କୁମାର ପଣ୍ଡା, ମାଗୁଣି ନାହାକ, ଏସ୍.ସାମ୍ବଶିବା ରାଓ, ହୃଷିକେଶ ପାତ୍ର, ଯୁବନେତା ସ୍ମୃତିରଞ୍ଜନ ତରାଇ, ରୋନାଲି ପାଣିଗ୍ରାହୀ, ବିଷ୍ଣୁପ୍ରିୟା ପାତ୍ର ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବି.କୋକିଲା ବାଣୀ, ବି.ବିଜୟ କୁମାର, ବି.ଗୁନାଲ, ଆଇନ୍ଜୀବୀ ଅବନୀ ଗୟା ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *