ରାହୁଲ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ, ୩ଠା୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯେବେଠୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କଲେଣି ସେବେଠୁ ତାଙ୍କ ରାଜନୈତିକ ଭବିଷ୍ୟତ ସମ୍ପର୍କରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ବହୁକଥା କହିଆସୁଛନ୍ତି । ଏବେ ୨୦୨୪ ଲୋକସଭା ନିର୍ବାଚନରେ ରାହୁଲଙ୍କ ଭୂମିକା ସମ୍ପର୍କରେ ଦଳୀୟ ନେତାମାନେ ଖୋଲାଖୋଲି ଭାବେ ବିବୃତି ଦେବା ଆରମ୍ଭ କଲେଣି । ଦଳର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନରେ ରାହୁଲ କେବଳ ବିରୋଧୀ ମେଣ୍ଟର ମୁଖିଆ ହେବେ ନାହିଁ, ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ରୂପେ ସେ ଉଭା ହେବେ ।
କମଲନାଥ ଇମେଲ୍ ଇଣ୍ଟରଭୁ୍ୟରେ ରାହୁଲଙ୍କ ଭାରତ ଯୋଡ଼ ଯାତ୍ରାର ଉଚ୍ଚ ପ୍ରଶଂସା କରିବା ସହ କହିଛନ୍ତି ରାହୁଲ କ୍ଷମତା ରାଜନୀତି ନୁହେଁ, ଲୋକ-ରାଜନୀତି କରୁଛନ୍ତି । ଏଭଳି ନେତାଙ୍କୁ ଦେଶବାସୀ ଛାଏଁ ସିଂହାସନରେ ବସାଇ ଦେଇଥାନ୍ତି ।
୭୬ ବର୍ଷୀୟ କମଲନାଥଙ୍କ ଏଭଳି ବୟାନ ଦେବାର ଦିନକ ପୂର୍ବରୁ ସଲ୍ମାନ୍ ଖୁର୍ସିଦ୍ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ ଯେ, ମଲ୍ଲିକାର୍ଜୁନ ଖଡ଼ଗେ ସିନା କଂଗ୍ରେସ ଅଧ୍ୟକ୍ଷ ହେଲେ ସେମାନଙ୍କ ପ୍ରକୃତ ନେତା ଗାନ୍ଧି ପରିବାର ।
ରାହୁଲ ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟର ନେତୃତ୍ୱ ନେବେ କି ବୋଲି ପ୍ରଶ୍ନର ଉତ୍ତରରେ କମଲନାଥ କହିଛନ୍ତି, ପୃଥିବୀ ଇତିହାସରେ କୌଣସି ବ୍ୟକ୍ତି ୩୫୦୦ କିମିରୁ ଅଧିକ ପଦଯାତ୍ରା କରିନାହାନ୍ତି । ଗାନ୍ଧି ପରିବାର ଭାରତ ପାଇଁ ଯେପରି ବଳିଦାନ କରିଛନ୍ତି ଅନ୍ୟ କୌଣସି ପରିବାର କରିନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *