ଏଟିଆର୍-୭୨ ଫ୍ଲାଇଟ୍ ପରୀକ୍ଷଣ ସଫଳ
ରାଉରକେଲା-ଭୁବନେଶ୍ୱର ବିମାନ ଉଡ଼ାଣ ୭ରୁ
ରାଉରକେଲା/ଭୁବନେଶ୍ୱର (ବୁ୍ୟରୋ): ଜାନୁଆରୀ ୭ରୁ ରାଉରକେଲାରୁ ଭୁବନେଶ୍ୱର ବିମାନ ଉଡ଼ାଣ ହେବ । ଶୁକ୍ରବାର ଅପରାହ୍ନରେ ରାଉରକେଲା ବିମାନବନ୍ଦରରେ ଆଲିଆନ୍ସ ଏୟାର ଏଟିଆର୍-୭୨ ବିମାନର ପରୀକ୍ଷଣ ଅବତରଣ ସଫଳତାର ସହ ସମ୍ପନ୍ନ ହୋଇଛି ।
ଏହି ଅବସରରେ ଓଡିଶା ସରକାରଙ୍କର ଦକ୍ଷତା ବିକାଶ, ବାଣିଜ୍ୟ ଏବଂ ପରିବହନ ବିଭାଗ ମୁଖ୍ୟ ସଚିବ ଉଷା ପାଢୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଏବଂ କ୍ରୀଡ଼ା ଓ ଯୁବସେବା ସଚିବ ଆର୍ ଭିନୀଲ କ୍ରୀଷ୍ଣା, ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିଦେ୍ର୍ଦଶକ ଅତନୁ ଭୌମିକ, ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ଦେବଦତ୍ତା ସୁରନଜିତା ଜେନା, ସୁନ୍ଦରଗଡ ଜିଲ୍ଲାପାଳ ଗଭାଲି ପରାଗ ହର୍ଷଦ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶୁଭଂକର ମହାପାତ୍ର, ରାଉରକେଲାର ଏସ୍ପି ମୁକେଶ କୁମାର ଭାମୁ, ଆର୍ଏସ୍ପିର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିଦେ୍ର୍ଦଶକ ପି କେ ଶତପଥୀ, ରାଜ୍ୟ ସରକାର, ଆର୍ଏସ୍ପି ଓ ଏୟାର ପାର୍ଟ ଅଥରିଟି ଅଫ ଇଣ୍ଡିଆର ଅନ୍ୟ ବରିଷ୍ଠ ଅଧିକାରୀ ତଥା ହକି ଇଣ୍ଡିଆର ଅଧିକାରୀମାନେ ଉପସ୍ଥିତ ଥିଲେ । ବିମାନର ସୁଗମ ଅବତରଣ ପାଇଁ ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ପାଇଲଟମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରେପରେ ବିମାନଟି ବିମାନ ବନ୍ଦରରୁ ଝାରସୁଗୁଡାକୁ ଫେରି ଯାଇଥିଲା ।
ରାଉରକେଲା ବିମାନବନ୍ଦର, ବାଣିଜି୍ୟକ ବିମାନ ଚଳାଚଳ ପାଇଁ ୨୦୨୨ ଡିସେମ୍ବର ୧୯ ତାରିଖରେ ବେସାମରିକ ବିମାନ ଚଳାଚଳର ମହାନିଦେ୍ର୍ଦଶକଙ୍କ ଠାରୁ ୨ସି ଲାଇସେନ୍ସ ପାଇଥିଲା । ସଫଳ ପରୀକ୍ଷଣ ଅବତରଣ ଏବଂ ଏଟିଆର୍-୭୨ ବିମାନର ଅବତରଣ ସହିତ ବିମାନ ବନ୍ଦରରୁ ନିୟମିତ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ।
ଆଲିଆନ୍ସ ଏୟାର ପକ୍ଷରୁ ୭୨ ସିଟ୍ ବିଶିଷ୍ଟ ଏଟିଆର – ୭୨ ବିମାନ ପ୍ରଥମ କରି ଚଳାଚଳ କରିବ । ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଅପରାହ୍ନ ୨.୫୫ ମିନିଟରେ ଉଡ଼ାଣ ଆରମ୍ଭ କରିବ ଏବଂ ରାଉରକେଲା ବିମାନ ବନ୍ଦରରେ ୩.୫୦ ମିନିଟରେ ଅବତରଣ କରିବ । ସେହିପରି ରାଉରକେଲା ବିମାନ ବନ୍ଦରରୁ ଉକ୍ତ ବିମାନ ଅପରାହ୍ନ ୪.୧୫ ମିନିଟରେ ଛାଡି ଭୁବନେଶ୍ୱର ବିମାନ ବନ୍ଦରରେ ୫.୧୦ ମିନିଟରେ ପହଞ୍ଚିବ ବୋଲି ସୂଚନା ମିଳିଛି ।