ଅଲ୍ବିଦା ପେଲେ
ତିନି ବିଶ୍ୱକପ୍ ଜିତିଥିବା ଏକମାତ୍ର ଫୁଟ୍ବଲର୍
ସର୍ବାଧିକ ୧୨୮୧ ଗୋଲ୍ କରିଥିଲେ ଫୁଟ୍ବଲ୍ ଯାଦୁକର
ସାଓ ପାଉଲୋ, ୩୦ା୧୨ (ଏଜେନ୍ସି): ଆଉ ନାହାନ୍ତି ଫୁଟ୍ବଲ୍ର ଯାଦୁକର ତଥା ସର୍ବକାଳୀନ ସର୍ବଶ୍ରେଷ୍ଠ ଫୁଟ୍ବଲର୍ଙ୍କ ମଧ୍ୟରେ ପରିଗଣିତ ବ୍ରାଜିଲ୍ର ପେଲେ । ଗୁରୁବାର ସମସ୍ତଙ୍କ ଠାରୁ ଚିରବିଦାୟ ନେଇଛନ୍ତି ଏହି କିମ୍ବଦନ୍ତୀ ଖେଳାଳି । ମୃତୁ୍ୟବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା ଏବଂ ସେ କିଡ୍ନୀ ଓ ପ୍ରୋଷ୍ଟେଟ୍ଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି । ବିଶ୍ୱର ନାମୀ ଫୁଟ୍ବଲର୍ ଆର୍ଜେଣ୍ଟିନାର ଲିଓନେଲ୍ ମେସୀ, ପର୍ତ୍ତୁଗାଲ୍ର କ୍ରିଷ୍ଟିଆନୋ ରୋନାଲ୍ଡୋ, ବ୍ରାଜିଲ୍ର ନେମାର, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପ୍ରମୁଖ ଶୋକପ୍ରକଟ କରିଛନ୍ତି ।
ପେଲେଙ୍କ କିଛି ରେକର୍ଡ ଆଜି ଯାଏଁ ଅତୁଟ ରହିଛି । ତାଙ୍କ ଉପସ୍ଥିତିରେ ବ୍ରାଜିଲ୍ ୧୯୫୮, ୧୯୬୨ ଓ ୧୯୭୦ରେ ଫୁଟ୍ବଲ୍ ବିଶ୍ୱକପ୍ ଜିତିଥିଲା । ତିନି ଥର ବିଶ୍ୱକପ୍ ଜିତିବାରେ ସେ ଏକମାତ୍ର ଫୁଟ୍ବଲର୍ । ଏହା ସହିତ ସର୍ବକନିଷ୍ଠ ଖେଳାଳି ଭାବେ ବିଶ୍ୱକପ୍ରେ ଗୋଲ୍ ଦେବା, ହାଟ୍ରିକ୍ କରିବା ଓ ଫାଇନାଲ୍ ମୁକାବିଲା ଖେଳିବାର ରେକର୍ଡ ଏତେ ବର୍ଷ ପରେ ବି ପେଲେଙ୍କ ନାମରେ ରହିଛି ।
ପେଲେ ୧୩୬୩ ମ୍ୟାଚ୍ ଖେଳି ୧୨୮୧ ଗୋଲ୍ କରିଥିଲେ, ଯାହାକି ଏକ ବିଶ୍ୱରେକର୍ଡ । ତାଙ୍କ ଯୋଗୁଁ ଉଭୟ ସାଣ୍ଟୋସ୍ ଓ ବ୍ରାଜିଲ୍ ସବୁଠାରୁ ସଫଳ ଟିମ୍ ହୋଇପାରିଥିଲା । ସେ ୧୬ ବର୍ଷ ବୟସରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ଆର୍ଜେଣ୍ଟିନା ବିପକ୍ଷରେ ଖେଳିଥିଲେ । ପେଲେ ବ୍ରାଜିଲ୍ ପକ୍ଷରୁ ୯୨ ମ୍ୟାଚ୍ରୁ ୭୭ ଗୋଲ୍ କରିଥିଲେ । ସେ ୧୯୭୧ରେ ଜାତୀୟ ଟିମ୍ର ଅବସର ନେଇଥିଲେ ।
୧୯୪୦ ଅକ୍ଟୋବର ୨୩ରେ ବ୍ରାଜିଲ୍ର ଏକ ଛୋଟ ସହର ମିନାସ ଗେରାଇସ୍ରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପ୍ରକୃତ ନାଁ ଥିଲା ଏଡ୍ସନ୍ ଅରାଣ୍ଟସ୍ ଡୋ ନାସିମେଣ୍ଟୋ । ମାତ୍ର ୧୫ ବର୍ଷ ବୟସରେ ସେ ବ୍ରାଜିଲ୍ର ପ୍ରସିଦ୍ଧ କ୍ଲବ୍ ସାଣ୍ଟୋସ୍ରେ ଯୋଗ ଦେଇଥିଲେ । ସେ ୧୯୫୬ରୁ ୧୯୭୪ ଯାଏଁ ସାଣ୍ଟୋସ୍ ପକ୍ଷରୁ ଖେଳିଥିବା ବେଳେ ୧୯୭୫ରୁ ୧୯୭୭ ଯାଏଁ ନୁ୍ୟୟର୍କ କସ୍ମସ୍ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।
‘ପେଲେ ଜାତୀୟ ସମ୍ପତ୍ତି’
ପେଲେ ଏକ ‘ଜାତୀୟ ସମ୍ପତ୍ତି’ ଓ ତାଙ୍କୁ ‘ରପ୍ତାନୀ’ କରାଯାଇପାରିବ ନାହିଁ । ଏକଦା ବ୍ରାଜିଲ୍ର ତକ୍ରାଳୀନ ରାଷ୍ଟ୍ରପତି ଜାନିଓ କ୍ୱଡ୍ରୋସ୍ଙ୍କ ଏହି ଘୋଷଣା କେବଳ ତାଙ୍କ ଦେଶରେ ନୁହେଁ, ଅନ୍ୟ ଦେଶରେ ବି ଚର୍ଚ୍ଚାର ବିଷୟ ହୋଇଥିଲା । ଅନେକ ଅଫର୍ ଆସିବା ସତ୍ତ୍ୱେ ପେଲେଙ୍କୁ କେବେ ବି ୟୁରୋପୀୟ କ୍ଲବ୍ ପକ୍ଷରୁ ଖେଳିବାର ସୁଯୋଗ ମିଳି ନ ଥିଲା । ଅବଶ୍ୟ ୧୯୭୫ରେ ସେ ଏକ ବିଦେଶୀ କ୍ଲବ୍ ନୁ୍ୟୟର୍କ କସ୍ମସ୍ରେ ସାମିଲ୍ ହୋଇଥିଲେ ।
ତିନି ଥର ବାହା ହୋଇଥିଲେ
ପେଲେ ତିନି ଥର ବାହା ହୋଇଥିଲେ; ହେଲେ ତାଙ୍କର କେତେ ସନ୍ତାନସନ୍ତତି, ତାହାକୁ ନେଇ ବିବାଦ ରହିଛି । ସେ ଖୋଦ୍ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ମନେ ନାହିଁ ତାଙ୍କର କେତେ ପିଲା ଅଛନ୍ତି । ତେବେ ଅଫିସିଆଲ୍ ରେକର୍ଡରେ ପେଲେଙ୍କ ସାତ ପିଲାଙ୍କ ନାଁ ସାମ୍ନାକୁ ଆସିଛି ।
୧୯୬୬ରେ ରୋଜ୍ ମାରୀ ଡୋସ୍ ରୀସ୍ଙ୍କ ସହ ପେଲେଙ୍କ ପ୍ରଥମ ବାହାଘର ହୋଇଥିଲା; ହେଲେ ୧୯୮୬ରେ ଛାଡ଼ପତ୍ର ହୋଇଯାଇଥିଲା । ଉଭୟଙ୍କର ତିନି ପିଲା ଅଛନ୍ତି । ସେ ୧୯୯୪ରେ ଦ୍ୱିତୀୟ ବିବାହ କରିଥିଲେ ଏବଂ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ନାଁ ଏସିରିୟା ଲେମୋସ୍ ସିକ୍ସେକ୍ସ । ସେ ୨୦୧୬ରେ ତୃତୀୟ ବିବାହ କରିଥିଲେ । ପତ୍ନୀଙ୍କ ନାମ ମାର୍ସିୟା ଓକୀ । ସେ ପେଲେଙ୍କ ସହିତ ରହୁଥିଲେ ।