କୋଇଲା ସଚିବ, କୋଲ୍ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜିନ୍ଦଲ ପ୍ଲାଣ୍ଟ ପରିଦର୍ଶନ
ଅନୁଗୁଳ (ଆପ୍ର): କେନ୍ଦ୍ର କୋଇଲା ସଚିବ ଅମ୍ରିତ ଲାଲ ମୀନା ଏବଂ କୋଲ ଇଣ୍ଡିଆ ଲିମିଟେଡ୍ ଅଧ୍ୟକ୍ଷ ପ୍ରମୋଦ ଅଗ୍ରୱାଲ ୨୯ ଡିସେମ୍ବର ଦିନ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କୋଲ୍ ଗ୍ୟାସିଫିକେସନ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଥିଲେ । ଏହି ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଷ୍ଟିଲ ନିର୍ମାଣରେ ବିଶ୍ୱର ପ୍ରଥମ ତଥା ବୃହତ୍ତମ କୋଲ ଗ୍ୟାସିଫିକେସନ ପ୍ଲଣ୍ଟ (ସିଜିପି)କୁ ଅମ୍ରିତ ଲାଲ ମୀନା ଓ ପ୍ରମୋଦ ଅଗ୍ରୱାଲଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ଜେଏସପି ପକ୍ଷରୁ କରାଯାଇଥିବା ଏକ ଟ୍ୱିଟରେ କୁହାଯାଇଛି ଯେ, କୋଲ ଗ୍ୟାସିଫିକେସନ ହେଉଛି କୋଇଲାର ଭବିଷ୍ୟତ । ଶକ୍ତି ଉତ୍ସ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରାଇବା ସହିତ ଆମଦାନୀର ବିକଳ୍ପ ଭାବେ ଏହା ସହାୟତା କରିବ । ଏହାସହିତ କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆର ଅଧ୍ୟକ୍ଷଙ୍କ ଜେଏସପି ଗସ୍ତ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରାଯାଇ ଅଛି ।
ଜେଏସପି ଅନୁଗୁଳ ପ୍ଲାଣ୍ଟରେ ଅବସ୍ଥିତ ୨,୨୫,୦୦୦ ଏନ୍ଏମ୍-୩/ଏଚ୍ କ୍ଷମତା ବିଶିଷ୍ଟ ଏହି ସିଜିପି ଇସ୍ପାତ ତିଆରି କ୍ଷେତ୍ରରେ ବିଶ୍ୱର ପ୍ରଥମ ତଥା ବୃହତ୍ତମ କୋଲ ଗ୍ୟାସିଫିକେସନ ପ୍ଲାଣ୍ଟଭାବେ ପରିଚିତ । ଏହାସହିତ ଷ୍ଟିଲ ତିଆରି ପାଇଁ ଏହି ପ୍ଲାଣ୍ଟ ସ୍ୱଦେଶୀ କଞ୍ଚାମାଲ ବ୍ୟବହାର କରିଥାଏ । ବିଶ୍ୱର ପ୍ରଥମ ଷ୍ଟିଲ ଉତ୍ପାଦକ ଭାବେ ଜେଏସ୍ପି ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ନିଜର ଡିଆରଆଇରେ ସିନ୍ଥେସିସ ଗ୍ୟାସ (ସିନ୍-ଗ୍ୟାସ) ବ୍ୟବହାର କରିଥାଏ । ଯାହାକି ଅନ୍ୟ ଇସ୍ପାତ ତିଆରି ପ୍ରକ୍ରିୟା ତୁଳନାରେ ସର୍ବନିମ୍ନ କାର୍ବନ ର୍ନିଗତ କରିଥାଏ ।
ଯାହାଫଳରେ ଆଜିର ସମୟରେ ସିଜିପି ଏକ ଅନନ୍ୟ ଟେକ୍ନୋଲୋଜି ପ୍ରଦର୍ଶନକାରୀ ହୋଇପାରିବା ସହିତ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ମଧ୍ୟ ଏହା ପ୍ରଶଂସିତ ହୋଇପାରିଛି । ସିଜିପିରେ ଉତ୍ପାଦନ ହେଉଥିବା ସିନ୍- ଗ୍ୟାସରେ ୬୦% ହାଇଡ୍ରୋଜେନ ରହିଥିବାରୁ, ଏହା ପରିବେଶ ଉପଯୋଗୀ ନୀଳ ହାଇଡ୍ରୋଜେନ ଉତ୍ପାଦନ କରିବାରେ ମଧ୍ୟ ସାହାଯ୍ୟ କରିପାରିବ । ଏହି ଗସ୍ତବେଳେ ଜେଏସ୍ପି ପରାମର୍ଶଦାତା ଗୋଷ୍ଠୀର ଉପାଧ୍ୟକ୍ଷ ଭି.ଆର୍ ଶର୍ମା, ଜେଏସ୍ପିର ସିଇଓ ଦୀନେଶ କୁମାର ସରୋଗୀ, ଇଡି ଦାମୋଦର ମିତ୍ତଲ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।