ଦୁର୍ଘଟଣାରେ ପନ୍ତ ଗୁରୁତର
ରୁରକୀ, ୩ଠା୧୨: ତିନିଦିନ ପୂର୍ବେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଏକଦିବସୀୟ ମ୍ୟାଚ୍ରୁ ବାହାରି ଆସିଥିବା ୨୫ ବର୍ଷୀୟ ଭାରତୀୟ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଶୁକ୍ରବାର ସକାଳେ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି । ସୂତ୍ର ଅନୁଯାୟୀ ପନ୍ତ ତାଙ୍କ ମର୍ସିଡିଜ୍ କାର୍ ନିଜେ ଚଳାଉଥିବାବେଳେ ଘୁମ ଲାଗିବାରୁ ଦୁର୍ଘଟଣା ଘଟିଲା । ଅତି ଦ୍ରୁତ ବେଗରେ ଗତି କରୁଥିବା କାର୍ଟି ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହେବା ପରେ ୨୦୦ ମିଟର ଦୂରକୁ ଛିଟିକି ଯାଇ ହୁତୁହୁତୁ ହୋଇ ଜଳିଉଠିଥିଲା ।
ଜଳନ୍ତା କାର୍ର ଡୋର୍ କାଚ ଭାଙ୍ଗି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପନ୍ତ ବାହାରକୁ ଚାଲିଆସିଥିଲେ । କିଛି ଲୋକ ସେଠି ରୁଣ୍ଡ ହୋଇ ମୋବାଇଲ୍ରେ ଭିଡିଓ ସୁଟ୍ କରୁଥିବାବେଳେ ଦୁଇଜଣ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ୍କୁ ନେଇ ଯାଇଥିଲେ । ଏବେ ସେ ବିପଦମୁକ୍ତ ବୋଲି ଡାକ୍ତରମାନେ କହିଛନ୍ତି । ଉନ୍ନତ ଚିକିସôା ପାଇଁ ତାଙ୍କୁ ରୁରକୀରୁ ଡେରାଡୁନ୍ ନିଆଯାଇ ସେଠିକାର ମାକ୍ସ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଆବଶ୍ୟକ ହେଲେ ପନ୍ତଙ୍କୁ ଦିଲ୍ଲୀ ଏୟାର ଲିପ୍ଟ କରାଯିବ ।
ତଙ୍କ ମୁଣ୍ଡ, ଡାହାଣ କହୁଣି, ଡାହାଣ ଗୋଡ, ପିଠି ଆଦି ପାଞ୍ଚଟି ସ୍ଥାନରେ ଗୁରୁତର ଆଘାତ ଲାଗିଛି । ଏମ୍ଆର୍ଆଇ ପରେ ପୂର୍ଣ୍ଣ ବିବରଣୀ ମିଳିବ । ବିଶେଷଜ୍ଞମାନେ କହିଛନ୍ତି ପୂର୍ଣ୍ଣରୂପେ ସୁସ୍ଥ ହେବାକୁ ବର୍ଷେ ଲାଗିଯିବ ।
ଦୁର୍ଘଟଣା ଶୁକ୍ରବାର ଭୋର ସାଢ଼େ ପାଞ୍ଚଟାବେଳେ ରୁର୍କୀର ନାରସନ ବର୍ଡର ସ୍ଥିତ ହମ୍ମଦପୁର ଝାଲ ମୋଡ଼ରେ ହୋଇଥିଲା । ସେଠାରୁ ତାଙ୍କ ଘରର ଦୂରତା ୧୦ କିମି । ମା’ଙ୍କୁ ସରପ୍ରାଇଜ୍ ଦେବା ପାଇଁ ସେ ଏକାକୀ କାର୍ ଚଳାଇ ଘରକୁ ଯାଉଥିଲେ ।