କଂଗ୍ରେସକୁ ଫେରିବେ ଗୁଲାମ!
ଅମ୍ବିକା ସୋନୀ ସାଜିଛନ୍ତି ମଧ୍ୟସ୍ଥ, ଜାନୁଆରୀ ୨୩ ପୂର୍ବରୁ ସ୍ପଷ୍ଟ ହେବ ଚିତ୍ର
ନୂଆଦିଲ୍ଳୀ (ଏଜେନ୍ସି): ୪ ମାସ ପୂର୍ବେ କଂଗ୍ରେସ ଛାଡି ଚାଲିଯାଇଥିବା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ୍ଙ୍କୁ ପୁଣିଥରେ ଦଳକୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏସମ୍ପର୍କରେ ଏବେ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ସଠିକ୍ ସୂଚନା ମିଳିପାରିନି । ଗୁଲାମ୍ ମଧ୍ୟ ଏହା ଉପରେ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି । ତେବେ ଚର୍ଚ୍ଚା ମୁତାବକ ଗୁଲାମଙ୍କ ଭଳି ବରିଷ୍ଠ ନେତାଙ୍କୁ ଦଳ ଏବେ ଭାରିମାତ୍ରାରେ ଆବଶ୍ୟକ କରୁଛି । ବିଶେଷକରି ଆଗକୁ ୨ଠ୨୪ ସାଧାରଣ ନିର୍ବାଚନ ରହିଥିବା ବେଳେ ଗୁଲାମ୍ଙ୍କ ଘରବାହୁଡ଼ା ଅତି ଜରୁରି ହୋଇପଡିଛି କଂଗ୍ରେସ ପାଇଁ ।
ଦଳରେ ସାଂଗଠନିକ ସଂସ୍କାର, ନିୟମିତ ଆଭ୍ୟନ୍ତରୀଣ ନିର୍ବାଚନ ଆଧାରରେ ନେତାଙ୍କୁ ଦାୟିତ୍ୱ ପ୍ରଦାନ ଭଳି କେତେକ ପ୍ରସଙ୍ଗରେ ବାରମ୍ବାର ଦାବି କରୁଥିଲେ ଗୁଲାମ । କିନ୍ତୁ କଂଗ୍ରେସର ହାଇକମାଣ୍ଡ ଏଥିପ୍ରତି କର୍ଣ୍ଣପାତ କରିନଥିଲେ । ଫଳରେ କଂଗ୍ରେସରେ ଏକ ବିଦ୍ରୋହୀ ଗୋଷ୍ଠୀ ସାମ୍ନାକୁ ଆସିଥିଲା । ଏହାକୁ ଜି-୨୩ କୁହାଗଲା, ଏହାର ନେତୃତ୍ୱ ଗୁଲାମ୍ ନେଇଥିଲେ । ଏଥିପାଇଁ ଦଳରେ ତାଙ୍କୁ କୋଣଠେସା କରାଯିବା ଆରମ୍ଭ କରିଥିଲା । ଏପରିକି ତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ଦଳ ତାଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଇନଥିଲା । ଏହାକୁ ନେଇ ଗୁଲାମ ଅସନ୍ତୁଷ୍ଟ ଥିଲେ । ଏତଦ୍ବ୍ୟତୀତ ଚଳିତବର୍ଷ ଫେବ୍ରୁଆରୀରେ ହୋଇଥିବା ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସକୁ ମିଳିଥିବା ପରାଜୟକୁ ନେଇ ଗୁଲାମ ଦୁଃଖୀ ହୋଇପଡିଥିଲେ । ଫଳରେ ଗତ ଅଗଷ୍ଟ ଶେଷ ଭାଗ ବେଳକୁ ((୨୬ ଅଗଷ୍ଟ) କଂଗ୍ରେସର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଥିଲେ ଗୁଲାମ । ଏଥିସହ ୫୨ ବର୍ଷର କଂଗ୍ରେସ ସହ ସମ୍ପର୍କକୁ ମଧ୍ୟ ସେ ଚ୍ଛିନ୍ନ କରିଥିଲେ ।
ସେହିପରି ଅକ୍ଟୋବରରେ ଡେମୋକ୍ରାଟିକ୍ ଆଜାଦ୍ ପାର୍ଟି ନାମରେ ନିଜର ଏକ ରାଜନୈତିକ ଦଳ ମଧ୍ୟ ଗଠନ କରିଥିଲେ । ଏସମ୍ପର୍କରେ ସେ ବିଧିବଦ୍ଧ ଭାବେ ଘୋଷଣା ମଧ୍ୟ କରିସାରିଛନ୍ତି । ଅନ୍ୟପକ୍ଷେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ଏବେ ଜୋରସୋରରେ ଜାରି ରହିଥିବା ବେଳେ ଆଗାମୀ ଦିନରେ ଜମ୍ମୁ-କାଶ୍ମୀରରେ ମଧ୍ୟ ପହଞ୍ଚôବାକୁ ଯାଉଛି । ସୁତରାଂ ଦଳ ଏବେ ଜମ୍ମୁ କାଶ୍ମୀରରେ ଭାରତ ଯୋଡୋ ଯାତ୍ରା ପହଞ୍ଚôବା ପୂର୍ବରୁ ଗୁଲାମ୍ଙ୍କୁ ଯେକୌଣସି ମତେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରାଇଆଣିବା ପାଇଁ ଚିନ୍ତା କରୁଛି । କଂଗ୍ରେସର ବରିଷ୍ଠ ନେତ୍ରୀ ଅମ୍ବିକା ସୋନୀ ଏବେ ଗୁଲାମ୍ଙ୍କୁ ବୁଝାଇବା ଦାୟିତ୍ୱ ନିର୍ବାହ କରୁଛନ୍ତି । ଅମ୍ବିକା ସୋନୀଙ୍କୁ, ସୋନିଆ ଗାନ୍ଧୀଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ବିବେଚନା କରାଯାଉଥିବା ବେଳେ ସୋନିଆଙ୍କ ନିଦେ୍ର୍ଦଶ କ୍ରମେ ଅମ୍ବିକା, ଗୁଲାମ୍ଙ୍କ ସହ କଥା ହୋଇଥିବା ଅନୁମାନ କରାଯାଉଛି । ଅମ୍ବିକା, ଗୁଲାମ୍ଙ୍କୁ ରାହୁଲ୍ଙ୍କ ସହ ମଧ୍ୟ ଥରେ କଥା ହେବାକୁ ପରାମର୍ଶ ଦେଇଛନ୍ତି । ରାହୁଲଙ୍କ ସହ ଥରେ କଥା ହେଲେ ସବୁକିଛି ଠିକ୍ ହୋଇଯିବ ବୋଲି ଅମ୍ବିକା, ଗୁଲାମ୍ଙ୍କୁ ବୁଝାଇଛନ୍ତି ।
ପ୍ରକାଶ, ଆସନ୍ତା ୨ଠ ଜାନୁଆରୀରେ ଜମ୍ମୁ କାଶ୍ମୀରର ଲଖନପୁରରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ପ୍ରବେଶ କରିବା ନେଇ ଆଶା କରାଯାଉଛି । ଏହାପୂର୍ବରୁ ସବୁକିଛି ଠିକ୍ ହେଇଯାଉ ବୋଲି ଉଭୟ ସୋନିଆ ଏବଂ ରାହୁଲ ଚାହୁଁଥିବା ଦଳୀୟ ସୂତ୍ରରୁ ପ୍ରକାଶ ।