ସରଳତା କିଶୋରଙ୍କ ବଡ଼ ପରିଚୟ
ପୂର୍ବତନ ବାଚସ୍ପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବ୍ରଜରାଜନଗର (ଆପ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ପୂର୍ବତନ ବାଚସ୍ପତି ସ୍ୱର୍ଗତ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ବ୍ରଜରାଜନଗରରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କିଶୋର ବାବୁଙ୍କ ସରଳତା ତାଙ୍କର ବଡ ପରିଚୟ ଥିଲା । ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରି ସେ ସରକାରୀ ମୁଖ୍ୟ ସଚେତକ, ସାଂସଦ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ରାଜ୍ୟ ବିଧାନ ସଭାର ବାଚସ୍ପତି ମଧ୍ୟ ହୋଇଥିଲେ । ବିଜୁ ଜନତା ଦଳର ସେ ଜଣେ ଦକ୍ଷ ସଂଗଠକ ଓ ନେତା ଥିଲେ । ଦଳକୁ ମଜବୁତ କରିବାରେ ତାଙ୍କର ବହୁତ ଅବଦାନ ଥିଲା ।
କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦେଇ କହିଛନ୍ତି ଯେ କିଶୋର ବାବୁଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ଥିଲା । ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବରେ ସେ ଅନେକ ଉନ୍ନୟନମୂଳକ କାମ କରିଯାଇଛନ୍ତି । ବିଧାୟକ ତଥା ସ୍ୱର୍ଗତ ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରକାଶ କରି କହିଛନ୍ତି ଯେ ସ୍ୱର୍ଗତ କିଶୋର ମହାନ୍ତି ବ୍ରଜରାଜନଗର ତଥା ସମଗ୍ର ପଶ୍ଚିମ ଓଡିଶାର ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ଅମର ହୋଇ ରହିବେ ।