ରାତି ୧ଠରୁ ପହୁଡ଼, ୧ଟାରୁ ଦର୍ଶନ
ନୂଆବର୍ଷ ପାଇଁ ପ୍ରଶାସନ ପ୍ରସ୍ତୁତ: କଡ଼ା ସୁରକ୍ଷାରେ ଶ୍ରୀମନ୍ଦିର
ପୁରୀ (ବୁ୍ୟରୋ): ରବିବାର ନୂଆବର୍ଷ । ସେଥିପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରେ ଲୋକାରଣ୍ୟକୁ ଦୃଷ୍ଟିରେ ରଖି ପ୍ରଶାସନ ବି ପ୍ରସ୍ତୁତ । ଯେପରି ଶ୍ରଦ୍ଧାଳୁମାନେ ନୂତନ ବର୍ଷରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସେ ନେଇ ବ୍ୟାପକ ବ୍ୟବସ୍ଥା କରିଛି ପୁଲିସ । ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ଚଳିତବର୍ଷ ପୁଲିସ ପକ୍ଷରୁ ଶ୍ରୀମନ୍ଦିର ସମେତ ସହରରେ ମୁତୟନ ହେବେ ୬୧ ପ୍ଲାଟୁନ୍ ଫୋର୍ସ । ଶ୍ରୀମନ୍ଦିର ଭିତର ଓ ବାହାରେ ପ୍ରାୟ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ସହିତ ସହରରେ ଟ୍ରାଫିକ୍ ସମସ୍ୟାକୁ ତଦାରଖ ପାଇଁ ୧୮ ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ସହିତ ସହରରେ ବିଶୃଙ୍ଖଳାକାରୀଙ୍କ ସାବାଡ଼ କରିବାକୁ ସାଦା ପୋଷାକରେ ମୁତୟନ ହେବେ ପୁଲିସ । ତତ୍ସହିତ ପର୍ଯ୍ୟଟକଙ୍କୁ ବେଳାଭୂମିରେ ବ୍ୟାପକ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଏସ୍ପି କନ୍ୱାର ବିଶାଲ୍ ସିଂହ ସୂଚନା ଦେଇଛନ୍ତି ।
ସେହିପରି ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡରେ ହୋଇଥିବା ବାରିକେଡ୍ ଦେଇ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲା ପରେ ଶ୍ରଦ୍ଧାଳୁମାନେ ଅନ୍ୟ ତିନିଦ୍ୱାର ଦେଇ ବାହାରକୁ ବାହରିବେ । ଯେପରି ଭକ୍ତମାନେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରିବେ ସେ ନେଇ ଶ୍ରୀମନ୍ଦିରରେ ବ୍ୟାପକ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି । ଅନ୍ୟପଟରେ ଉକ୍ତଦିନ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ୧୦ରୁ ୧୨ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବ । ଭକ୍ତଙ୍କ ଦର୍ଶନ ଶୀଘ୍ର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ବୁଝାମଣାରେ ୩୧ ତାରିଖ ରାତି ୧୦ଟାରେ ଶ୍ରୀଜିଉଙ୍କ ପହୁଡ଼ କରାଯିବ । ୧ତାରିଖ ରାତି ୧ଟାରେ ଶ୍ରୀମନ୍ଦିରର ଦ୍ୱାର ଖେଲାଯାଇ ଶ୍ରୀଜିଉଙ୍କ ସଅଳ ନୀତି ସମାପନ କରି ଭକ୍ତଙ୍କୁ ଦର୍ଶନର ବ୍ୟବସ୍ଥା କରାଯାଇଛି । ଯେପରି ଭକ୍ତମାନେ ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରିବେ ସେ ନେଇ ସମସ୍ତ ବ୍ୟବସ୍ଥା ହୋଇଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
ଉକ୍ତ ଦିନ ସହରକୁ ହଜାର ହଜାର ସଂଖ୍ୟାରେ ଗାଡ଼ି ଆସିବାର ସମ୍ଭାବନା ରହିଛି । ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପାର୍କିଂ ବ୍ୟବସ୍ଥା ହୋଇଛି । ସେହିପରି ସମୁଦ୍ରକୂଳକୁ ଯାଉଥିବା ପର୍ଯ୍ୟଟକଙ୍କ ଗାଡ଼ିକୁ ହୋଟେଲ ଅଶୋକ ଓ ଦିଗବାରେଣୀ ଛକ ଠାରେ ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି । ତତ୍ସହିତ ସମୟ ଅନୁସାରେ ଗାଡ଼ିର ସଂଖ୍ୟା ବୃଦ୍ଧି ଦେଖି ଚାରିଚକିଆ ଯାନ ସହରକୁ ନ ଆସି ମାଳତୀପାଟପୁର ଓଭରବ୍ରିଜ୍ ଦେଇ ତାଳବଣିଆରେ ପାର୍କିଂ କରିବାର ବ୍ୟବସ୍ଥା ହୋଇଛି । ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ଦୁଇ ଅତିରିକ୍ତ ଏସ୍ପିଙ୍କୁ ଦାୟିତ୍ୱ ଦିଆଯାଇଛି ।