ସିଆଇବି-ସିବି ତନାଘନା ଜାରି
ରାୟଗଡ଼ା, ୨୯ା୧୨ (ଆପ୍ର): ରାୟଗଡ଼ା ହେଟେଲରେ ୨ରୁଷୀୟ ପର୍ଯ୍ୟଟକ ତଥା ସାଂସଦ ପାଭେଲ ଆନ୍ତୋଭ ଏବଂ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ଅସ୍ୱାଭାବିକ ମୃତୁ୍ୟ ମାମଲାରେ କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ (ସିଆଇବି) ଟିମ୍ ରାୟଗଡ଼ା ଯାଇ ତଦନ୍ତ ଚଳାଇଛି । ଏହା ଆନ୍ତର୍ଜାତିକ ସ୍ତରରେ ଉଦ୍ବେଗ ସୃଷ୍ଟି କରିଥିବାରୁ ତଦନ୍ତ ତ୍ୱରାନ୍ୱିତ କରିବା ଲାଗି କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ମଧ୍ୟ ଆଉ ଏକ ଟିମ୍ ଗଠନ କରାଯାଇଛି ।
ଗୁରୁବାର ସିଆଇବିର ୩ ଜଣିଆ ଟିମ୍ ଏହି ଅଘଟଣ ଘଟିଥିବା ହୋଟେଲ ସାଇ ଇଣ୍ଟରନାସନାଲରେକୁ ଯାଇ ତଦନ୍ତ କରିଛନ୍ତି । ହୋଟେଲରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ କର୍ମ·ରୀଙ୍କୁ ପଚରାଉଚରା କରାଯାଇଛି । ଏହାପରେ ରାୟଗଡ଼ା ଥାନାକୁ ଯାଇ ଏସ୍ଡିପିଓ ଦେବଜ୍ୟୋତି ଦାସ ଓ ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ସହିତ ଆଲୋଚନା କରିଛନ୍ତି ସିଆଇବି ଟିମ୍ । ସେହିପରି ତଦନ୍ତ ଲାଗି ଡିଏସ୍ପି ସରୋଜ ମହାନ୍ତଙ୍କ ନେତୃତ୍ୱରେ ଆଉ ଏକ ୪ ଜଣିଆ ଗଠନ କରାଯାଇଛି । କ୍ରାଇମବ୍ରାଞ୍ଚ ଟିମ୍କୁ ସହଯୋଗ କରିବା ପାଇଁ ୨ ଜଣ ଫୋରେନସିକ୍ ଏକ୍ସପର୍ଟଙ୍କୁ ସାମିଲ କରାଯାଇଛି । ଏହି ଟିମ୍ ରାୟଗଡ଼ା ଯାଇ ତଦନ୍ତ କରିବ ।
ନିରାପତ୍ତା ପାଇଁ ହୋଟେଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୋଲିସ ମୁତୟନ ହୋଇଛନ୍ତି । ମୁଖ ଚିକିତ୍ସାଳୟର ଭିସେରା ସଂରକ୍ଷଣ ଗୃହରେ ପୁଲିସ ମୁତୟନ କରାଯାଇଛି । କିନ୍ତୁ ସାଇ ଇଣ୍ଟରନାସନାଲ ହୋଟେଲରେ ସିସିଟିଭି କ୍ୟାମେରା ମରାମତି ଚାଲିଥିବାରୁ ଘଟଣାର ଫର୍ଦଫାସ ଉପରେ ସନେ୍ଦହ ପ୍ରକାଶ ପାଇଛି ।
ମୃତକଙ୍କ ପରିବାର ସହ ଯୋଗାଯୋଗ କରିବା ପାଇଁ କ୍ରାଇମବ୍ରାଞ୍ଚର ଉଦ୍ୟମ ଜାରି ରହିଛି । ଉଭୟ ମୃତକଙ୍କ ମେଡିକାଲ ରେକର୍ଡ ପାଇବାକୁ ଉଦ୍ୟମ କରାଯାଉଛି । ପାନାସେଙ୍କୋ ନାଟାଲିଆ ଓ ଟୁରୋଭ ମିଖାଇଲଙ୍କ ତଥ୍ୟ ଯାଞ୍ଚ କରିବ ଟିମ୍ । ଦୁହେଁ ତଦନ୍ତରେ ସହଯୋଗ କରୁଥିବା ସୂଚନା ମିଳିଛି । ସମୁଦାୟ ତଦନ୍ତ ପ୍ରକ୍ରିୟା ଉପରେ ନଜର ରଖାଯାଇଥିବା କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଣାଳୟ ।
ଆଣ୍ଟୋଭ ଏବଂ ବିଦାନୋଭ ପୁଟିନ୍ ବିରୋଧୀ ଭାବେ ବେଶ୍ ଜଣାଶୁଣା ଥିଲେ । ଡିସେମ୍ବର ୨୨ରେ ବିଦାନୋଭଙ୍କର ହୃଦଘାତରେ ଏବଂ ୨୪ରେ ହୋଟେଲ୍ ଝରକାରୁ ପଡ଼ି ଆନ୍ତୋଭ ପ୍ରାଣ ହରାଇଥିବା କୁହାଯାଇଥିଲା । ବିଦାନୋଭ୍ଙ୍କର ୨୩ ତାରିଖରେ ଓ ଏହାର ଦିନକ ପରେ ଆନ୍ତୋଭ୍ଙ୍କର ରାୟଗଡ଼ାର ସିରିଗୁଡ଼ା ମଶାଣିରେ ଅନ୍ତିମ ସକ୍ରାର କରାଯାଇଥିଲା । ଉଭୟେ ଖ୍ରୀଷ୍ଟ ଧର୍ମାବଲମ୍ବୀ ହୋଇଥିବାବେଳେ କବର ଦେବା ପରିବର୍ତ୍ତେ ସେମାନଙ୍କୁ ପୋଡ଼ି ଦିଆଯାଇଥିଲା ବୋଲି କୁହାଯାଉଛି । ରାୟଗଡ଼ାରେ ହିଁ ଅନ୍ତିମ ସକ୍ରାର ପାଇଁ ଉଭୟଙ୍କ ପରିବାର ପକ୍ଷରୁ ରୁଷ୍ ଦୂତାବାସ ଜରିଆରେ ସମ୍ମତିପତ୍ର ଦିଆଯାଇଥିଲା ।
ତେବେ ଏ ନେଇ ବହୁ ସନେ୍ଦହ ଉପୁଜିଛି । ଖ୍ରୀଷ୍ଟୀୟ ପରମ୍ପରା ଅନୁସାରେ ମୃତଦେହ କବର ନ ଦେଇ ଦାହ କରିବାକୁ ଅନୁମତି ଦେଇଥିଲେ ସଂପର୍କୀୟ? ଧର୍ମୀୟ ପରମ୍ପରା ଉଲଂଘନ କରାଗଲା କାହିଁକି ? ଏଭଳି ନାନା ପ୍ରଶ୍ନ ଭିତରେ ଭିସେରା ସଂରକ୍ଷଣକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ବିଦାନୋଭଙ୍କ ଭିସେରା ସଂରକ୍ଷିତ ରହିଛି କିନ୍ତୁ ଆନ୍ତୋଭଙ୍କ ଭିସେରାକୁ ସଂରକ୍ଷିତ କରାଯାଇନାହିଁ । ଉଭୟଙ୍କ ମୃତୁ୍ୟକୁ ନେଇ କଂଗ୍ରେସ ନେତା ମନୀଷ ତିିୱାରୀ ଟୁଇଟ୍ କରି ପ୍ରଶ୍ନ ଉଠାଇଛନ୍ତି । ଦୁହେଁ ଖ୍ରୀଷ୍ଟିଆନ ହୋଇଥିବା ସତ୍ତ୍ୱେ ଶବ କବର ଦିଆଗଲାନି କି ରୁଷ୍ ପଠାଇବାକୁ ବି ଉଦ୍ୟମ ହେଲାନି । ଏହା ସନେ୍ଦହଜନକ । ଯଦି ଉଭୟଙ୍କ ମୃତୁ୍ୟ ଅସ୍ୱାଭାବିକ ହୋଇ ନ ଥିବ ତେବେ ମୁୂଁ ଆଇନ ପାଠ ଛାଡ଼ିଦେବି ବୋଲି ଶ୍ରୀ ତିୱାରୀ ଦୃଢ଼ୋକ୍ତି କରିଛନ୍ତି ।