ପରିବାରକୁ ନିଆଁ ପାଣି ବାସନ୍ଦ

ବଲାଙ୍ଗୀର (ଆପ୍ର): ହାଇଟେକ୍ ଯୁଗରେ ଡେଙ୍ଗୁରା ବଜାଇ ଦଣ୍ଡ । ଏକ ପରିବାରକୁ ନିଆଁ ପାଣି ବାସନ୍ଦ । ଏପରିକି ବାସନ୍ଦ ପରିବାର ସହିତ କଥା ହେଉଥିବା ଲୋକଙ୍କୁ ୫ ହଜାର ଟଙ୍କା ଜରିମାନା କରାଯିବ ବୋଲି ଗାଁ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ବଲାଙ୍ଗୀର ସଦର ଥାନା ମିର୍ଦ୍ଧାପାଲି ଗାଁର ସରୋଜ ରାଉତଙ୍କ ପରବାର ବାସନ୍ଦର ଶିକାର ହୋଇଛନ୍ତି । ରାଜନୈତିକ ଆକ୍ରୋଶ ରଖି ସ୍ଥାନୀୟ ସରପଞ୍ଚ ପିଙ୍କୁ ପଟେଲଙ୍କ ନିଦେ୍ର୍ଦଶରେ ରାଉତ ପରିବାରକୁ ଦଣ୍ଡିତ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଲାପାଳ ତଦନ୍ତ ନିଦେ୍ର୍ଦଶ ଦେବା ପରେ ପୁଲିସ ସରପଞ୍ଚଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ସରୋଜଙ୍କ ପରିବାର ଭୟଭୀତ ଅବସ୍ଥାରେ ଥିବାବେଳେ ଧାନଖଳାରେ ଜୀବନ କାଟୁଛନ୍ତି । ଗାଁର କୌଣସି ଲୋକ ତାଙ୍କ ସହ କଥାବାର୍ତ୍ତା କରିବେ ନାହିଁ ଓ ଗାଁ ଦୋକାନରୁ ସେମାନେ ଜିନିଷ କିଣି ପାରିବେ ନାହିଁ ବୋଲି ନିଦେ୍ର୍ଦଶ ଦିଆଯାଇଛି । ଯଦି କେହି ନିଦେ୍ର୍ଦଶ ବେଖାତିର କରିବେ ତେବେ ଗାଁ କମିଟି ନିଷ୍ପତ୍ତି ଅନୁଯାୟୀ ତାଙ୍କୁ ୫ ହଜାର ଏକ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଚୌକିଦାର ସମସ୍ତଙ୍କୁ ବୁଲିବୁଲି ଜଣାଇ ଦେଇଛନ୍ତି ।
ପଞ୍ଚାୟତ ନିର୍ବାଚନ ପରଠୁ ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା । ସରପଞ୍ଚ ପିଙ୍କୁ ପଟେଲଙ୍କ ବିରୋଧୀ ଗୋଷ୍ଠୀରେ ରାଉତ ପରିବାର ରହିଥିଲେ । ଉକ୍ତ ପରିବାରକୁ ପାନେ ଦେବା ଲାଗି ସରପଞ୍ଚ ସୁଯୋଗ ଅପେକ୍ଷା ରହିଥିଲେ । ଗତ ୨୭ ତାରିଖରେ ମିର୍ଦ୍ଧାପାଲ୍ଲୀରେ ହୋଇଥିଲା ଶୁଲିଆ ଯାତ୍ରା । ଭିଡ଼ ଯୋଗୁ ସାଇକେଲ ଓ ବାଇକ୍ ଷ୍ଟାଣ୍ଡ କରାଯାଇଥିଲା । ଗାଁ କମିଟି ନିଷ୍ପତ୍ତିକ୍ରମେ ଗାଁର ମହାକାଳ କ୍ଲବ ଷ୍ଟାଣ୍ଡରୁ ଫି’ ଆଦାୟ ଦାୟିତ୍ୱରେ ଥିଲେ । କିନ୍ତୁ ଆଦାୟ ଟଙ୍କାକୁ ନେଇ ଅଭିଯୋଗ ଆଣିଥିଲେ ସରୋଜ । ଏଥିପାଇଁ କ୍ଲବ ସଦସ୍ୟ ଓ ସରୋଜଙ୍କ ମଧ୍ୟରେ ଦୁଇଥର ବଚସା ହୋଇଥିଲା । ରାତିରେ ଗାଁ କମିଟି ବୈଠକ ବସି ରାଉତ ପରିବାରକୁ ଭୁଲ ମାଗିବା ଲାଗି ନିଦେ୍ର୍ଦଶ ଦିଆଯାଇଥିଲା । ଭୁଲ୍ ନ ମାଗିବାରୁ ବାସନ୍ଦ କରାଯାଇଛି । ରାଉତ ପରିବାର ରାତି ଅଧରେ ଘର ଛାଡ଼ି ଖଳାରେ ଆଶ୍ରୟ ନେଇଛନ୍ତି । ଭୟରେ ପୀଡ଼ିତ ପରିବାର ପୁଲିସ ନିକଟରେ ଅଭିଯୋଗ କରିବା ପାଇଁ ବି ସାହସ କରିପାରି ନାହାନ୍ତି । ପରେ ଜିଲ୍ଲାପାଳ ଚଞ୍ଚଳ ରାଣା ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ବଲାଙ୍ଗୀର ପୁଲିସ ରାଉତ ପରିବାର ସହ ଆଲୋଚନା କରିବା ସହିତ ସରପଞ୍ଚ ପିଙ୍କୁ ପଟେଲ ଓ ଆଉ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *