ଅନୁଗୁଳ ସଂଗ୍ରାମର ଭୂମି

ଭୁବନେଶ୍ୱର, ୨୯ା୧୨ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୁଳ ଜିଲ୍ଲା ଗସ୍ତ କରି ୧୮୦୦ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିରେ ୩୧୩ କୋଟିର ୭୪୬ ପ୍ରକଳ୍ପ ଉଦ୍ଘାଟିତ କରିଥିବାବେଳେ, ୧୪୯୨ କୋଟିର ୭୯୫ ପ୍ରକଳ୍ପ ପାଇଁ ଭିତ୍ତି ରଖାଯାଇଛି । ଏହାସହ ଅନୁଗୁଳରେ ୩୫୦ କୋଟିରେ ୨ ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇସାରିଛି । ଏହାଦ୍ୱାରା ଜିଲ୍ଲାର ୪୮ ପଞ୍ଚାୟତ ଲୋକ ପାନୀୟ ଜଳ ପାଇପାରିବେ ।
ଅନୁଗୁଳକୁ ସେବା ଓ ସଂଗ୍ରାମର ଭୂମି ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଓ ପବିତ୍ର ମୋହନ ପ୍ରଧାନଙ୍କ ପରି ସଂଗ୍ରାମୀ ନେତାଙ୍କ ତ୍ୟାଗ ଓ ସେବାକୁ ସ୍ମରଣ କରିଥିଲେ । ବିକାଶ ଅନୁଗୁଳର ସବୁଠାରୁ ବଡ ପରିଚୟ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଅନୁଗୁଳରେ ଶିଳ୍ପ ପ୍ରତିଷ୍ଠା ସହ ନିଯୁକ୍ତିର ସୁଯୋଗ ବଢୁଛି । ଚଳିତ ମେକ୍-ଇନ୍-ଓଡିଶାରେ ରାଜ୍ୟ ୧୦ ଲକ୍ଷ କୋଟିର ପୁଞ୍ଜି ଆକର୍ଷଣ କରିବାରେ ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ଅନୁଗୁଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଦ୍ୱାରା ଜିଲ୍ଲାର ବିକାଶଧାରା ଆହୁରି ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଅନୁଗୁଳର ମିଶନ ଶକ୍ତି ମା’ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୪୨ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଜିଲ୍ଲାର ୭୩୭୨ ମିଶନ ଶକ୍ତି ଗୋଷ୍ଠୀର ୭୫ ହଜାର ମହିଳା ଏହାଦ୍ୱାରା ଉପକୃତ ହେବେ । ମିଶନ ଶକ୍ତି ତାଙ୍କର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିଦିନ ମିଶନ ଶକ୍ତି ମା ମାନେ ତାଙ୍କୁ ଭେଟୁଛନ୍ତି ଓ ତାଙ୍କ ସଫଳତାର କାହାଣୀ କହୁଛନ୍ତି । ଏହା ତାଙ୍କୁ ଖୁବ ଆନନ୍ଦ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ମା’ଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ଚାହାଁନ୍ତି ବୋଲି ପ୍ରକାଶ କରି ଏଥିପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ ବୋଲି ସେ ଘୋଷଣା କରିଥିଲେ । ଆଗାମୀ ୫ ବର୍ଷରେ ମିଶନ ଶକ୍ତି ମା’ଙ୍କୁ ବିନା ସୁଧରେ ୫୦ ହଜାର କୋଟିର ସହାୟତା ଦିଆଯିବ । କାର୍ଯ୍ୟକ୍ରମରେ ଉପବାଚସ୍ପତି, ଜିଲ୍ଲାର ବିଧାୟକମାନେ ଯୋଗ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ପ୍ରଥମେ ଅନୁଗୁଳ ଷ୍ଟାଡିଅମରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ଏହାପରେ ରେଲୱେ ଷ୍ଟେସନ ଯାଇ ସେଠାରେ ସମ୍ବଲପୁର-ଶାଲିମାର-ସମ୍ବଲପୁର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ସେଠାରେ ଅନୁଗୁଳ ଲୋକେ ସେଡ୍ ସାଇଡିଂର ନୂଆ ଏମ୍ସିଆର୍ଏଲ୍ ରେଲ ଲାଇନ ଉଦ୍ଘାଟନ କରିବା ସହ ଅନୁଗୁଳ-ବଳରାମ ଲିଙ୍କ ଗୁଡ୍ସ ଟ୍ରେନର ଶୁଭାରମ୍ଭ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *