ସଂକ୍ଷିପ୍ତ ତାଲିକାରେ ସୂର୍ଯ୍ୟକୁମାର
ଆଇସିସି ଟି-୨୦ ପ୍ଲେୟାର୍ ଅଫ୍ ଦ ଇଅର ପୁରସ୍କାର
ଦୁବାଇ, ୨୯ା୧୨ (ଏଜେନ୍ସି): ଟିମ୍ ଇଣ୍ଡିଆର ତାରକା ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କୁ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ଟି-୨୦ ପ୍ଲେୟାର୍ ଅଫ୍ ଦ ଇଅର ପୁରସ୍କାର ପାଇଁ ସଂକ୍ଷିପ୍ତ ତାଲିକାରେ ସାମିଲ୍ କରାଯାଇଛି । ଏହାଛଡ଼ା ଆଇପିଏଲ୍ର ମିନି ନିଲାମୀରେ ସବୁଠାରୁ ସବୁଠାରୁ ଦାମୀ ଖେଳାଳି ଇଂଲଣ୍ଡର ସାମ୍ କରନ୍, ପାକିସ୍ତାନର ୱିକେଟ୍କିପର୍-ବ୍ୟାଟର୍ ମହମ୍ମଦ ରିଜୱାନ ଓ ଜିମ୍ବାୱେର ଅଲ୍ରାଉଣ୍ଡର୍ ସିକନ୍ଦର ରାଜା ମଧ୍ୟ ତାଲିକାରେ ସ୍ଥାନ ପାଇଛନ୍ତି ।
ସୂର୍ଯ୍ୟକୁମାର ଚଳିତ ବର୍ଷ ଟି-୨୦ ଆନ୍ତର୍ଜାତିକର ଟପ୍ ସ୍କୋରର୍
ସୂର୍ଯ୍ୟକୁମାର ଚଳିତ ବର୍ଷ ଟି-୨୦ ଆନ୍ତର୍ଜାତିକରେ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ସେ ୩୧ ମ୍ୟାଚ୍ ଖେଳି ୧୮୭.୪୩ ଷ୍ଟ୍ରାଇକ୍ରେଟ୍ରେ ୧୧୬୪ ରନ୍ କରିଛନ୍ତି । ଏଥିରେ ଦୁଇ ଶତକ ଓ ନଅ ଅର୍ଦ୍ଧଶତକ ରହିଛି । ଏହାଛଡ଼ା ସେ ଗୋଟିଏ ବର୍ଷରେ ଏହି ଫର୍ମାଟ୍ରେ ୧୦୦୦ରୁ ଅଧିକ ରନ୍ କରିବାରେ ଦ୍ୱିତୀୟ ବ୍ୟାଟର୍ । ଏହା ପୂର୍ବରୁ ପାକିସ୍ତାନର ରିଜୱାନ ୨୦୨୧ରେ ୨୬ ଇନିଂସ୍ରେ ୧୩୨୬ ରନ୍୍ ସଂଗ୍ରହ କରିଥିଲେ । ସୂର୍ଯ୍ୟକୁମାର ମଧ୍ୟ ୨୦୨୨ରେ ୬୮ ଟି-୨୦ ଛକା ମାରିଛନ୍ତି, ଯାହା ଏହି ଫର୍ମାଟ୍ରେ ଗୋଟିଏ ବର୍ଷରେ ସର୍ବାଧିକ ।
ଗତ ମାସରେ ଅଷ୍ଟ୍ରେଲିଆରେ ଆୟୋଜିତ ଟି-୨୦ ବିଶ୍ୱକପ୍ରେ ସୂର୍ଯ୍ୟକୁମାରଙ୍କ ଷ୍ଟ୍ରାଇକ୍ ରେଟ୍ ସର୍ବାଧିକ ୧୮୯.୯ ଥିଲା । ସେ ଟୁର୍ଣ୍ଣାମେଣ୍ଟରେ ତିନି ଅର୍ଦ୍ଧଶତକ ସହାୟତାରେ ମୋଟ୍ ୨୩୯ ରନ୍ କରିଥିଲେ । ବିଶ୍ୱକପ୍ରେ ସର୍ବାଧିକ ସ୍କୋରର୍ ତାଲିକାରେ ସେ ତୃତୀୟ ସ୍ଥାନରେ ରହିଥିଲେ । ବିରାଟ କୋହଲି ୨୯୬ ରନ୍ କରି ଶୀର୍ଷରେ ରହିଥିଲେ ।
ପୁରସ୍କାର ଦୌଡ଼ରେ ଥିବା ଅନ୍ୟମାନଙ୍କ ମଧ୍ୟରେ ଜିମ୍ବାୱେର ଅଲ୍ରାଉଣ୍ଡର୍ ସିକନ୍ଦର ରାଜା ଚଳିତ ବର୍ଷ ୨୪ ଟି-୨୦ ମ୍ୟାଚ୍ ଖେଳି ୨୫ ୱିକେଟ୍ ନେବା ସହ ୭୩୫ ରନ୍ ସଂଗ୍ରହ କରିଛନ୍ତି । ସେ ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ୨୫ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ଏହାଛଡ଼ା ସେ ବିଶ୍ୱକପ୍ର ଆଠ ମ୍ୟାଚ୍ରେ ୧୪୭.୨୭ ଆଭରେଜ୍ରେ ୨୧୯ ରନ୍ ସଂଗ୍ରହ କରିଥିଲେ ।
ପାକିସ୍ତାନର ୱିକେଟ୍କିପର୍-ବ୍ୟାଟର୍ ମହମ୍ମଦ ରିଜୱାନ ଚଳିତ ବର୍ଷ ୨୫ ଟି-୨୦ ମ୍ୟାଚ୍ ଖେଳି ୧୦ ଅର୍ଦ୍ଧଶତକ ସହାୟତାରେ ୯୯୬ ରନ୍ ସଂଗ୍ରହ କରିଛନ୍ତି । ଏଥିସହିତ ସେ ୱିକେଟ୍ ପଛରେ ନଅ ବ୍ୟାଟର୍ଙ୍କ କ୍ୟାଚ୍ ଧରିଥିବା ବେଳେ ତିନି ଖେଳାଳିଙ୍କୁ ଷ୍ଟମ୍ପ୍ଆଉଟ୍ କରିଥିଲେ । ସେ ଚଳିତ ବର୍ଷ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ରେ ୧୭୫ ରନ୍ କରିଥିଲେ ।
ଇଂଲଣ୍ଡର ଅଲ୍ରାଉଣ୍ଡର୍ ସାମ୍ କରନ୍ ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଖେଳାଳି ଭାବେ ୧୮.୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗ୍ସରେ ସାମିଲ୍ ହୋଇଥିଲେ । ସେ ୨୦୨୨ରେ ୧୯ ମ୍ୟାଚ୍ ଖେଳି ମୋଟ୍ ୨୫ ୱିକେଟ୍ ନେଇଛନ୍ତି । ସେ ଟି-୨୦ ବିଶ୍ୱକପ୍ ୨୦୨୨ରେ ୧୩ ୱିକେଟ୍ ନେବା ସହ ୬୭ ରନ୍ ସଂଗ୍ରହ କରିଥିଲେ । ସେ ଟୁର୍ଣ୍ଣାମେଣ୍ଟର ଟପ୍ ୱିକେଟ୍ ହାସଲକାରୀଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଥିଲେ ।
ଅନ୍ୟପଟେ, ଭାରତର ବାମହାତି ପେସର୍ ଅର୍ଶଦୀପ ସିଂହଙ୍କୁ ବୁଧବାର ଦକ୍ଷିଣ ଆଫ୍ର୍ରିକାର ମାର୍କୋ ଜାନ୍ସେନ୍, ନୁ୍ୟଜିଲାଣ୍ଡର ଫିନ୍ ଆଲେନ୍ ଓ ଆଫଗାନିସ୍ତାନର ଇବ୍ରାହିମ୍ ଜଦରାନ୍ଙ୍କ ସହିତ ଆଇସିସି ଏମର୍ଜିଂ କ୍ରିକେଟର୍ ଅଫ୍ ଦ ଇଅର ପୁରସ୍କାର ପାଇଁ ନୋମିନେଟ୍ କରାଯାଇଛି ।