ୟୁକ୍ରେନ୍ ଉପରେ କ୍ଷେପଣାସ୍ତ୍ର ବର୍ଷା
ଦିନକରେ ୧୨ଠରୁ ଅଧିକ ମିସାଇଲ୍ ମାଡ଼, କିଭ୍ ଛାରଖାର
କିଭ୍/ ମସ୍କୋ (ଏଜେନ୍ସି): ଗୁରୁବାର ୟୁକ୍ରେନ ଉପରେ ପୁଣିଥରେ ଜୋରଦାର ଆକ୍ରମଣ କରିଛି ରୁଷ୍ । ରଏଟର୍ସ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରୁଷ୍ ସେନା ପ୍ରାୟ ୧୨ଠରୁ ଅଧିକ ମିସାଇଲ୍ ଆଟାକ୍ କରିଛନ୍ତି । ଏଥର ୟୁୂକ୍ରେନ୍ ରାଜଧାନୀ କିଭ୍ ସହରକୁ ମୁଖ୍ୟତଃ ଟାର୍ଗେଟ୍ କରିଛନ୍ତି ରୁଷ୍ ସେନା । ସେହିପରି ଜାଇଣ୍ଟାମିର ଏବଂ ଓଡେସାରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି । ପ୍ରକାଶ, ଦିନକ ପୂର୍ବେ ରୁଷ୍ ସେନା ୟୁକ୍ରେନ୍ର ଖେରସନ୍ ସହର ଉପରେ ୩୩ ମିସାଇଲ୍ ଆଟାକ୍ କରିଥିଲା ।
ପ୍ରକାଶ, ରୁଷ୍ ସେନା ଏବେ ପୁଣିଥରେ ୟୁକ୍ରେନ୍ର ସହରଗୁଡ଼ିକୁ ନିୟନ୍ତ୍ରଣରେ ନେବାକୁ ଚେଷ୍ଟା କରୁଛନ୍ତି । ଏହିକ୍ରମେ ଆକ୍ରମଣକୁ ଜୋରଦାର କରାଯାଇଛି । ରୁଷ୍ ସେନା ନିୟମିତ ଭାବେ ତିନି ସେନାବାହିନୀ ଜରିଆରେ ଆକ୍ରମଣ ଜାରି ରଖିଛି । ୟୁକ୍ରେନ୍ ସେନା ମଧ୍ୟ ନିଜ ସାମର୍ଥ୍ୟ ଅନୁସାରେ ରୁଷ୍ ସେନା ଉପରେ ପ୍ରତିଆକ୍ରମଣ ଜାରି ରଖିଛନ୍ତି । ଏହାକୁ ୟୁକ୍ରେନ୍ର ଜିଦ୍ ଦର୍ଶାଇବା ପୂର୍ବକ କେବଳ ଏହି କାରଣରୁ ହିଁ ରୁଷ୍ କ୍ରୋଧାନ୍ୱିତ ହୋଇ ଏପ୍ରକାର ଭୟାବହ ଆକ୍ରମଣ କରୁଥିବା ରୁଷ୍ ବିଦେଶ ମନ୍ତ୍ରୀ ଗତକାଲି କହିଥିଲେ । ସୂଚନାଯୋଗ୍ୟ, ସମ୍ପ୍ରତି ୟୁକ୍ରେନ୍ ସେନା ନିୟନ୍ତ୍ରଣରେ ଥିବା ଡୋନୋଟସ୍କ ପ୍ରାନ୍ତର ପୂର୍ବରେ ଥିବା ବଖମୁତ୍ ଏବଂ ଉତ୍ତରରେ ଲୁହାନସ୍କ ପ୍ରାନ୍ତର ସ୍ୱାତୋଭ ନିକଟରେ ଦୁଇ ସେନା ମଧ୍ୟରେ ଜୋରଦାର ଲଢ଼େଇ ଜାରି ରହିଛି । ଅନ୍ୟପକ୍ଷେ ବେଲାରୁଷ୍ ସୀମାରେ ମୁତୟନ ଥିବା ନିଜ ଯୁଦ୍ଧ ବିମାନଗୁଡ଼ିକୁ ୟୁକ୍ରେନ୍ ସୀମାରେଖାରେ ଉଡାଣ ଭରୁଥିବା ଦେଖିବାକୁ ମିଳୁଛି ।