ଭୁବନେଶ୍ୱର ଷ୍ଟେସନ ହେବ ବିଶ୍ୱସ୍ତରୀୟ

ଭୁବନେଶ୍ୱର, ୨୯ା୧୨ (ବୁ୍ୟରୋ): ଭୁବନେଶ୍ୱର ଷ୍ଟେସନ ହେବ ବିଶ୍ୱସ୍ତରୀୟ । ଏଠାରେ ଜର୍ମାନୀ ଓ ଜାପାନ ଭଳି ଝଲକ ଦେଖିବାକୁ ମିଳିବ । ଏନେଇ ଟେଣ୍ଡର ହୋଇଛି, ଖୁବଶୀଘ୍ର କାମ ଆରମ୍ଭ ହେବ । ଏହି ପ୍ରକଳ୍ପ ଲାଗି ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୩୦୮ କୋଟି । ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଭୁବନେଶ୍ୱର ରେଳ ଷ୍ଟେସନ୍ର ମାଷ୍ଟରକ୍ୟାଣ୍ଟିନ୍ ଓ ୬ ନମ୍ବର ଗେଟ୍କୁ ଅଧିକ ସୁଗମ ସହ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ କରାଯିବ । ପ୍ରତିଦିନ ଦେଢ଼ ଲକ୍ଷ ଯାତ୍ରୀଙ୍କ ଯା’ଆସ ପାଇଁ ବ୍ୟବସ୍ଥା ହେବ । ମାଷ୍ଟରକ୍ୟାଣ୍ଟିନ୍ ପଟ ମୁଖ୍ୟ ପ୍ରବେଶ ପଥରେ ୬ ମହଲା ଓ ୪ ମହଲା ଦୁଇଟି କୋଠା ହେବ । ଫୁଟ୍ ଓଭରବ୍ରିଜ୍, ଲମ୍ବା ଚଉଡ଼ା ପ୍ଲାଟଫର୍ମ ସମେତ ଯେପରି ବିମାନବନ୍ଦରରେ ସୁବିଧା ଥାଏ ସେ ସବୁ ଭୁବନେଶ୍ୱର ରେଳ ଷ୍ଟେସନ୍ରେ କରାଯିବ ।
ରେଳର ବିକାଶ ପାଇଁ ଆଦୌ ରାଜନୀତି ନ ହେଉ । ରାଜନୀତିରୁ ଉଦ୍ଧ୍ୱର୍ ରହି ବିକାଶ ପ୍ରତି ଧ୍ୟାନ ଦିଆଯାଉ । ଅର୍ଥ, ଜମି, ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ହୋଇପାରିବ । କଂଗ୍ରେସ କାଳରେ ବର୍ଷକୁ ୨୦ରୁ ୩୦ କିମି ନୂଆ ଲାଇନ ହେଉଥିଲା । ବର୍ତ୍ତମାନ ବର୍ଷକୁ ୩ ଶହ କିମି ପର୍ଯ୍ୟନ୍ତ ନୂଆ ଲାଇନ ନିର୍ମାଣ ହେଉଛି । ହେଲେ ଜମି ନ ଦେଲେ ନୂଆ ଲାଇନ୍ କିପରି ନିର୍ମାଣ ହେବ? ପୂର୍ବରୁ ଓଡ଼ିଶାକୁ ରେଲୱେ ପାଇଁ ୮ ଶହ କୋଟି ମିଳୁଥିଲା, ଏବେ ୧୦ ହଜାର କୋଟି ମିଳୁଛି । ଓଡ଼ିଶାରେ ୩୬ ଷ୍ଟେସନର ନବୀକରଣ ପାଇଁ ମୋଦି ମଞ୍ଜୁର କରିଛନ୍ତି । ଖୁବ ଶୀଘ୍ର ଭଦ୍ରକକୁ ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ । ଓଡ଼ିଶାରେ ଜଗନ୍ନାଥ ସର୍କିଟ ଟ୍ରେନ୍ ଚାଲିବ । ମୋଦିଙ୍କ ଫୋକସରେ ଓଡ଼ିଶା ଅଛି । ଓଡ଼ିଶାରେ ଯାହା ଦରକାର ତାହା କର ବୋଲି ପ୍ରଧାନମନ୍ତ୍ରୀ ଅର୍ଥ ଦେଇଛନ୍ତି ।
ଭୁବନେଶ୍ୱର ଷ୍ଟେସନ ଭୂମିପୂଜନ ଉତ୍ସବରେ ଯୋଗଦେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବହୁ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏହାକୁ ସ୍ୱପ୍ନ ପୂର୍ତ୍ତି ଦିବସ କହିବା । ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବାର ଦୁଇ ଦିନ ପରେ ସାକ୍ଷାତ କରି ଭୁବନେଶ୍ୱର ଷ୍ଟେସନର ନବକଳେବର ପାଇଁ ଦାବି କରିଥିଲି । ୨୦୨୨-୨୩ରେ ମଞ୍ଜୁରୀ ପରେ ଟେଣ୍ଡର ସରି ୱାର୍କର ଅର୍ଡର ମିଳି ସାରିଛି । କାମ କିପରି କ୍ଷୀପ୍ର ଗତିରେ ହୁଏ ଏହା ତାହାର ପ୍ରମାଣ । ଜଗନ୍ନାଥଙ୍କ ରଥକୁ ଏକା କେହି ଟାଣନ୍ତି ନାହିଁ । ସମସ୍ତେ ମିଶିକି ଟାଣନ୍ତି ବୋଲି ଅପରାଜିତା କହିଛନ୍ତି ।
ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୋଦି ସରକାର ଲାଇଟେନିଂ ସ୍ପିଡରେ କାମ କରୁଛନ୍ତି । ଭଦ୍ରକକୁ ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଉ ବୋଲି ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଦାବି କରିଥିଲେ । ସେ ପ୍ରସ୍ତାବ ଦେବାର ଦେଢ଼ ଘଣ୍ଟା ପରେ ଦାବି ପୂରଣ ହୋଇଛି । ଆଗରୁ ଆମ ଖଣି ଖଦାନରୁ ଦିଲ୍ଲୀ ପୁଞ୍ଜିପତିଙ୍କ ପକେଟ ଭରୁଥିଲା । ଏବେ ଖଣି ନିଲାମ ଟଙ୍କା ରାଜଧାନୀରେ ରହୁଛି । ମାତ୍ର ଏହି ଟଙ୍କା ଆଦିବାସୀ ଓ ଦଳିତଙ୍କ ପାଖକୁ ଯାଉଛି ନା ନାହିଁ ଜଣାନାହିଁ । ବର୍ଷକୁ ୧୫ ହଜାର କୋଟି ମିଳୁଛି । ମୋଦିଙ୍କ ପୂର୍ବରୁ ଶୂନ ଥିଲା । ଶୁଭାରମ୍ଭ ହେବାକୁ ଥିବା ସମ୍ବଲପୁର-ହାୱାଡା ଟ୍ରେନକୁ ମହିମା ଗୋସାଇଁ ନାଁରେ କରିବାକୁ ସେ ନିଜ ଅଭିଭାଷଣରେ ଦାବି କରିବା ସହ ଭୁବନେଶ୍ୱରକୁ ସିଲଭର ସିଟି କରିବାକୁ ଲକ୍ଷ୍ୟ ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୂମି ପୂଜନ କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *