ଶୃଙ୍ଖଳିତ ଦର୍ଶନ ପ୍ରଶାସନ ପାଇଁ ଚାଲେଞ୍ଜ
ଦିନକ ପରେ ନୂଆବର୍ଷ, ଶ୍ରୀକ୍ଷେତ୍ରମୁହାଁ ପର୍ଯ୍ୟଟକ
ପୁରୀ (ବୁ୍ୟରୋ): ଦିନକ ପରେ ନୂଆବର୍ଷ । ଏହି ଦିନର ସୂର୍ଯ୍ୟଦେବତାଙ୍କ ପ୍ରଥମ କିରଣକୁ ଦର୍ଶନ କରିବା ଓ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମନରେ ଉକ୍ରଣ୍ଠା ଲାଗି ରହିଛି । କେତେବେଳେ ସେହି ମୁହୂର୍ତ୍ତ ଆସିବ ସେଥିପାଇଁ ସମସ୍ତଙ୍କ ମନରେ ବ୍ୟାକୁଳ । କାରଣ ନୂଆବର୍ଷ ୨୦୨୩ର ପ୍ରଥମ ଦିନ ମହାପ୍ରଭୁଙ୍କ କ୍ଷେତ୍ରରେ ଅତିବାହିତ ହେଲେ ବର୍ଷସାରା ପ୍ରତ୍ୟେକ ମୁହୂର୍ତ୍ତ ଓ ଦିନ ଖୁସିରେ ଅତିବାହିତ ହୋଇଥାଏ ବୋଲି କଥା ରହିଛି । ସେଥିପାଇଁ ପୁରୀରେ ଥିବା ସମସ୍ତ ହୋଟେଲ ଠାରୁ ଆରମ୍ଭ କରି ଲଜିଂ, ସରକାରୀ ଡାକବଙ୍ଗଳା ଓ ଯାତ୍ରୀନିବାସ ପ୍ୟାକ୍ । ଏପରିକି ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ସମସ୍ତ ରୁମ୍ ବୁକ୍ ରହିଛି । ଫଳରେ ହୋଟେଲ ବ୍ୟବସାୟୀଙ୍କ ମନରେ ଖୁସିର ଲଲହରୀ ଖେଳିଯାଇଛି ।
ଅନ୍ୟପକ୍ଷରେ ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୁଲିସ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଯେପରି ଶ୍ରଦ୍ଧାଳୁମାନେ ସୁବିଧାରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବେ ସେନେଇ ପ୍ରସ୍ତୁତି ଆରମ୍ଭ କରିଛି । ଦିନକ ପରେ ନୂଆବର୍ଷ ଥିବାରୁ ଏବେ ଶ୍ରୀକ୍ଷେତ୍ରମୁହାଁ ପର୍ଯ୍ୟଟକ । ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି । ଏତେ ସଂଖ୍ୟଙ୍କ ଭକ୍ତ ଯେପରି ଶୃଙ୍ଖଳିତ ଦର୍ଶନ କରିବେ ସେ ନେଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁରୁବାର ପୁଲିସ ପକ୍ଷରୁ ବାରିକେଡ୍ରେ ଯାଉଥିବା ଭକ୍ତମାନେ ଶୃଙ୍ଖଳିତ ଭାବେ ଯିବା ଲାଗି ପ୍ରୟାସ କରାଯାଇଛି । ଏପରିକି ଠେଲାପେଲା କି ଦୌଡ଼କୁ ରୋକିବା ଲାଗି ପୁଲିସ କର୍ମଚାରୀ ବାରିକେଡ୍ ପରିସରରେ ନିଜେ ରହି ନିୟନ୍ତ୍ରଣ କରୁଛନ୍ତି । ଶ୍ରୀମନ୍ଦିର ପରିସରରେ ଶ୍ରୀମନ୍ଦିର ପ୍ରଶାସନର ସୁରକ୍ଷା ଦାୟିତ୍ୱ ରହିଥିବାବେଳେ ପ୍ରଶାସନିକ ଅଧିକାରୀଙ୍କ ଦେଖାନାହିଁ । କେବଳ ଜେଟିପିଙ୍କୁ ମୁତୟନ କରି ହାତ ଟେକି ଦେଇ ଚୁପ୍ ବସି ରହିଛି ପ୍ରଶାସନ । ଦର୍ଶନ କରିବାକୁ ଯିବା ସମୟରେ ବାରମ୍ବାର ଅଘଟଣ ଘଟୁଥିଲେ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ଚୁପ୍ । କେବଳ ସବୁ କାର୍ଯ୍ୟ ଠିକଠାକ୍ ଚାଲିଛି ବୋଲି କହି ଚୁପ୍ ବସିଛି । ଏପରିକି ଶ୍ରୀମନ୍ଦିର ପ୍ରଶାସନ ଠାକୁରଙ୍କ ନୀତିକାନ୍ତିକୁ ଠିକ୍ ସମୟରେ ସମାପନ କରିବାରେ ଅସମର୍ଥ । ତାହାକୁ ଦେଖିବାକୁ କେହି ନାହାନ୍ତି ।
ପୁଲିସ ପକ୍ଷରୁ ଶ୍ରୀମନ୍ଦିରରେ ନୂଆବର୍ଷ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ପୁଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯିବ ବୋଲି ଜଣାପଡ଼ିଛି । ଏନେଇ ଏସ୍ପି କନୱାର ବିଶାଲ ସିଂହ ଡିସେମ୍ବର ୩୧ ଓ ଜାନୁ ୟଅରୀ ୧ରେ କିଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ସେ ନେଇ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଶେଷ ଭାବେ ପୁରୀ ସହରର ପ୍ରବେଶପଥ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର, ବେଳାଭୂମି ସମେତ ସହରକୁ କଡ଼ା ସୁରକ୍ଷା ବଳୟ ଭିତରେ ରଖାଯିବ । ନୁଆବର୍ଷରେ ଲକ୍ଷାଧିକ ଭକ୍ତଙ୍କ ଶ୍ରୀମନ୍ଦିରରେ ସମାଗମ ହେବ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପ୍ରଶାସନ ପାଇଁ ବଡ଼ ଚାଲେଞ୍ଜ ହେବ ବୋଲି ଜଣାପଡ଼ିଛି ।