ମହାନଦୀରେ ଆନିକଟ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ
ଜଗତସିଂହପୁର (ଆପ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବବର୍ଷ ନିମନ୍ତେ ଜଗତସିଂହପୁର ଜିଲ୍ଲାବାସୀଙ୍କ ପାଇଁ ବୃହତ୍ତ ଭେଟି ଘୋଷଣା କରିଛନ୍ତି । ଜିଲ୍ଲାର ମଧୁର ଜଳ, ବିଭିନ୍ନ ଚାଷ ପାଇଁ ଜଳର ସମସ୍ୟା ସହିତ ଭୂତଳ ଜଳ ସଂରକ୍ଷଣକୁ ଦୃଷ୍ଟିରେ ରଖି, ୩୪୪.୬୭କୋଟି ଟଙ୍କା ବ୍ୟୟରେ କୁଜଙ୍ଗ ଚୌଧୁରୀଗଡ଼ା ନିକଟ ମହାନଦୀରେ ଆନିକଟ୍ ନିର୍ମାଣ ଲାଗି ବ୍ୟୟବରାଦ କରିଛନ୍ତି । ଏହାସହ ୫ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣା ନିମନ୍ତେ ୩.୪୨କୋଟି ଟଙ୍କା ବ୍ୟୟବରାଦ କରାଯାଇ କ୍ୟାବିନେଟ୍ ମଞ୍ଜୁରୀପ୍ରାପ୍ତ କରାଯାଇଛି ।
ଗୁରୁବାର ଜଗତସିଂହପୁର ଯୋଗଧାରୀ ସ୍ଥିତ ସର୍କିଟ ହାଉସ୍ ଠାରେ ଜିଲ୍ଲା ବିଜେଡି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏଥିରେ ଅଧ୍ୟକ୍ଷତା କରି ପ୍ରକଳ୍ପ ନିର୍ମାଣ ଦ୍ୱାରା ଜିଲ୍ଲା ସମେତ କେନ୍ଦ୍ରପଡା ଜିଲ୍ଲାର ହଜାର ହଜାର ଜନସାଧାରଣ, ଚାଷୀ, ପାରାଦୀପରେ ଥିବା ବିଭିନ୍ନ ଶିଳ୍ପ ଉପକୃତ ହେବେ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ବିଧାୟକ ଶ୍ରୀ ମୁଦୁଲି ଜିଲ୍ଲାବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି । ସମ୍ମିଳନୀରେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଯୋଗ ଦେଇ ପ୍ରକଳ୍ପ ନିର୍ମାଣ ଦ୍ୱାରା ଜିଲ୍ଲାର କୁଜଙ୍ଗ ବ୍ଲକ, ପାରାଦୀପ ପୌରପରିଷଦ ଓ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ, ମହାକାଳପଡା ବ୍ଲକ୍ର ମୋଟ ୮୯ ଗାଁର ଲୋକେ ପାନୀୟଜଳ ସୁବିଧା ପାଇପାରିବେ ବୋଲି କହିଥିଲେ । ଏହାସହ ଆନିକଟ ନିର୍ମାଣ ନିମନ୍ତେ କାହାରିକୁ ବିସ୍ଥାପିତ ହେବାକୁ ପଡିବ ନାହିଁ କି ବନ୍ୟା ସମୟରେ କୌଣସି କ୍ଷତି କରିବ ନାହିଁ ବୋଲି କହିଥିଲେ ।
ସେହିପରି ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ଜିଲ୍ଲାପରିଷଦ ସଭାପତି ମନୋଜ ଭୋଇ, ପାରାଦୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳ, ଜିଲ୍ଲା ବିଜେଡି ଯୁବ ସଭାପତି ତଥା ବାଲିକୁଦା ଏରସମା ବିଧାୟକଙ୍କ ପ୍ରତିନିଧି ସୌମ୍ୟଜିତ୍ ମହାପାତ୍ର, ଜଗତସିଂହପୁର ନଗର ବିଜେଡି ସଭାପତି ପ୍ରିୟବ୍ରତ ମହାପାତ୍ର ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ନବବର୍ଷ ଭେଟିକୁ ଜିଲ୍ଲାବାସୀଙ୍କ ପକ୍ଷରୁ ସ୍ୱାଗତ ଜଣାଇଥିଲେ ।