ବିଭିନ୍ନ ପଞ୍ଚାୟତରେ ଖୋଲିଲା ଧାନମଣ୍ଡି
ତିହିଡି (ଆପ୍ର): ଭଦ୍ରକ ଜିଲ୍ଲା ତିହଡ଼ି ବ୍ଲକ୍ର ବିଭିନ୍ନ ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ଖୋଲାଯାଇଛି । ବ୍ଲକ୍ର ୧୫ଟି ସମବାୟ ସମିତି ଓ ୭ଟି ସ୍ୱୟଂ ସହାୟକ ଗୋଷ୍ଠି ଧାନ କ୍ରୟ କରିବ ବୋଲି ଜଣାପଡ଼ିଛି । ପ୍ରଥମ ପର୍ଯ୍ୟାୟରେ ବୁଧବାର ନରେନ୍ଦ୍ରପୁର, ଅମୃତପୁର, ଜାମଯୋଡ଼ି, ଭାଟପଡ଼ା, ଆରସା ଓ ବିଲଣା ସମିତି ପକ୍ଷରୁ ମଣ୍ଡି ପୂଜନ କରାଯାଇଛି । ଧାନ କ୍ୱିଣ୍ଟାଲ୍ ପିଛା ୨ହଜାର ୪୦ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି । ପଞ୍ଜୀକୃତ ୧୧୨୧ ଜଣ ଚାଷୀଙ୍କ ନିକଟରୁ ଧାନ କ୍ରୟ କରାଯିବ । ଏହି ଅବସରରେ ଭାଟପଡ଼ା ସେବା ସମବାୟ ସମିତିର ଗୋଦମ ଗୃହରେ କଣ୍ଟା ପୂଜା କରାଯାଇଥିଲା । କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ବିଜୟ ମହାପାତ୍ର, ଉପସଭାନେତ୍ରୀ ମମତାମୟୀ ପାଢ଼ୀ, ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକ ସୁଶାନ୍ତ ପୁହାଣ, ନିର୍ଦେଶକ ଗଣେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ନରେନ୍ଦ୍ରପୁର ସମବାୟ ସମିତି ଧାନମଣ୍ଡି ଉଦ୍ଘାଟିତ ହୋଇଥିଲା । ସମିତିର ସଭାପତି କୁଳମଣି ସାମଲ, ସମ୍ପାଦକ ମାୟାଧର ବେହେରାଙ୍କ ସମତେ ଅନ୍ୟମାନେ ଉପସ୍ଥିତ ଥିଲେ । ଜାମଯୋଡ଼ି ସମବାୟ ସମିତିର ସମ୍ପାଦକ ରାଜେନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ମଣ୍ଡି ପୂଜନ ହୋଇଥିଲା । ବ୍ଲକ୍ ନୋଡାଲ ଅଫିସର ଅଭିଳାଷ ରଣା, ସଭାପତି ଅର୍ଜୁନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିଲଣା ସମବାୟ ସମିତିରେ ମଣ୍ଡି ଉଦ୍ଘାଟନୀ ଉତ୍ସବରେ ସମ୍ପାଦକ ଅମରେନ୍ଦ୍ର ନାୟକ, ସଭାପତି ଭାଗିରଥି ମଳିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଅମୃତପୁର ସମବାୟ ସମିତିରେ ସମ୍ପାଦକ ଗୋପିନାଥ ଭୂଆଁଙ୍କ ପୌରୋହିତ୍ୟରେ ମଣ୍ଡି ପୂଜା କରାଯାଇଥିଲା । ସେହିଭଳି ଆରସା ସମବାୟ ସମିତି ପକ୍ଷରୁ ମଣ୍ଡି ଖୋଲାଯାଇଛି । ସଭାପତି ସତ୍ୟବ୍ରତ ନାୟକଙ୍କ ପୌରୋହିତ୍ୟରେ ମଣ୍ଡି ପୂଜାରେ ସରପଞ୍ଚଙ୍କ ପ୍ରତିନିଧି ସୁଧାଂଶୁ ଶେଖର ମହାଳିକ, ଉପସଭାପତି ଦେବଦୁଲାରୀ ଜେନା, ସମ୍ପାଦକ ଅଶୋକ ପଣ୍ଡାଙ୍କ ସମେତ ଅନ୍ରମାନେ ଉପସ୍ଥିତ ଥିଲେ ।