ସୁଖୋଇରୁ ବ୍ରହ୍ମୋସ୍ର ସଫଳ ପରୀକ୍ଷଣ
ମାରକ କ୍ଷମତା ୪ଠଠ କିମି ପର୍ଯ୍ୟନ୍ତ ବୃଦ୍ଧି
ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ବାୟୁସେନା ଗୁରୁବାର ଏକ ସୁଖୋଇ-୩ଠ ଏମ୍କେଆଇ ଯୁଦ୍ଧ ବିମାନରୁ ଆଡଭାନ୍ସଡ୍ ଭର୍ସନ୍ (ସମ୍ପ୍ରସାରିତ ରେଞ୍ଜ୍ ସଂସ୍କରଣ) ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ର ପରୀକ୍ଷଣ କରିଛି । ବଙ୍ଗୋପସାଗର ଉପରେ ହୋଇଥିବା ଏହି ପରୀକ୍ଷଣ ସଫଳ ହୋଇଥିବା ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ର ଏହି ଅପଡେଟେଡ୍ ଭର୍ସନ୍ର ମାରକ କ୍ଷମତା ଅର୍ଥାତ୍ ଟାର୍ଗେଟ୍ ହିଟିଂ କ୍ଷମତା ୪ଠଠ କିମି ରହିଛି । ଅର୍ଥାତ୍ ୪ଠଠ କିମି ପରିସର ମଧ୍ୟରେ ଏହି କ୍ରୁଜ୍ ମିସାଇଲ୍ ସଠିକ୍ ଭାବେ ଟାର୍ଗେଟ୍କୁ ହିଟ୍ କରିବାରେ ସମର୍ଥ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସୂଚନାନୁସାରେ, ବ୍ରହ୍ମୋସ୍ କ୍ରୁଜ୍ ମିସାଇଲ୍ ଆବଶ୍ୟକ ମାନଦଣ୍ଡକୁ ପାଳନ କରିବା ସହ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିବାରେ ସଫଳ ହୋଇଛି । ଏତଦ୍ବ୍ୟତୀତ ଏହି ପରୀକ୍ଷଣ ସହ ସୁଖୋଇ ବିମାନରୁ ବ୍ରହ୍ମୋସ୍କୁ ଉଭୟ ସ୍ଥଳ ତଥା ଜଳଭାଗରେ ଥିବା ଯେକୌଣସି ଟାର୍ଗେଟ୍କୁ ଅତ୍ୟନ୍ତ ସଠିକ୍ ଭାବେ ହିଟ୍ କରିବାର ସାମର୍ଥ୍ୟ ମଧ୍ୟ ପ୍ରମାଣିତ ହୋଇଛି । ସୁଖୋଇ ବିମାନରେ ଖଞ୍ଜାଯିବା ପୂର୍ବକ ଏହି ମିସାଇଲ୍ର ବ୍ୟବହାରିକ କ୍ଷମତା ମଧ୍ୟ ବହୁଗୁଣିତ ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ସଫଳତା ଭାରତୀୟ ବାୟୁସେନାର ରଣନୈତିକ କ୍ଷମତାକୁ ଅନେକାଂଶରେ ବଢ଼ାଇଦେଇଛି ।
ଭାରତୀୟ ବାୟୁସେନା, ନୌସେନା, ପ୍ରତିରକ୍ଷା ଗବେଷଣା ବିଭାଗ (ଡିଆରଡିଓ), ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ଏଚ୍ଏଲ୍) ଏବଂ ବ୍ରହ୍ମୋସ ଏରୋସ୍ପେସ୍ ପକ୍ଷରୁ ମିଳିତ ଉଦ୍ୟମରେ ବ୍ରହ୍ମୋସ୍ର ଏହି ଅପଡେଟେଡ୍ ଭର୍ସନ୍କୁ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ନିର୍ମିତ ହୋଇଥିବା ବ୍ରହ୍ମୋସ୍ ମିସାଇଲ୍ (ଏୟାର ଲଞ୍ଚ୍ ଭର୍ସନ)ର ଏହା ନୂଆ ସଂସ୍କରଣ (ଆଣ୍ଟି ସିପ୍ ଭର୍ସନ) । ବଙ୍ଗୋପସାଗରରେ ଏକ ଡମି ଜାହାଜ୍କୁ ଟାର୍ଗେଟ୍ ଭାବେ ରଖାଯାଇ ଆକାଶ ମାର୍ଗରୁ ସୁଖୋଇ-୩ଠ ଏମ୍କେଆଇ ଯୁଦ୍ଧ ବିମାନ ସହାୟତାରେ ଏହି ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ୍କୁ ନିକ୍ଷେପ କରାଯାଇଥିଲା । ଏହା ସଠିକ୍ ଟାର୍ଗେଟ୍ ପୂର୍ବକ ଉକ୍ତ ଡମି ଜାହାଜର ମଧ୍ୟଭାଗକୁ ହିଟ୍ କରିଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉପରୋକ୍ତ ସମସ୍ତ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି ।