ଜାନୁଆରୀରେ ଚତୁର୍ଥ ଲହର
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚେତାବନୀ
ନୂଆଦିଲ୍ଲୀ, ୨୮ା୧୨: ଚୀନ୍, ଜାପାନ, ଦକ୍ଷିଣ କୋରିଆ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ୁଥିବା ଦୃଷ୍ଟିରୁ ଭାରତ ସରକାର ଆଲର୍ଟ ଜାରି କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଲର୍ଟ ଜାରି ସହ କୁହାଯାଇଛି, ଜାନୁଆରୀ ମଧ୍ୟ ଭାଗରେ ଭାରତରେ କରୋନା ମାମଲା ବଢ଼ିପାରେ । କରୋନାର ପୂର୍ବ ଟ୍ରେଣ୍ଡ୍ ବିଶ୍ଳେଷଣରୁ ସ୍ପଷ୍ଟ ଯେ, କୋଭିଡ୍-୧୯ ପୂର୍ବ ଏସିଆକୁ ଆସିବାର ୩୦-୩୫ ଦିନ ପରେ ଭାରତରେ ନୂଆ ଲହର ଉପୁଜିଥାଏ । ତେଣୁ ଆଗାମୀ ୩୫ରୁ ୪୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ତୃତୀୟ ଲହର ତୁଳନାରେ ଚତୁର୍ଥ ଲହର ଆହୁରି ଦୁର୍ବଳ ରହିବ ଏବଂ ହସ୍ପିଟାଲ୍କୁ କରୋନା ରୋଗୀ ଆସିବା ବିଶେଷ ଆବଶ୍ୟକ ହେବ ନାହିଁ । ତେଣୁ ସଂକ୍ରମଣଜନିତ ମୃତୁ୍ୟ ଆଶଙ୍କା ମଧ୍ୟ ନାହିଁ ।
ଚତୁର୍ଥ ଲହରର ପ୍ରଭାବ ଯେପରି ଅର୍ଥ ବ୍ୟବସ୍ଥା ଉପରେ ନପଡ଼ିବ ସେଥିଲାଗି ସବୁ ମତେ ଉଦ୍ୟମ କରାଯିବ । ଚତୁର୍ଥ ଲହରରେ ମାସ୍କ ସମେତ କୌଣସି କରୋନା ପ୍ରୋଟକଲ୍କୁ ଅନିବାର୍ଯ୍ୟ କରିବା ଉପରେ ଜୋର ଦିଆଯିବ ନାହିଁ । କେବଳ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରି କରୋନା ସହ ଲଢ଼ିବାକୁ ହେବ । କଟକଣା ଜାରି ଉପରେ ଜୋର ଦେଲେ ଆର୍ଥିକ ଗତିବିଧି ପ୍ରଭାବିତ ହେବା ସହ ଅଭିବୃଦ୍ଧି ହାର ଧିମେଇ ଯିବ । ଏହି କାରଣରୁ କରୋନା ପ୍ରଭାବିତ ଦେଶକୁ ବିମାନ ଚଳାଚଳ ନିୟନ୍ତ୍ରିତ କରିବା ଉଦ୍ୟମ ହୋଇନାହିଁ । ଡିସେମ୍ବର ୨୪ରୁ ୨୮ ଭିତରେ ୪୯୮ ଅନ୍ତର୍ରାଷ୍ଟ୍ରୀୟ ଫ୍ଲାଇଟ୍ର ୬ ହଜାର ଯାତ୍ରୀଙ୍କ କରୋନା ଟେଷ୍ଟ କରାଯାଇଛି ସେମାନଙ୍କ ଭିତରୁ ୪୧ ଯାତ୍ରୀ କୋଭିଡ୍ ପଜେଟିଭ୍ ଥିବା ରିପୋର୍ଟ ମିଳିଛି ।
୦ଚୀନ୍ରେ ତାଣ୍ଡବ ରଚିଥିବା ଓମିକ୍ରନ୍ର ସବ୍ ଭାରିଏଣ୍ଟ୍ ବିଏଫ୍.୭ ଜୁଲାଇରୁ ଭାରତରେ ଥିବା ସତ୍ତ୍ୱେ ସଂକ୍ରମଣ ବଢ଼ିନାହିଁ ବୋଲି ଯେଉଁ ତର୍କ ଦିଆଯାଉଛି ତାହାକୁ ଖଣ୍ଡନ କରି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଏହି ଆଧାରରେ କୌଣସି ସିଦ୍ଧାନ୍ତରେ ପହଞ୍ଚôବା ଉଚିତ୍ ନୁହେଁ । ଏବେ ବିଏଫ୍.୭ର ପ୍ରଭାବ ନଥିଲେହେଁ ଜାନୁଆରୀରେ ସଂକ୍ରମଣ ଦ୍ରୁତ ହୋଇପାରେ । ବିଶେଷଜ୍ଞମାନଙ୍କ ମତରେ ଚତୁର୍ଥ ଲହରରେ ଜ୍ୱର ଆଦି କରୋନାର ସାଧାରଣ ଲକ୍ଷଣ ଥିବା ରୋଗୀ ସଂଖ୍ୟା ବଢ଼ିପାରେ । ତେବେ ସେମାନଙ୍କୁ ମାମୁଲି ଓøଷଧରେ ସୁସ୍ଥ କରାଯାଇପାରିବ । ଟିକା ଓ ପୂର୍ବ ସଂକ୍ରମଣ କାରଣରୁ ହାଇବ୍ରିଡ୍ ଇମୁ୍ୟନିଟି ଯୋଗୁ ବିଏଫ୍.୭ ସଂକ୍ରମିତ ରୋଗୀମାନଙ୍କୁ ହସ୍ପିଟାଲ ନେବା ଦରକାର ପଡିବ ନାହିଁ । ଏସବୁ ସତ୍ତ୍ୱେ କେନ୍ଦ୍ର ସରକାର କୌଣସି ରିକ୍ସ ନେବାକୁ ଚାହୁଁନାହାନ୍ତି । ସେଥିପାଇଁ ସବୁ ହସ୍ପିଟାଲ୍ରେ ମକ ଡି୍ରଲ୍ କରାଯାଉଛି ।
ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ୍ କହିଛନ୍ତି ଭାରତରେ ବିଏଫ୍.୭ ଭାରିଏଣ୍ଟ୍ ଯୋଗୁ ଏକ ଛୋଟକାଟର ଲହର ସୃଷ୍ଟି ହୋଇପାରେ ।