ପୁତିନ୍ ସେନାର ୩୩ କ୍ଷେପଣାସ୍ତ୍ର ମାଡ଼
କିଭ୍/ମସ୍କୋ (ଏଜେନ୍ସି): ରୁଷ୍-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟକ୍ରମେ ଥମିବା ବଦଳରେ ଧୀରେ ଧୀରେ ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି । ୟୁକ୍ରେନ୍ ଯୁଦ୍ଧରେ ପରାଜୟ ସ୍ୱୀକାର କରୁନଥିବା ବେଳେ ରୁଷ୍ ମଧ୍ୟ ନିଜ ଅହଂକାର ଛାଡିପାରୁନି । ରୁଷ୍ ସେନା ଏବେ ପୂର୍ବରୁ ଦଖଲ କରିଥିବା ୟୁକ୍ରେନ୍ର ନିର୍ଦ୍ଧାରିତ ସହର ବା ସ୍ଥାନଗୁଡ଼ିକୁ ପୁଣିଥରେ ହାସଲ କରିବା ଦିଗରେ ଲାଗିପଡିଛନ୍ତି ।
ବୁଧବାର ପୂର୍ବାହ୍ନରେ, ରୁଷ୍ ସେନା ପକ୍ଷରୁ ୟୁକ୍ରେନର ଖେରସନ ସହରରେ ପ୍ରାୟ ୩୩ ମିସାଇଲ୍ ଆଟାକ୍ କରାଯାଇଛି । ଏଥିରେ ସହରଟି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ଜାରି କରାଯାଇନାହିଁ । ତେବେ ଖେରସନ୍ରେ ଏବେ କେବଳ ସାଧାରଣ ନାଗରିକ ରହୁଥିବା ବେଳେ ରୁଷ୍ର ଏପ୍ରକାର ଆକ୍ରମଣକୁ ଚାରିଆଡୁ ନିନ୍ଦା କରାଯାଉଛି । ଅନ୍ୟପକ୍ଷେ ୟୁକ୍ରେନ୍ ସଂକଟ ପାଇଁ ଆମେରିକା ଦାୟୀ ବୋଲି ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ । ତାଙ୍କ କହିବାନୁସାରେ ୟୁକ୍ରେନ୍-ରୁଷ୍ ଯୁଦ୍ଧରୁ ଆମେରିକା ଏବଂ ନାଟୋ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଫାଇଦା ନେବାରେ ଲାଗିଛନ୍ତି । ସେମାନେ ଏହି ଯୁଦ୍ଧକୁ ଅଧିକ ଲମ୍ବା ଟାଣିବାକୁ ଚାହୁଁଛନ୍ତି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ରୁଷ୍ ଏବେ ୟୁକ୍ରେନ୍ ସହ ଯୁଦ୍ଧରେ ଅଧିକ ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନ ନିୟୋଜିତ କରିଛି । ଏହି ସୂଚନା ୟୁକ୍ରେନ୍ ସେନା ସୂତ୍ରରୁ ମିଳିଛି । ସେହିପରି ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଡୋନେଟସ୍କ ପ୍ରଦେଶର ବାଖମୁଟ ଏବଂ ଉତ୍ତରରେ ଲୁହାନସ୍କ ପ୍ରଦେଶର ସୌଟୋଭ ନିକଟରେ ଦୁଇପକ୍ଷଙ୍କ ମଧ୍ୟରେ ଯୁଦ୍ଧ ଭୟଙ୍କର ହେବାରେ ଲାଗିଛି । ୭ଠହଜାରରୁ ୮ଠ ହଜାର ଲୋକ ବସବାସ କରୁଥିବା ବାଖମୁଟ ଏବେ ରକ୍ତରଞ୍ଜିତ ହେବା ସହ ଭୂତର ସହର ପାଲଟିଯାଇଛି ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭି. ଜେଲେନ୍ସ୍କି କହିଛନ୍ତି ।