ଭୋଟ୍ ସେୟାର ୪୫ରୁ କମି ୧୯.୫%

ସୋନିଆ-ରାହୁଲଙ୍କ ନେତୃତ୍ୱରେ କଂଗ୍ରେସର ସବୁଠୁ ବଡ଼ ବିପର୍ଯ୍ୟୟ
ନୂଆଦିଲ୍ଲୀ, ୨୮ା୧୨: ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ୧୩୭ ବର୍ଷ ପୂରିଛି । ଦଳ ବୁଧବାର ୧୩୮ତମ ସ୍ଥାପନା ଦିବସ ମନାଇଛି । ୧୮୮୫ ଡିସେମ୍ବର ୨୮ ତାରିଖ ଦିନ ଏଓ ହୁ୍ୟମ୍ କଂଗ୍ରେସର ଭିତ୍ତିସ୍ଥାପନ କରିଥିଲେ । ବ୍ୟେମେଶ ଚନ୍ଦ୍ର ବାନାର୍ଜୀ ହୋଇଥିଲେ ପ୍ରଥମ ଅଧ୍ୟକ୍ଷ । ଦେଶ ସ୍ୱାଧୀନ ହେବା ପରେ ମହାତ୍ମା ଗାନ୍ଧୀ କଂଗ୍ରେସକୁ ଭାଙ୍ଗି ଦିଆଯିବା ଆବଶ୍ୟକ ବୋଲି ମତ ଦେଇଥିଲେ । କିନ୍ତୁ ଦଳୀୟ ନେତାମାନେ ମହାତ୍ମାଙ୍କ ପରାମର୍ଶ ପ୍ରତି ଭୃକ୍ଷେପ କଲେନାହିଁ । ୧୯୫୨ରେ କଂଗ୍ରେସ ପ୍ରଥମ ଥର ନିର୍ବାଚନ ରାଜନୀତିରେ ପାଦ ଦେଲା । ଜବାହରଲାଲ୍ ନେହରୁଙ୍କ ନେତୃତ୍ୱରେ ୧୯୫୨ରେ ଲୋକସଭା ନିର୍ବାଚନ ଲଢି ଦଳ ୪୦୧ରୁ ୩୬୪ ଆସନ ଜିତି ଇତିହାସ ସୃଷ୍ଟି କରିଥିଲା । ପ୍ରଥମ ଲୋକସଭା ନିର୍ବାଚନରେ ଦଳକୁ ମିଳିଥିଲା ୪୫ ପ୍ରତିଶତ ଭୋଟ୍ ଏବଂ ଏହିପରି ଆରମ୍ଭ ହୋଇଥିଲା ନେହରୁ ଯୁଗ । ୧୯୫୭ ସାଧାରଣ ନିର୍ବାଚନରେ ଦଳର ପ୍ରଦର୍ଶନ ଆହୁରି ଭଲ ହୋଇଥିଲା । ୪୦୩ ଆସନରୁ କଂଗ୍ରେସ ୩୭୧ରେ ଜିତିଥିଲା ତା ସହିତ ଭୋଟ୍ ସେୟାର ୨.୮ ପ୍ରତିଶତ ବଢିଥିଲା । ୧୯୬୨ ଓ ୧୯୬୭ ନିର୍ବାଚନରେ ଲୋକସଭା ଆସନ ସଂଖ୍ୟା ବଢିଲା କିନ୍ତୁ କଂଗ୍ରେସର ପ୍ରଦର୍ଶନ ପୂର୍ବ ତୁଳନାରେ ଖରାପ ହେବାକୁ ଲାଗିଲା । ୧୯୬୨ରେ ଦଳ ୪୯୪ ଆସନରୁ ୩୬୧ରେ ଜିତିଲା । ହେଲେ ଭୋଟ୍ ସେୟାର ୪୪.୭ ପ୍ରତିଶତକୁ ହ୍ରାସ ପାଇଲା । ୧୯୬୭ ନିର୍ବାଚନରେ ୫୨୦ ଆସନରୁ କଂଗ୍ରେସ ମାତ୍ର ୨୮୩ରେ ଜିତିଲା । ଭୋଟ୍ ସେୟାର ଥିଲା ୪୦.୮ ପ୍ରତିଶତ । ୧୯୭୧ ନିର୍ବାଚନରେ କଂଗ୍ରେସକୁ ୫୧୮ରୁ ମିଳିଥିଲା ୩୬୨ ଆସନ । ଭୋଟ୍ ସେୟାର ଥିଲା ୪୩.୭ ପ୍ରତିଶତ ।
୧୯୭୭ରେ ଦଳକୁ ଲାଗିଥିଲା ପ୍ରଥମ ଝଟ୍କା । ଜରୁରୀ ପରିସ୍ଥିତି ପରେ ଯେଉଁ ନିର୍ବାଚନ ହେଲା ସେଥିରେ କଂଗ୍ରେସର ବିପୁଳ ବିପର୍ଯ୍ୟୟ ଦେଖିବାକୁ ମିଳିଲା । ଦଳ ମାତ୍ର ୧୫୪ ଆସନ ପାଇ ସରକାର ଗଢିପାରିଲା ନାହିଁ । ସେହିପରି ଭୋଟ୍ ସେୟାର ୩୪.୫ ପ୍ରତିଶତକୁ ଖସିଗଲା । ହେଲେ ୩ ବର୍ଷ ପରେ, ୧୯୮୦ ନିର୍ବାଚନରେ ଦଳ ପୁଣି କ୍ଷମତାକୁ ଫେରିଲା । ସେଥର ୫୪୩ ଆସନରୁ ୩୫୩ରେ ବିଜୟ ହାସଲ କରିବା ସହ ଭୋଟ୍ ସେୟାର ୪୨.୭ ପ୍ରତିଶତକୁ ବଢାଇବାରେ ସକ୍ଷମ ହୋଇଥିଲା ।
ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୪ରେ କଂଗ୍ରେସର ବିପୁଳ ଉତ୍ଥାନ ହୋଇଥିଲା । ଦଳ ୪୧୫ ଆସନ ଜିତିବା ସହ ଭୋଟ୍ ସେୟାରକୁ ୪୮.୧ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚାଇଥିଲା । କିନ୍ତୁ ତା’ପରଠାରୁ ଆରମ୍ଭ ହେଲା ଦୁର୍ଦ୍ଦିନ । କଂଗ୍ରେସ କ୍ଷମତାକୁ ଆସିଲା ସତ, ହେଲେ ଭୋଟ୍ ସେୟାରକୁ ସ୍ଥିର ରଖିପାରିଲା ନାହିଁ । ବିଜେପି ଓ ଆଞ୍ଚଳିକ ଦଳମାନଙ୍କ ଉଦୟ ପରଠୁ କଂଗ୍ରେସର ଭୋଟ୍ ସେୟାର କ୍ରମାଗତ କମିବାକୁ ଲାଗିଲା । ୧୯୮୯ ଲୋକସଭା ନିର୍ବାଚନରେ ଦଳକୁ ମିଳିଥିଲା ୧୯୭ ଆସନ, ୩୯.୫ ପ୍ରତିଶତ ଭୋଟ୍ । ଅବଶ୍ୟ ୧୯୯୧ରେ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିଥିଲା । ୨୪୪ ଆସନ ଓ ୩୬.୪ ପ୍ରତିଶତ ଭୋଟ୍ ପାଇଥିଲା କଂଗ୍ରେସ ।
ସୋନିଆ ଗାନ୍ଧୀ ୧୯୯୮ରେ ଦଳର ନେତୃତ୍ୱ ନେବା ପରଠୁ କଂଗ୍ରେସର ଦୁର୍ଦ୍ଦିନ ଆରମ୍ଭ ହୋଇଛି କହିଲେ ଅତୁ୍ୟକ୍ତି ହେବନାହିଁ । ସେ ବର୍ଷ ସାଧାରଣ ନିର୍ବାଚନରେ ଦଳକୁ ମିଳିଥିଲା ୧୪୧ ସିଟ୍, ଭୋଟ୍ ସେୟାର ଥିଲା ୨୫.୮% । ପୁଣି ୧୯୯୯ ନିର୍ବାଚନରେ ୧୧୪ ଆସନ ଓ ୨୮.୩ ପ୍ରତିଶତ ଭୋଟ୍ ମିଳିଲା । ୨୦୦୪ରେ କଂଗ୍ରେସ ୧୪୫ ଲୋକସଭା ଆସନ ପାଇଥିଲେହେଁ ଭୋଟ୍ ସେୟାର ଆହୁରି କମି ୨୬.୫ ପ୍ରତିଶତରେ ସୀମିତ ରହିଲା । ୨୦୦୯ ନିର୍ବାଚନରେ କଂଗ୍ରେସର ସଂସଦ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଥିଲେହେଁ ଭୋଟ୍ ସେୟାର (୨୮.୬ ପ୍ରତିଶତ)ରେ ବିଶେଷ ଉନ୍ନତି ହେଲା ନାହିଁ ।
୨୦୧୪ରୁ ବସ୍ତୁତଃ କଂଗ୍ରେସର ଦୁର୍ଦ୍ଦିନ ଆରମ୍ଭ ହୋଇଛି । ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନ ମଧ୍ୟରେ ରାହୁଲ ଗାନ୍ଧୀ କିଛିକାଳ ପାଇଁ ଦଳର ଅଧ୍ୟକ୍ଷ ହୋଇଥିଲେ । ୨୦୧୪ରେ ନରେନ୍ଦ୍ର ମୋଦି ଲହର ଏତେ ଶକ୍ତିଶାଳୀ ଥିଲା ଯେ କଂଗ୍ରେସକୁ ମିଳିଥିଲା ମାତ୍ର ୪୪ ଆସନ । ଭୋଟ୍ ସେୟାର ୧୯.୫ ପ୍ରତିଶତକୁ କମିଗଲା । ୨୦୦୯ ତୁଳନାରେ ୨୦୧୪ରେ ଭୋଟ୍ ସେୟାର ୯ ପ୍ରତିଶତରୁ ଅଧିକ ହ୍ରାସ ପାଇଲା । ୨୦୧୯ ନିର୍ବାଚନରେ ମଧ୍ୟ ଏହି ଧାରା ଜାରି ରହିବାରୁ କଂଗ୍ରେସ ୫୨ଟି ଆସନରେ ବିଜୟୀ ହୋଇଥିଲା । ଭୋଟ୍ ସେୟାର ପୂର୍ବବତ୍ ୧୯.୫ ପ୍ରତିଶତକୁ ଟପିପାରିଲା ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *