ହକି ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ କଲା ଜିଲ୍ଲା ପ୍ରଶାସନ
ପୁରୀ/କୋଣାର୍କ/ଗୋପ (ବୁ୍ୟରୋ): ଓଡ଼ିଶା ଆୟୋଜନ କରୁଛି ୨୦୨୩ ହକି ବିଶ୍ୱକପ । ହକିର ପ୍ରଚାର ପ୍ରସାର ଉଦେ୍ଦଶ୍ୟରେ ହକି ବିଶ୍ୱକପ୍ର ଟ୍ରଫି ବିଭିନ୍ନ ରାଜ୍ୟ ଓ ଆମ ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରୁଛି । ମଙ୍ଗଳବାର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହକି ବିଶ୍ୱକପ ଟ୍ରଫିକୁ ଦିଆଯାଇଛି ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା । ସୋମବାର ରାତିରେ ପୁରୀରେ ପହଞ୍ଚିଥିବା ଟ୍ରଫିକୁ ସକାଳ ୭.୩୦ରେ ଭିକ୍ଟୋରିଆ ହୋଟେଲ ସମ୍ମୁଖ ସି’ ବିଚ୍କୁ ଅଣାଯାଇଥିଲା ।
ଏହି ଟ୍ରଫିକୁ ସର୍କିଟ୍ ହାଉସ ଠାରୁ ଆଣିଥିବା ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ ସି’ ବିଚ୍ ଠାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ହସ୍ତାନ୍ତର କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ଆମ ଜାତୀୟ ଖେଳକୁ ବିଶ୍ୱ ଦରବାରରେ ପହଞ୍ଚାଇବା କ୍ଷେତ୍ରରେ ଓଡ଼ିଶା ଏକ ବଡ଼ ଭୂମିକା ନିର୍ବାହ କରୁଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସିଦ୍ଧମହାବୀର ସଙ୍ଗୀତ ପରିଷଦ ପକ୍ଷରୁ ଗୁରୁ ସତ୍ୟପ୍ରିୟ ମହାପାତ୍ରଙ୍କ ସଂଯୋଜନାରେ ସ୍ୱାଗତ ସଙ୍ଗୀତ, ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ ଦେବାଂଶୀ ଦାସଙ୍କ ଦ୍ୱାରା କଣ୍ଠ ସଂଗୀତ, ଗୁରୁ କୁମାର ଭୀମସେନ ଓ ତୁଷାର ଜୈନଙ୍କ ସଂଯୋଜନାରେ ଜୁମ୍ବା ନୃତ୍ୟ, ପଲ୍ଲିଶ୍ରୀ ସୋସିଓ କଲଚରାଲ ସେଣ୍ଟର ପକ୍ଷରୁ ଗୁରୁ ପବିତ୍ର ପରିଡ଼ାଙ୍କ ନେତୃତ୍ୱରେ ସମ୍ବଲପୁରୀ ନୃତ୍ୟ, ଜ୍ଞାନ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ମାଲଖମ୍ବ କ୍ରୀଡ଼ା ପ୍ରଦର୍ଶନ କରାଯାଇଥିଲା । ସେହିପରି ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳାରେ ବିଶ୍ୱକପ ଟ୍ରଫି ପ୍ରଦର୍ଶନ କରିଥିଲେ । ପରେ ପରେ ଟ୍ରଫିକୁ ସିଂହଦ୍ୱାର ନିକଟକୁ ନିଆଯାଇ ଅରୁଣ ସ୍ତମ୍ଭ ନିକଟରେ ପୂଜାର୍ଚ୍ଚନା ଓ ଖଣ୍ଡୁଆ ପାଟ ଅର୍ପଣ କରାଯାଇଥିଲା । ସିଂହଦ୍ୱାର ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ । ପରେ ଟ୍ରଫିକୁ ଜଗନ୍ନାଥ ଷ୍ଟାଡିୟମ, କୋଣାର୍କ ଇକୋ ରିଟ୍ରିଟ୍ ଓ କୋଣାର୍କ ମନ୍ଦିର ନିକଟକୁ ନିଆଯାଇ ଫଟୋ ସୁଟ୍ କରାଯାଇଥିଲା । ପରେ ଟ୍ରଫିକୁ ଗୋପ ନିଗମାନନ୍ଦ ହାଇସ୍କୁଲ, ନିମାପଡ଼ା ବଜାର ଛକ ଓ ଖେଲାର ସ୍ଥିତ ଚିନ୍ତାମଣି ବିଦ୍ୟାପୀଠରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ଜିଲ୍ଲାରୁ ବିଦାୟ ଦିଆଯାଇଥିଲା ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଅତିରିକ୍ତ ଏସ୍ପି ମିହିର ପ୍ରସାଦ ପଣ୍ଡା, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଅତିରିକ୍ତ ପୌରନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଡେପୁଟି କଲେକ୍ଟର ରଞ୍ଜନ ବେହେରା, ରାକେଶ କୁମାର ପଣ୍ଡା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସି’ ବିଚ୍ ଥାନା ଆଇଆଇସି ଚିନ୍ମୟ ରାଉତ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଲୋକ ପ୍ରତିନିଧି, ଅନ୍ୟାନ୍ୟ ଅଧିକାରୀ ଓ ସାଧାରଣ ଲୋକମାନେ ଯୋଗ ଦେଇଥିଲେ ।