ବାର୍ହା ଉପଦ୍ରବ: ବ୍ୟାପକ ଫସଲ ହାନି

ଆସିକା (ଆପ୍ର): ବାର୍ହା ଉପଦ୍ରବ ଯୋଗୁଁ ଆସିକା ଅଞ୍ଚଳର ଶହଶହ ଧାନଚାଷୀ ଓ ଆଖୁ ଚାଷୀଙ୍କ ମୁଣ୍ଡରେ ପୁଣି ଚଡକ ପଡ଼ିଛି । ଗତ କିଛି ଦିନ ହେଲା ଅମଳ ଉପଯୋଗୀ ଧାନ ଓ ଆଖୁ କ୍ଷେତରେ ବାର୍ହା ପଲଙ୍କ ଉପଦ୍ରବରେ ବ୍ୟାପକ ଫସଲ ହାନି ହୋଇଛି । ଆସିକା ବ୍ଲକ୍ ଓ ଏନ୍ଏସି ଅଧୀନ ଅଞ୍ଚଳର ଶହଶହ ଚାଷୀ ଏବେ ପାଚିଲା ଧାନକୁ ଚାଷୀ ଅମଳ କରି ଖଳାକୁ ଆଣିବାକୁ ପ୍ରସ୍ତୁତି କରିବାବେଳେ ବାର୍ହା ପଲଙ୍କ ଉପଦ୍ରବ ଯୋଗୁଁ ତାହା ଉଜୁଡ଼ିଯିବା ସମ୍ଭାବନା ସୃଷ୍ଟି ହୋଇଛି । ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ଲହୁଲୁହ ଏକ କରି କ୍ଷେତରେ ସୁନାର ଫସଲ ଅମଳ ଆଶାରେ ଚାଷୀ କଠିନ ପରିଶ୍ରମ କରିଥିଲେ । ସଞ୍ଜ ନଇଁବା ମାତ୍ରେ ଧାନ ଓ ଆଖୁ କ୍ଷେତରେ ବାର୍ହା ପଲ ପଶି ଦଳିଚକଟି ଫସଲ ନଷ୍ଟ କରୁଛନ୍ତି । ଯେତିକି ଖାଉନାହାନ୍ତି ତାହାଠାରୁ ଅଧିକ ନଷ୍ଟ କରୁଛନ୍ତି । କ୍ଷତି ଆଶଙ୍କାରେ ଚାଷୀଙ୍କ ନିଦ ହଜିଯାଇଛି । ଗଞ୍ଜାମ ଜିଲ୍ଲାର ୧୬ ବ୍ଲକ୍ ପରିସରଭୁକ୍ତ ଅଞ୍ଚଳରେ ୪ ହଜାର ୯ ଏକର ଜମିରେ ଆସିକା ସମବାୟ ଚିନିଶିଳ୍ପ ଆଖୁଚାଷ କରିଥିଲା ବେଳେ ବାର୍ହା ଉପଦ୍ରବ ଯୋଗୁଁ ବିଭିନ୍ନ ଅଞ୍ଚଳରେ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଆସିକା ବ୍ଲକ୍ ପରିସରଭୁକ୍ତ ଅଞ୍ଚଳରେ ୮ହଜାର ୨ଶହ ହେକ୍ଟର ଜମିରେ ଧାନ ଫସଲ ହୋଇଥିଲା ବେଳେ ଜଙ୍ଗଲୀ ବାର୍ହାଙ୍କ ଉପଦ୍ରବ ଯୋଗୁଁ ଚାଷୀର ଧାନ ଫସଲ ନଷ୍ଟ ହେବାରେ ଲାଗିଛି । ଫସଲକୁ ସୁରକ୍ଷା ଦେବା ଦିଗରେ ପ୍ରଶାସନ ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧାନ, ଆଖୁ ଓ ପରିବା କ୍ଷେତରୁ ବାର୍ହା ପଲଙ୍କୁ ଘଉଡ଼ାଇବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ସାଙ୍ଗକୁ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଚାଷୀ ସଂଘ ନେତା ରାଘବ ସିୟ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *