ବସ୍ତା ତଳେ ଚାପିହୋଇ ବାପ-ପୁଅ ମୃତ
ବଡ଼ଘାଟିରେ ସିରିଜ ଦୁର୍ଘଟଣା: ଓଲଟିଲା ତମାଖୁ ବୋଝେଇ ଟ୍ରକ
ଖଲ୍ଲିକୋଟ, ୨୭ା୧୨ (ଆପ୍ର): ଖଲ୍ଲିକୋଟ ଥାନାଠାରୁ କିଛି ଦୂରରେ ଥିବା ବଡ଼ ଘାଟିରେ ମଙ୍ଗଳବାର ସକାଳେ ସିରିଜ୍ ଦୁର୍ଘଟଣା ଘଟି ବାପ-ପୁଅଙ୍କ ମୃତୁ୍ୟ ଘଟିଛି ଏବଂ ୨ ଜଣ ଡ୍ରାଇଭର୍ ଓ ଜଣେ ହେଲ୍ପର୍ ଆହତ ହୋଇଛନ୍ତି । ଘନ କୁହୁଡି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ରୁ ବିଛାଡ଼ି ହୋଇପଡ଼ିଥିବା ତମାଖୁ ବସ୍ତା ତଳେ ଦୀର୍ଘ ସମୟ ଚାପି ହୋଇ ରହିବାରୁ ଉଭୟଙ୍କ ମୃତୁ୍ୟ ଘଟିଥିବା ଜଣାପଡ଼ିଛି । ସେହି ସ୍ଥାନରେ ଆଉ ଏକ ଟ୍ରକ୍ ବ୍ରେକ୍ ଫେଲ ହୋଇ ଏକ କାର୍ ଓ ଏକ ଅଟୋକୁ ଧକ୍କା ଦେଇ ଓଲଟି ପଡ଼ିଛି ।
ଜାତୀୟ ରାଜପଥରେ ଏକ ବୁଲେଟ୍ ବୋଝେଇ କଣ୍ଟେନର ଓଲଟି ପଡିବାରୁ ବ୍ରହ୍ମପୁର-ଭୁବନେଶ୍ୱର ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଫଳରେ ବ୍ରହ୍ମପୁର ପଟୁ ଆସୁଥିବା ଗାଡ଼ିଗୁଡିକୁ ବଡ଼ ଘାଟି ରାସ୍ତାରୁ ଖଲ୍ଲିକୋଟ-କେଶପୁର ଦେଇ ଭୁବନେଶ୍ୱର ଦିଗରେ ଛଡ଼ା ଯାଉଥିଲା । କର୍ଣ୍ଣାଟକରୁ ତମାଖୁ ବୋଝେଇ କରି ପଶ୍ଚିମବଙ୍ଗ ଯାଉଥିବା ଏକ ଟ୍ରକ (ଏପି-୩୯ ୟୁ ୪୬୭୯) ସକାଳ ୭ଟାରେ ବଡ଼ ଘାଟି ରାସ୍ତାରୁ ଖଲ୍ଲିକୋଟ ରାସ୍ତାକୁ ଆସୁଥିବା ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସେହି ସମୟରେ କୋଦଳା ଥାନା ସମା ଗ୍ରାମର ବାବୁଲା ପ୍ରଧାନ(୫୨) ଓ ତାଙ୍କ ପୁଅ ରାକେଶ (୨୬) ଏକ ପଲସର୍ରେ (ଓଡି- ୦୭ ଏଜେ ୨୯୯୭) ଖଲ୍ଲିକୋଟ ଦେଇ ଭେଜିପୁଟ ଯାଉଥିଲେ । ଦୁହିଁଙ୍କ ଉପରେ ତମାଖୁ ବସ୍ତାଗୁଡ଼ିକ ଲଦି ହୋଇପଡ଼ିଥିଲା ଏବଂ ଏ ସଂପର୍କରେ କେହି ଜାଣି ପାରି ନ ଥିଲେ । ଟ୍ରକ୍ ଡ୍ରାଇଭର ଖଦାର ଅଲ୍ଲୀ ଓ ହେଲପର ରମେଶଙ୍କୁ ଆହତ ଅବସ୍ଥାରେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଖବର ପାଲ୍ପୁଲିସ ପହଞ୍ଚି ଥିଲେ ବି ଅଧିକ ଯାଂଞ୍ଚ ପାଇଁ ତତ୍ପରତା ଦେଖାଇ ନ ଥିଲା । ତମାଖୁ ନେଉଥିବା ବ୍ୟବସାୟୀ ଦିନ ପ୍ରାୟ ଗୋଟାଏ ସମୟରେ ଶ୍ରମିକଙ୍କୁ ଲଗାଇ ତମାଖୁ ବସ୍ତାଗୁଡିକ ବାହାର କରିବା ସମୟରେ ବାଇକ୍ ଦେଖିଥିଲେ । ଏହାପରେ ରାକେଶଙ୍କ ମୃତଦେହ ଉଦ୍ଧାର କରରାଯାଇ ଖଲ୍ଲିକୋଟ ମେଡିକାଲକୁ ପଠାଯାଇଥିଲା । ଖବର ପାଇ ଗାଁରୁ ପରିବାର ଲୋକେ ମେଡିକାଲରେ ପହଞ୍ଚି ଥିଲେ । ବାପ-ପୁଅ ବାଇକ୍ରେ ଗାଁରୁ ବାହାରି ଥିବା ଜଣାପଡିଥିଲା । ସବୁ ବସ୍ତା ବାହାର କରାଯିବାରୁ ଅପରାହ୍ର ୪ ଟାରେ ବାବୁଲାଙ୍କ ଶବ ଉଦ୍ଧାର କରାଯାଇଥିଲା । ଦୁହେଁ ଭେଜିପୁଟକୁ ମିସ୍ତ୍ରୀ କାମ କରିବା ପାଇଁ ଯାଉଥିଲେ । ବାବୁଲାଙ୍କ ପତ୍ନୀ ଓ ୨ଇ ଅବିବାହିତ ଝିଅ ଥିବା ଜଣାପଡିଛି ।
ତମାଖୁ ବୋଝେଇ ଟ୍ରକ ଓଲଟିବାର ପ୍ରାୟ ଏକ ଘଣ୍ଟା ପରେ ସେହି ସ୍ଥାନରେ ଆଉ ଏକ ଟ୍ରକ ଓଲଟି ପଡିଥିଲା । ଚେନ୍ନାଇରୁ ଷ୍ଟିଲ୍ ସାମଗ୍ରୀ ବୋଝେଇ କରି ଯାଜପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ( ସିଜି ୦୪ ଏମ୍ ଏଚ ୦୧୬୬) ଠିକ ସେହି ସ୍ଥାନରେ ବ୍ରେକ ଫେଲ ହୋଇ ଏକ ଇଣ୍ଡିଗୋ କାର ( ଓଡ଼ି ୦୨ ବିୟୁ ୮୭୮୬) ଏବଂ ଏକ ଅଟୋକୁ ଧକ୍କା ଦେଇ ପଲଟି ଯାଇଥିଲା । ଫଳରେ ଡ୍ରାଇଭର ପ୍ରଦୀପ କୁମାର ଆହତ ହୋଇ ଖଲ୍ଲିକୋଟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।