ଯନ୍ତ୍ରୀ ପରିବର୍ତ୍ତେ ତଦାରଖ କରୁଛନ୍ତି ଖଲାସୀ
ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ନିମ୍ନମାନର
ରଘୁନାଥପୁର (ଆପ୍ର): ଫକୀରପଡା ପୂର୍ତ୍ତବିଭାଗର ଉପନିର୍ବାହୀ ଯନ୍ତ୍ରୀଙ୍କ ଅଧୀନ ରଘୁନାଥପୁର ବ୍ଲକ୍ର ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ ନିମ୍ନମାନର ହେଉଥିବାର ଅଭିଯୋଗ ହେଉଛି । ରାଜ୍ୟର ଅଧିକାଂଶ ଛାତ୍ରଛାତ୍ରୀ ଘରୋଇ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଥିବାରୁ ଏହାକୁ ଲକ୍ଷ କରି କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ରାଜ୍ୟର ସମସ୍ତ ବ୍ଲକ୍ରେ କୋଟି କୋଟି ଟଙ୍କା ବ୍ୟୟରେ ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ଉନ୍ନତ ଶିକ୍ଷାର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । କିନ୍ତୁ କେତେକ ଦୁର୍ନୀତିଗ୍ରସ୍ତ କର୍ମଚାରୀମାନେ ଏହି କାର୍ଯ୍ୟ ନିମ୍ନମାନର କରାଇ ଲକ୍ଷାଧିକ ଟଙ୍କା ହାତଗୁଞ୍ଜା ନେଇ ବସୁଛନ୍ତି । ଏହାର ଜ୍ୱଳନ୍ତ ଉଦ୍ଦାହରଣ ରଘୁନାଥପୁର ବ୍ଲକ୍ କୋରକରା ଠାରେ ନିର୍ମାଣାଧୀନ ଆଦର୍ଶ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟର କଂକ୍ରିଟ୍ ପିଲର୍ର ପାଇଲିଂ ସାଢ଼େ ୭ ମିଟରରୁ ଊଦ୍ଧ୍ୱର୍ ଥିବା ବେଳେ ଏହାକୁ ଠିକାଦାର ୪ମିଟରରେ ସୀମିତ ରଖିବା, ବିନା ମୃତ୍ତିକା ପରୀକ୍ଷଣରେ କାର୍ଯ୍ୟ କରିବା, ଅତି ନିମ୍ନମାନର ସିମେଣ୍ଟ ବ୍ୟବହାର କରିବା, ବିଦ୍ୟାଳୟର ଚତୁଃପାଶ୍ୱର୍ ପାଚେରି ପିଲାର୍ କମ୍ ଗଭୀରରୁ ଉଠାଇବା ଯୋଗୁ ବିଦ୍ୟାଳୟ ଗୃହ, ଛାତ୍ରାବାସ ଓ ପାଚେରୀର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ ।
ବିଦ୍ୟାଳୟଟି ଏକ ନିକାଞ୍ଚନ ସ୍ଥାନରେ ହେଉଥିବାରୁ ଉପନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ କାର୍ଯ୍ୟସ୍ଥଳକୁ ନ ଆସି ଖଲାସୀଙ୍କୁ କାର୍ଯ୍ୟ ତଦାରଖ ଭାର ଦେଇଛନ୍ତି । ୧୦କୋଟିରୁ ଊଦ୍ଧ୍ୱର୍ ଟଙ୍କାର କାର୍ଯ୍ୟଭାର ଜଣେ ଅନଭିଜ୍ଞଙ୍କ ଉପରେ ଦିଆଗଲେ ତାହା କିପରି କାର୍ଯ୍ୟ ହେଉଥିବାରୁ ଏଥିରୁ ସ୍ପଷ୍ଟ ଅନୁମେୟ । ଉକ୍ତ ସ୍ଥାନରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଫଳରେ ବିଦ୍ୟାଳୟର ଚର୍ତୁପାଶ୍ୱର୍ରେ ଥିବା ଅଞ୍ଚଳର ଚାଷୀମାନଙ୍କ ଶହ ଶହ ହେକ୍ଟର ଚାଷଜମିକୁ ଚାଷୀ ଓ ଚାଷ ବ୍ୟବହୃତ ସାମଗ୍ରୀ ନେବା ଆଣିବା ଓ ଜଳସେଚନରେ ଘୋର ବ୍ୟାଘାତ ସୃଷ୍ଟି ହେବାରୁ ଚାଷୀମାନେ ରଘୁନାଥପୁର ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଏହି ବିଦ୍ୟାଳୟର ନିମ୍ନମାନର କାର୍ଯ୍ୟକୁ ଭିଜିଲାନ୍ସସ୍ତରୀୟ ତଦନ୍ତ କରାଇବା ପାଇଁ ଅଞ୍ଚଳ ପକ୍ଷରୁ ଦାବି ହେଉଛି ।