ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ
ହୋଟେଲ ମାଲିକ, ବ୍ୟବସାୟୀ ଓ ପର୍ଯ୍ୟଟକଙ୍କୁ ସଂକ୍ରମଣ ଚିନ୍ତା
ପୁରୀ (ବୁ୍ୟରୋ): ଆଗକୁ ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଓ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଛି ଶ୍ରୀକ୍ଷେତ୍ର । ଏଥିପାଇଁ ସହର ମଧ୍ୟରେ ଥିବା ସମସ୍ତ ହୋଟେଲ୍, ଲଜ୍, ରେସ୍ତୋରାଁ ଓ ହଲିଡେ୍ ହୋମଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି । ଏପରିକି ହୋଟେଲରେ ଆଉ ରୁମ୍ ମିଳୁନାହିଁ । ଅନେକ ପର୍ଯ୍ୟଟକ ଏବେ ଠାରୁ ଆସି ପୁରୀରେ ପହଞ୍ଚିଥିଲେ ସୁଦ୍ଧା ସେମାନେ ହୋଟେଲ କିମ୍ବା ଲଜ୍ ପାଇପାରୁ ନାହାନ୍ତି । ଶ୍ରୀକ୍ଷେତ୍ର ଗତ କିଛିଦିନ ହେବ ଲୋକାରଣ୍ୟ ହୋଇପଡ଼ିଛି । ମହାପ୍ରଭୁଙ୍କୁ ଦର୍ଶନ ଲାଗି ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି । ଏହାରି ମଧ୍ୟରେ ଜିରୋନାଇଟ୍ ସେଲିବ୍ରେସନ୍କୁ ଅପେକ୍ଷା । ୩୧ତାରିଖ ରାତି ୧୨ଟାରେ ମନାଇବେ ଜିରୋନାଇଟ୍ । ମଉଜ, ମସ୍ତିରେ ସ୍ୱାଗତ କରିବେ ୨ଠ୨୩କୁ । ମାତ୍ରାଧିକ ପର୍ଯ୍ୟଟକ ଓ ଭକ୍ତଙ୍କ ଭିଡ଼କୁ ଦେଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି ।
ଗତ ଦୁଇବର୍ଷ ମହମାରୀ କରୋନାର ପ୍ରକୋପ ଯୋଗୁଁ ଜିରୋନାଇଟ୍ ସେଲିବ୍ରେସନରେ ଲାଗିଥିଲା କଟକଣା । ଏପରିକି ହୋଟେଲ ମାଲିକ ଓ ବ୍ୟବସାୟୀ ହାତବାନ୍ଧି ବସିଥିଲେ । ଚଳିତବର୍ଷ ଦୁଇବର୍ଷର କ୍ଷତିକୁ ଗୋଟିଏ ବର୍ଷରେ ଉପାର୍ଜନ କରିବା ଲାଗି ପ୍ରସ୍ତୁତ ହୋଇପଡ଼ିଛନ୍ତି ହୋଟେଲ ମାଲିକ ଓ ବ୍ୟବସାୟୀ । ଏବେ ମଧ୍ୟ ହୋଟେଲ ବ୍ୟବସାୟ ଓ ଅନ୍ୟ ବ୍ୟବସାୟ ଜୋର୍ଦାର ଚାଲିଛି । ଏହାକୁ ନେଇ ସମସ୍ତ ବ୍ୟବସାୟ ଅନୁଷ୍ଠାନ ଖୁସି ରହିଥିବା ବେଳେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ ପରେ ଏବେ ହୋଟେଲ ମାଲିକ ଓ ବ୍ୟବସାୟୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ସେହିଭଳି ପୁରୀରେ ନୂଆ ବର୍ଷ ପାଳନ କରିବା ଲାଗି ହୋଟେଲ ବୁକିଂ କରିଥିବା ପର୍ଯ୍ୟଟକମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । କେତେବେଳେ କେଉଁ ସମୟରେ ସରକାର କେଉଁ ନିୟମ ଘୋଷଣା କରିବେ ଓ ସେମାନେ ସେମାନଙ୍କ ରାଜ୍ୟକୁ ଫେରିବାରେ ବାଧକ ସୃଷ୍ଟି ହେବ ତାହାକୁ ନେଇ ଚିନ୍ତାରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ । ବ୍ୟବସାୟକୁ ଲକ୍ଷ୍ୟରେ ରଖି ହୋଟେଲିୟରମାନେ ସେମାନଙ୍କ ହୋଟେଲକୁ ବିଭିନ୍ନ ଆଲୋକମାଳାରେ ସୁସଜ୍ଜିତ କରିଥିବା ବେଳେ କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ହୋଟେଲ୍ ମାଲିକ ଓ ବ୍ୟବସାୟୀ । ଲଗାତାର ଦୁଇବର୍ଷ ପରେ ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଉଠାଦୋକାନୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀମାନେ ନୂଆବର୍ଷରେ ଭଲ ବ୍ୟବସାୟ କରିବାକୁ ଆଶା ରଖିଥିଲେ । ଏବେ ସଂକ୍ରମଣ ଆଶଙ୍କା ଦେଖି ସମସ୍ତେ ହଡ଼ବଡ଼େଇ ଯାଇଛନ୍ତି ।
ଏହାରି ମଧ୍ୟରେ ହୋଟେଲିୟର ଶ୍ରୀମନ୍ତ କୁମାର ଦାଶ କୁହନ୍ତି, କରୋନା ଲାଗି ଗତ ଦୁଇବର୍ଷ ଧରି ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ଏପରିକି କର୍ମଚାରୀଙ୍କୁ ଦରମା ଦେବା ମଧ୍ୟ ସମ୍ଭବ ହୋଇପାରି ନ ଥିଲା । ତତ୍ସହିତ ନିଜର ପରିବାର ପ୍ରତିପୋଷଣରେ ବାଧା ସୃଷ୍ଟି ହୋଇଥିଲା । ଚଳିତବର୍ଷ ନୂଆବର୍ଷରେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଥିଲୁ । ଏବେ ସଂକ୍ରମଣ ଆରମ୍ଭ ହେବା ଖବର ମିଳିବା ପରେ ହୋଟେଲ ରହୁଥିବା ବାହାର ରାଜ୍ୟ ଓ ଦେଶର ପର୍ଯ୍ୟଟକ ନୂଆବର୍ଷ ପୂର୍ବରୁ ପୁରୀ ଛାଡ଼ିବାକୁ ଚିନ୍ତା କରୁଛନ୍ତି । ଫଳରେ ବ୍ୟବସାୟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ । କେବଳ ଯେ ହୋଟେଲ ଶିଳ୍ପ ନୁହେଁ ସବୁବର୍ଗର ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ମତବ୍ୟକ୍ତ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *