୩ ମାସରେ ସରିବ ପରିକ୍ରମା ପ୍ରକଳ୍ପ
ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ସଚିବ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ବିଶ୍ୱଐତିହ୍ୟ ନଗରୀ । ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋର୍ଦାର ପ୍ରସ୍ତୁତି ଜାରି ରହିଛି । ଏପରିକି ପୁରୀରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଶୀଘ୍ର ଶେଷ କରାଯିବ । ସେ ନେଇ ବୁଧବାର ପୁରୀ ଗସ୍ତରେ ଆସିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଶ୍ରୀ ମହାପାତ୍ର ପହଞ୍ଚିଲା ପରେ ତାଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ସ୍ୱାଗତ କରିଥିଲେ । ପରେ ପରେ ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ, ଶ୍ରୀସେତୁ, ବୃନ୍ଦାବତୀ ନିବାସ, ଦୁଇ ମାର୍କେଟ କମ୍ପ୍ଲେକ୍ସ, ଭକ୍ତନିବାସ, ଜଗନ୍ନାଥ ବଲ୍ଲଭ ଗାଡ଼ି ବହୁତଳ ପାର୍କିଂସ୍ଥଳ, ମୂଷାନଦୀ, ଜଗନ୍ନାଥ ଷ୍ଟାଡିୟମ ଓ ୫ଟି ପୁଷ୍କରିଣୀକୁ ଯାଇ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଯେଭଳି ଭାବେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହେବ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ବିମାନବନ୍ଦର ଲାଗି ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ପାଚେରି ନିର୍ମାଣ ଜାରି ରହିଛି । ଏହି ପ୍ରକଳ୍ପ କାର୍ଯ୍ୟ ଆସନ୍ତା ଦୁଇବର୍ଷ ମଧ୍ୟରେ ଶେଷହେବ । ସେହିଭଳି କୋଣାର୍କ, ରାମଚଣ୍ଡୀ ସମେତ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀର ବିକାଶ ହେବ ବୋଲି ସୂଚନା ଦେଇଛନ୍ତି । ବିଶେଷ ଭାବେ ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ଯଥାଶୀଘ୍ର ଶେଷ କରିବା ଲାଗି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ୍ ହାଉସ୍ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଭିନ୍ନ ଅଧିକାରୀଙ୍କ ସହ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ । ଆଲୋଚନା ଶେଷ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆସନ୍ତା ତିନି ମାସ ମଧ୍ୟରେ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି ।
ସେହିଭଳି ଶ୍ରୀସେତୁ କାର୍ଯ୍ୟ ୬ମାସ ମଧ୍ୟରେ ସରିବ । ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକୁ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କ ସହ ଠିକାଦାରଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ବୈଠକରେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତରଣ ସାହୁ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ରାଜେଶ କୁମାର ପଣ୍ଡା, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଜିତ୍ କୁମାର ମହାପାତ୍ର, ସିଡିଏମ୍ଓ ସୁଜାତା ମିଶ୍ର, ଜିଏମ୍ ପ୍ରଭାତ କୁମାର ପାଣିଗ୍ରାହୀ ଓ ଓବିସିସି ଜିଏମ୍ ଶ୍ରୀଧର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।