ହକି ବିଶ୍ୱକପ୍କୁ ନିମନ୍ତ୍ରଣ
ଭୁବନେଶ୍ୱର (ବୁ୍ୟରୋ): ଆସନ୍ତା ଜାନୁଆରିରେ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି । ଏହି କ୍ରମରେ ବୁଧବାର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହକି ବିଶ୍ୱକପରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମନ୍ତ୍ରୀ ଜଗନ୍ନାଥ ସରାକା ରାଞ୍ଚି ଯାଇ ସୋରେନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।
ସେହିପରି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ଓ ପଡ଼ୁଚେରୀ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗସ୍ୱାମୀଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ସେହିଭଳି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ନିମନ୍ତ୍ରଣ ଦେଇଛନ୍ତି । ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରିଛନ୍ତି ।
ସେହିପରି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ବିହାର ରାଜଧାନୀ ପାଟନା ଯାଇ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତବେଳେ ନିମନ୍ତ୍ରଣ ପତ୍ର ସହ ହକି ଟି-ସାର୍ଟ ଓ ରୁପା ଅଶୋକ ଚକ୍ର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ମଙ୍ଗଳବାର ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଭେଟି ବିଶ୍ୱକପ ନିମନ୍ତେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ଓ ଟିମ ଇଣ୍ଡିଆ ଜର୍ସି ପ୍ରଦାନ କରିଥିଲେ ।