ମେଗା ପ୍ରକଳ୍ପ ସ୍ଥାନାନ୍ତରକୁ ବିରୋଧ

ପରଜଙ୍ଗ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ତୋର ପଞ୍ଚାୟତ ମୁଟୁକୁରା ସାହିର ଶତାଧିକ ମହିଳାମାନେ ଏକତ୍ରିତ ହୋଇ ବଡକମର ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାକୁ ଆଜି ୪ ଘଣ୍ଟା ଧରି ଅବରୋଧ କରିଥିଲେ । କନ୍ତୋର ଗ୍ରାମର ମୁଟୁକୁର ସାହିର ପ୍ରାୟ ୩ଶହ ପରିବାର ପୂର୍ତ୍ତ ବିଭାଗ ରାସ୍ତାର ଉଭୟ ପାଶ୍ୱର୍ରେ ଦୀର୍ଘ ବର୍ଷ ଧରି ବସବାସ କରି ରହିଛନ୍ତି । କିନ୍ତୁ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଅନେକ ଗଲେଣି ହେଲେ ଉକ୍ତ ସାହିକୁ ଆଜି ପର୍ଯ୍ୟନ୍ତ ପାଣି ଟୋପାଏ ପାଇପାରିନାହାନ୍ତି । ଫଳରେ ସାହିର ଲୋକମାନେ ପାନୀୟ ଜଳ ଲାଗି ଡହଳ ବିକଳ ହେଉଥିବା ବେଳେ ମହିଳାମାନେ ଅଭିଯୋଗ କରିଛନ୍ତି । ବହୁବାର ପଞ୍ଚାୟତ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ଏହା ସମସ୍ତଙ୍କର ପ୍ରତିଶୃତି ପ୍ରତିଶୃତିରେ ରହି ଯାଇଛି । ପାନୀୟ ଜଳ ସମସ୍ୟା ଦୂର କରିବାକୁ ସାହି ମୁଣ୍ଡ ଭାଗରେ ରେଙ୍ଗାଳି ଜଳସେଚନ ବିଭାଗର ଏକ ସରକାରୀ ଜାଗା ଉପରେ କିଛି ଦିନ ତଳେ ଏକ ମେଗା ପ୍ରକଳ୍ପ ନିର୍ମାଣ ଆରମ୍ଭ କରାଯାଇଥିଲା । ଏହି ପ୍ରକଳ୍ପକୁ କେତେକ କୁଚକ୍ରିମାନଙ୍କ ଯୋଗୁଁ ଏହି ପଞ୍ଚାୟତର ଆଉ ଏକ ଗ୍ରାମକୁ ସ୍ଥାନାନ୍ତର କରିବାକୁ ମସୁଧା ଚଳାଇଥିବା ବେଳେ ସାହିର ମହିଳାମାନେ ଜାଣି ପାରି ଏହାକୁ ତୀବ୍ର ବିରୋଧ କରି ରାସ୍ତା ଅବରୋଧ କରିଥିଲେ । କିଛି ସମୟ ପରେ ପୁଲିସ ପ୍ରଶାସନ, ତହସିଲ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବାପରେ ରାସ୍ତା ଅବରୋଧ ହଟିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *