ବ୍ୟାଙ୍କ ଅଭିଯୋଗ ନ ଶୁଣିଲେ ଓମ୍ବୁଡ୍ସମ୍ୟାନ୍ଙ୍କୁ ଜଣାନ୍ତୁ
ଆର୍ବିଆଇ ଇଣ୍ଟିଗ୍ରେଟେଡ୍ ଟାଉନହଲ୍ ବୈଠକ
ଜଗତସିଂହପୁର (ଆପ୍ର): ଜଗତସିଂହପୁର ସ୍ଥିତ ଆଦି କବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଆରବିଆଇ ଲୋକପାଳ ପକ୍ଷରୁ ଟାଉନହଲ ମିଟିଂ ଅନୁଷ୍ଠିତ ହୋଇଛି । ଆରବିଆଇ ଲୋକପାଳ ପଙ୍କଜ ନାୟକ ଏଥିରେ ଅଧ୍ୟକ୍ଷତା କରି ଗ୍ରାହକମାନେ ବିଭିନ୍ନ ଉପାୟରେ ସାଇବର କ୍ରାଇମ ଓ ବ୍ୟାଙ୍କ ଠକେଇ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥି ସହିତ ଏନ୍ବିଏଫ୍ସି ଓ ପେମେଣ୍ଟ ସିଷ୍ଟମ ଅଂଶଗ୍ରହଣକାରୀ ପରି ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥାମାନଙ୍କର ଗ୍ରାହକମାନେ ସେବା ପାଇବାରୁ ବଞ୍ଚିତ ହେଲେ କିମ୍ବା ବ୍ୟାଙ୍କ ସମ୍ପର୍କରେ ଅଭିଯୋଗ ଆସିଲେ ପ୍ରଥମେ ସମ୍ପୃକ୍ତ ବ୍ୟାଙ୍କ ବା ସଂସ୍ଥା ନିକଟରେ ଅଭିଯୋଗ କରିବେ । ଅଭିଯୋଗର ୩୦ଦିନ ମଧ୍ୟରେ ସନ୍ତୁଷ୍ଟ ଉତ୍ତର ନ ମିଳିଲେ ଆର୍ବିଆଇର ଲୋକପାଳ (ଓମ୍ବୁଡ୍ସମ୍ୟାନ)ଙ୍କ ନିକଟରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ଅଭିଯୋଗ ଆରବିଆଇର ପୋର୍ଟାଲ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ମଜ୍ଞଗ୍ଦ.କ୍ସଭସ.କ୍ଟକ୍ସଶ.ସଦ୍ଭ) ସିଧା ନିଜ ମୋବାଇଲ କିମ୍ବା କମ୍ପୁ୍ୟଟର ଜରିଆରେ ଯେକୌସି ସ୍ଥାନରେ ଥାଇ କରି ପାରିବେ ।
ଏହା ବ୍ୟତିତ ମାନୁଆଲରେ ମଧ୍ୟ ସେଣ୍ଟ୍ରାଲାଇଜ ରିସିପଟ୍ ଆଣ୍ଡ ପ୍ରୋସେସିଂ ସେଣ୍ଟର, ୪ର୍ଥ ଫ୍ଲୋର୍, ଆରବିଆଇ ସେକ୍ଟର ୧୭, ସେଣ୍ଟ୍ରାଲ ଭିଜିଟ୍ ଚଣ୍ଡିଗଡ଼-୧୬୦୦୧୭ ଠିକଣାରେ କରି ହେବ । ଯଦି ଏହି ଅଭିଯୋଗ ସମ୍ପର୍କରେ କୌଣସି କୋର୍ଟରେ ମାମଲା ବିଚାରଧୀନ ଥିବ ତେବେ ଏହି ଅଭିଯୋଗ ଲୋକପାଳଙ୍କ ଠାରେ ଖାରଜ ହୋଇଯିବ ବୋଲି ସୂଚନା ପ୍ରଦାନ କରିଥିଲେ । ଅତି ଆବଶ୍ୟକ ପଡିଲେ ଆରବିଆଇର ଟୋଲ ଫ୍ରୀ ନଂ ୧୮୦୦୧୨୩୪ରେ ଡାଏଲ କରି ଅଭିଯୋଗ କରି ହେବ । ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ, ଆରବିଆଇର ଡେପୁଟି ଲୋକପାଳ ରାଜମଣୀ ଅଶିଷ କେରକେଟ୍ଟା, ଡିଜିଏମ୍ ପ୍ରଶାନ୍ତ କୁମାର, ଏସ୍ଏଲବିସି ଓଡିଶାର ଗିଏମ୍ କମ କନଭେନର ଗୌତମ ପାତ୍ର, ବାଲେଶ୍ୱର ୟୁକୋ ବ୍ୟାଙ୍କର ଡିଗିଏମ୍ ଦେବବ୍ରତ ମହାପାତ୍ର, ଏଲଡିଏମ୍ ବାପୁଜୀ ସୁବୁଦ୍ଧି ପ୍ରମୁଖ ଯୋଗ ଦେଇ ସାଇବର ଠକେଇରୁ ରକ୍ଷା ନିମନ୍ତେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ଏଟିଏମ୍ ଟ୍ରାନଜାକସନ ସମୟରେ ବ୍ୟାଙ୍କ ପକ୍ଷରୁ କୌଣସି ଭୁଲ ରହିଲେ ତାହା ବ୍ୟାଙ୍କ ୫ଦିନ ମଧ୍ୟରେ ସମାଧାନ କରିବା ବାଧ୍ୟତାମୂଳକ । ନଚେତ ବ୍ୟାଙ୍କ ସମ୍ପୃକ୍ତ ଗ୍ରାହକଙ୍କୁ ମୂଳ ସହକାରେ ୫ଦିନ ପରଠାରୁ ଦୈନିକ ଶହେ ଟଙ୍କା ଜରିମାନା ଗଣିବାକୁ ବାଧ୍ୟ ।