ଟିମ୍ରେ କାହିଁକି ସ୍ଥାନ ପାଇଲେନି ପନ୍ତ

ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର୍ ଶୃଙ୍ଖଳା
ମୁମ୍ବାଇ, ୨୮ା୧୨ (ଏଜେନ୍ସି): ଶ୍ରୀଲଙ୍କା ବିପକ୍ଷ ଟି-୨୦ ଓ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ ଘୋଷଣା କରାସରିଛି । ଏହି ଦୁଇ ଟିମ୍ରେ ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତଙ୍କ ଚୟନ କରାଯାଇ ନାହିଁ । ତାଙ୍କୁ ଟିମ୍ରୁ ବାଦ୍ ଦିଆଯିବା ନେଇ ବିଭିନ୍ନ ଚର୍ଚ୍ଚା ହେଉଛି ।
କେତେକ କ୍ରିକେଟ୍ ବିଶ୍ଳେଷକଙ୍କ ମତରେ ପନ୍ତଙ୍କୁ ହ୍ୱାଇଟ୍ ବଲ୍ କ୍ରିକେଟ୍ରୁ କାଢ଼ି ଦିଆଯାଇଛି ଏବଂ ସେ କେବଳ ଟେଷ୍ଟ ଟିମ୍ରେ ରହିବେ । ଆଉ କେତେକ ବିଶ୍ଳେଷକଙ୍କ ବିଚାରରେ ଏହି ଶୃଙ୍ଖଳା ପାଇଁ ତାଙ୍କୁ ବିଶ୍ରାମ ଦିଆଯାଇଛି । ତେବେ ବିସିସିଆଇ କି ଚୟନକାରୀ କେହି ବି ପନ୍ତଙ୍କୁ ନିଆ ନ ଯିବା ନେଇ କିଛି କହି ନାହାନ୍ତି । ଏକଦା ପନ୍ତଙ୍କୁ ଭାରତୀୟ ଟିମ୍ର ଲିଡର୍ସିପ୍ ଗ୍ରୁପ୍ର ଅଂଶବିଶେଷ ବିବେଚନା କରାଯାଉଥିଲା । ଏବେ ଚୟନକାରୀଙ୍କ ଏହି ନିଷ୍ପତ୍ତି ତାଙ୍କ ପ୍ରଶଂସକମାନଙ୍କୁ ନିରାଶ କରିଛି ।
ଟି-୨୦ରେ ୱିକେଟ୍କିପର୍ ଭାବେ ଈଶାନ କିଶନ ଓ ସଞ୍ଜୁ ସାମ୍ସନ୍ଙ୍କୁ ସାମିଲ୍ କରାଯାଇଛି । ସେହିପରି ଦିନିକିଆରେ କିଶନଙ୍କ ସହ ଲୋକେଶ ରାହୁଲଙ୍କ ପାଖରେ ୱିକେଟ୍କିପିଂ ଦାୟିତ୍ୱ ରହିବ ।
ଟି-୨୦ରେ ପନ୍ତଙ୍କ ପ୍ରଦର୍ଶନ
ଟି-୨୦ ଆନ୍ତର୍ଜାତିକରେ ପନ୍ତ ଭଲ ଫର୍ମରେ ନାହାନ୍ତି । ଏପରିସ୍ଥଳେ ଈଶାନ କିଶନଙ୍କୁ ଚୟନକାରୀ ସୁଯୋଗ ଦେବା ନିଷ୍ପତ୍ତି ଯଥାର୍ଥ । ପନ୍ତ ଟି-୨୦ରେ ମିଳିଥିବା ସୁଯୋଗର ସଦୁପଯୋଗ କରିପାରି ନାହାନ୍ତି । ତେବେ ସେ ନିୟମିତ ଭାବେ ଟିମ୍ର ଅଂଶବିଶେଷ ନ ଥିଲେ । ତାଙ୍କୁ ବାରମ୍ବାର ଟିମ୍ରେ ଭିତର-ବାହାର କରାଯାଇଆସିଛି ।
ଗତ ବର୍ଷ ହୋଇଥିବା ଟି-୨୦ ବିଶ୍ୱକପ୍ ପରଠାରୁ ଅନେକ ମ୍ୟାଚ୍ରେ ତାଙ୍କ ଅପେକ୍ଷା ଦିନେଶ କାର୍ତ୍ତିକଙ୍କୁ ଅଗ୍ରାଧିକାର ଦିଆଯାଇଥିଲା । ଏହା ପରଠାରୁ ପନ୍ତ ୨୮ ଟି-୨୦ ମ୍ୟାଚ୍ ଖେଳି ୨୨.୦୫ ଆଭରେଜ୍ ଓ ୧୩୧.୦୨ ଷ୍ଟ୍ରାଇକ୍ ରେଟ୍ରେ ୩୯୭ ରନ୍ ସଂଗ୍ରହ କରିଛନ୍ତି । ଏଥିରେ କେବଳ ଗୋଟିଏ ଅର୍ଦ୍ଧଶତକ ଥିଲା ।
ପନ୍ତ ଏହି ସମୟ ମଧ୍ୟରେ ଭାରତ ପକ୍ଷରୁ ସର୍ବାଧିକ ସ୍କୋରର୍ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି । ତାଙ୍କ ଓଭର୍ଅଲ୍ ଟି-୨୦ ଆନ୍ତର୍ଜାତିକ ରେକର୍ଡକୁ ଦେଖିଲେ ଜଣାଯାଏ, ସେ ୬୬ ମ୍ୟାଚ୍ରେ ୨୨.୪୩ ଆଭରେଜ୍ ଓ ୧୨୬.୫୪ ଷ୍ଟ୍ରାଇକ୍ ରେଟ୍ରେ ୯୮୭ ରନ୍ କରିଛନ୍ତି । ତାଙ୍କ ନାମରେ ମୋଟ୍ ତିନି ଅର୍ଦ୍ଧଶତକ ରହିଛି ।
ଈଶାନ ଓ ସଞ୍ଜୁଙ୍କ ପ୍ରଦର୍ଶନ
ଈଶାନ କିଶନ ୨୦୨୧ ଟି-୨୦ ବିଶ୍ୱକପ୍ ପରଠାରୁ ପନ୍ତଙ୍କ ଠାରୁ କମ୍ ଟି-୨୦ ମ୍ୟାଚ୍ ଖେଳିଥିଲେହେଁ ତାଙ୍କ ଠାରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ଈଶାନ୍ ଏହି ସମୟରେ ୧୭ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ରେ ୨୯.୭୦ ଆଭରେଜ୍ ଓ ୧୨୮.୪୯ ଷ୍ଟ୍ରାଇକ୍ରେଟ୍ରେ ୫୦୫ ରନ୍ କରିଛନ୍ତି । ଏଥିରେ ତିନି ଅର୍ଦ୍ଧଶତକ ରହିଛି । ଈଶାନ ଏହି ସମୟ ମଧ୍ୟରେ ଭାରତ ପକ୍ଷରୁ ସର୍ବାଧିକ ସ୍କୋରର୍ ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି ।
ସେହିପରି ସଞ୍ଜୁ ମାତ୍ର ଛଅ ମ୍ୟାଚ୍ ଖେଳିଥିଲେ ଏବଂ ୪୪.୭୫ ଆଭରେଜ୍ ଓ ୧୫୮.୪୦ ଷ୍ଟ୍ରାଇକ୍ ରେଟ୍ରେ ୧୭୯ ରନ୍ କରିଛନ୍ତି । ଏଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି ।
୨୦୨୧ ଟି-୨୦ ବିଶ୍ୱକପ୍ ପରଠାରୁ ପନ୍ତ ଆଶାନୁରୂପ ପ୍ରଦର୍ଶନ କରିପାରୁ ନ ଥିବାରୁ ଅନେକ ପୂର୍ବତନ କ୍ରିକେଟର୍ ତାଙ୍କୁ ଏହି ଫର୍ମାଟ୍ରୁ କାଢ଼ିବା ପାଇଁ କହୁଥିବା ବେଳେ ଆଉ କେତେକ ତାଙ୍କୁ ଓପନିଂ କରାଇବାକୁ କହୁଥିଲେ । ଏବେ ଚୟନକାରୀ ତାଙ୍କୁ ଟି-୨୦ ଟିମ୍ରେ ସାମିଲ୍ କରି ନାହାନ୍ତି ।
ଦିନିକିଆରେ ପନ୍ତଙ୍କ ପ୍ରଦର୍ଶନ
ଦିନିକିଆରେ ପନ୍ତ ନ ରହିବା ଚିନ୍ତାର ବିଷୟ ହୋଇପାରେ । ଇଂଲଣ୍ଡ ଗସ୍ତରେ ପନ୍ତଙ୍କ ଶତକ ଯୋଗୁଁ ଟିମ୍ ଇଣ୍ଡିଆ ଐତିହାସିକ ବିଜୟ ହାସଲ କରିଥିଲା । ସେ ୨୦୧୯ ବିଶ୍ୱକପ୍ ପରଠାରୁ ୨୧ ଦିନିକିଆ ମ୍ୟାଚ୍ ଖେଳି ୩୮.୫୮ ଆଭରେଜ୍ରେ ୬୫୬ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ପାଞ୍ଚ ଅର୍ଦ୍ଧଶତକ ରହିଛି ।
ଏହି ସମୟ ମଧ୍ୟରେ ଈଶାନ ୧୦ ମ୍ୟାଚ୍ରେ ୫୩ ଆଭରେଜ୍ରେ ୪୭୭ ରନ୍ ଓ ଲୋକେଶ ରାହୁଲ ୨୫ ମ୍ୟାଚ୍ରେ ୪୮ ଆଭରେଜ୍ରେ ୧୦୫୬ ରନ୍ ସଂଗ୍ରହ କରିଛନ୍ତି ।
କେବଳ ୨୦୨୨ରେ ପନ୍ତ ୧୨ ମ୍ୟାଚ୍ ଖେଳି ୩୭.୩୩ ଆଭରେଜ୍ରେ ୩୩୬ ରନ୍ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି । ଏ ଦିଗରେ ସେ ରାହୁଲଙ୍କ ଠାରୁ ଆଗରେ ଥିବା ବେଳେ ଈଶାନଙ୍କ ଠାରୁ ପଛରେ ଅଛନ୍ତି । ରାହୁଲ ଚଳିତ ବର୍ଷ ୧୦ ଦିନିକିଆ ଖେଳି ୨୭.୮୮ ଆଭରେଜ୍ରେ ୨୫୧ ରନ୍ କରିଛନ୍ତି । ଏଥିରେ ଦୁଇଟି ଅର୍ଦ୍ଧଶତକ ରହିଛି । ତେବେ ଈଶାନ ୨୦୨୨ରେ ଆଠ ଦିନିକିଆ ଖେଳି ୫୯.୫୭ ଆଭରେଜ୍ରେ ୪୧୭ ରନ୍ କରିଛନ୍ତି । ଏଥିରେ ଗୋଟିଏ ଦ୍ୱିଶତକ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *