ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ହକି ମହାକୁମ୍ଭ ଉଦ୍ଘାଟନୀ ଉତ୍ସବ
ଭୁବନେଶ୍ୱର, ୨୭ା୧୨ (ବୁ୍ୟରୋ): ପୁରୁଷ ହକି ବିଶ୍ୱକପ ୨୦୨୩ର ଉଦଘାଟନ ସମାରୋହରେ ସାମିଲ ହେବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଉଛି । ହକି ବିଶ୍ୱକପ୍ ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଇଛି । ପୁରୁଷ ହକି ବିଶ୍ୱକପ୍-୨୦୨୩ ଓଡ଼ିଶାରେ ଆୟୋଜନ ହେଉଛି । ମଙ୍ଗଳବାର ଭୋପାଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂ ଚୌହ୍ୱାନଙ୍କୁ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ । ଶ୍ରୀ ଚୌହାନଙ୍କୁ ଭାରତୀୟ ହକି ଟିମ୍ ଟି-ସାର୍ଟ ଏବଂ ଅଶୋକ ଚକ୍ର ପ୍ରଦାନ କରିବା ସହ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେବାକୁ ଶ୍ରୀ ପୂଜାରୀ ଆମନ୍ତ୍ରିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ନିମନ୍ତ୍ରଣ ପଠାଇଥିବାରୁ ଶ୍ରୀ ଚୌହାନ ଧନ୍ୟବାଦ ଜଣାଇଛନ୍ତି । ତେବେ ପ୍ରାଥମିକ ଭାବେ ୩ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ମିଳିଛି ।
ରାଜସ୍ଥାନର ଅଶୋକ ଗେହେଲଟ, ଛତିଶଗଡର ଭୂପେଷ ବାଘେଲ ଏବଂ ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖୁ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଜଣାପଡିଛି । ଆସନ୍ତା ୧୧ ତାରିଖରେ କଟକରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଜାନୁ୍ଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପର ଆୟୋଜନ ହେବ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ହକି ବିଶ୍ୱକପରେ ଅତିଥି ଭାବେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଓଡ଼ିଶା ସରକାରଙ୍କ ମନ୍ତ୍ରୀମାନେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ କରୁଛନ୍ତି ।
ଗତ ସପ୍ତାହରେ ଦିଲ୍ଲୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କିଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ମନ୍ତ୍ରୀ କିରଣ ରିଜିଜୁ ଓ ରେଳମନ୍ତ୍ରୀ ଅଶ୍ୱିନୀ ବେଷ୍ଣବଙ୍କୁ ସାକ୍ଷାତ କରି ପୁରୁଷ ହକି ବିଶ୍ୱକପରେ ଅତିଥି ଭାବେ ଯୋଗ ଦେବା ଲାଗି ନିମନ୍ତ୍ରଣ କରିଥିଲେ ।