ଓଡ଼ିଶାରେ ପ୍ରତିଷ୍ଠା ହେବ ପ୍ରତିରକ୍ଷା ଉତ୍ପାଦ କାରଖାନା
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ପ୍ରତିଷ୍ଠା ହେବ ପ୍ରତିରକ୍ଷା ଉତ୍ପାଦ ଶିଳ୍ପ । ନୂଆ ଶିଳ୍ପ ନୀତି-୨୦୨୨ରେ ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହନ ମିଳିଛି । ମେସିନାରି ଉପରେ ୩୦% ସବସିଡି ସମେତ ବିଦୁ୍ୟତ ଓ ଜିଏସ୍ଟିରେ ମିଳିବ ରିହାତି । ଏ ପର୍ଯ୍ୟନ୍ତ ୧୦ ପ୍ରସ୍ତାବରେ ଆସିଛି ୨ ହଜାର ୫୫ କୋଟି । ନିଯୁକ୍ତି ପାଇବେ ୨ ହଜାର ୬୭୪ ଜଣ । ପ୍ରତିରକ୍ଷା ଉତ୍ପାଦ ତିଆରି ପାଇଁ ଓଡ଼ିଶାରେ ଇସ୍ପାତ, ଗ୍ରାଫାଇଟିସ୍ ଖଣିଜ ସମ୍ପଦ ଥିବାରୁ ପ୍ରତିରକ୍ଷା ଶିଳ୍ପ ପାଇଁ ବ୍ୟାପକ ସୁଯୋଗ ରହିଛି । କମନ୍ ଫ୍ୟାସିଲିଟେସନ୍ ଦ୍ୱାରା ସରକାର ହ୍ୟାଣ୍ଡ୍ ହୋଲ୍ଡିଂ କଲେ ଅଧିକରୁ ଅଧିକ ପ୍ରତିରକ୍ଷା ଶିଳ୍ପ ପ୍ରତିଷ୍ଠା ହେବ ।
ଟ୍ୟାଙ୍କ୍, ମେସିନ୍ ଗନ୍, ଫାଇଟର ଜେଟ୍ ଭଳି ପ୍ରତିରକ୍ଷା ଉତ୍ପାଦନ ହେବ । ପ୍ରତିରକ୍ଷା ଶିଳ୍ପକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ । ସରକାରଙ୍କ ପ୍ରୋତ୍ସାହନକୁ ନେଇ ଆଗ୍ରହ ପ୍ରକାଶ କରିଛନ୍ତି ୧୦ ପୁଞ୍ଜି ବିନିଯୋଗକାରୀ । ରାଜ୍ୟରେ ନିବେଶ ହେବ ୨ ହଜାର ୫୫ କୋଟି । ଆଉ ନିଯୁକ୍ତି ପାଇବେ ୨ ହଜାର ୬୭୪ ଜଣ । ଖାଲି ସେତିକି ନୁହେଁ ପ୍ରତିରକ୍ଷା ଶିଳ୍ପ କ୍ଲଷ୍ଟର ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଜମି ଚିହ୍ନଟ କରିଛନ୍ତି । ଖୋର୍ଦ୍ଧାରେ ୬୦ ଏକର ସମେତ ଢେଙ୍କାନାଳରେ ଜମି ଚିହ୍ନଟ କରାଯାଇଛି ।
ଓଡ଼ିଶାରେ ଉତ୍ତମ ଗୁଣାତ୍ମକ ଇସ୍ପାତ, ଆଲୁମିନିୟମ୍ ଓ ଗ୍ରାଫାଇଟିସ୍ ଖଣି ଥିବାରୁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହୋଇପାରିବ । ଏହାସହ ସରକାରଙ୍କ ହ୍ୟାଣ୍ଡ ହୋଲ୍ଡିଂ ଜାରି ରହିଲେ ଆଗକୁ ଆହୁରି ପୁଞ୍ଜି ନିବେଶ ବୃଦ୍ଧି ପାଇବ । ପ୍ରତିରକ୍ଷା ଶିଳ୍ପ ପ୍ରତିଷ୍ଠା ପାଇଁ କମନ୍ ଫ୍ୟାସିଲିଟେସନ୍ ସେଣ୍ଟର ରହିବ । ପ୍ରତିରକ୍ଷା ପାଇଁ କେବଳ ଅସ୍ତ୍ରଶସ୍ତ୍ର ତିଆରି ହେବ ତା ନୁହେଁ ସୈନିକଙ୍କ ପାଇଁ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ପ୍ରକ୍ରିୟାକୃତ ଖାଦ୍ୟ, ପୋଷାକ, ଡ୍ରୋନ୍ ବି ଏମ୍ଏସ୍ଏମ୍ଇ ୟୁନିଟ୍ ନିର୍ମାଣ କରିପାରିବେ ।