ଭାରତକୁ ୫ ସ୍ୱର୍ଣ୍ଣ ସହ ୧୦ ପଦକ

ତୀରନ୍ଦାଜୀ ଏସିଆ କପ୍ ୨୦୨୨
ଶାରଜାହ, ୨୭ା୧୨ (ଏଜେନ୍ସି): ଏସିଆ କପ୍ ତୀରନ୍ଦାଜୀ ଷ୍ଟେଜ୍-୩ରେ ଭାରତ ଦମ୍ଦାର ପ୍ରଦର୍ଶନ କରିଛି । ଭାରତୀୟ ତୀରନ୍ଦାଜୀ ଟିମ୍ ଏ ପର୍ଯ୍ୟନ୍ତର ସର୍ବୋତ୍ତମ ପ୍ରଦର୍ଶନ କରି ପାଞ୍ଚ ସ୍ୱର୍ଣ୍ଣ ସହ ୧୦ ପଦକ ଜିତିଛି । ଏଥିରେ ତିନି ରୌପ୍ୟ ଓ ଦୁଇ କାଂସ୍ୟ ପଦକ ରହିଛି । ଉଭୟ ମହିଳା ଓ ପୁରୁଷ ବର୍ଗରେ ଭାରତର ଆଧିପତ୍ୟ ରହିଥିଲା । ମହିଳା ଦଳଗତ ବର୍ଗରେ ପ୍ରଗତି, ଅଦିତି ଗୋପୀଚାନ୍ଦ ସ୍ୱାମୀ ଓ ଐଶ୍ୱର୍ଯ୍ୟ ଶର୍ମାଙ୍କ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ବ୍ୟକ୍ତିଗତ ବର୍ଗରେ ପ୍ରଗତି ସ୍ୱର୍ଣ୍ଣ, ଅଦିତି ରୌପ୍ୟ ଓ ପରନୀତ କୌର କାଂସ୍ୟ ପଦକ ଜିତି କ୍ଲିନ୍ ସୁଇପ୍ କରିଥିଲେ ।
ଭାରତୀୟ ପୁରୁଷ ତୀରନ୍ଦାଜ ପ୍ରିୟାଂଶ ଟିମ୍ ଓ ବ୍ୟକ୍ତିଗତ ବର୍ଗରେ ଉତ୍ତମ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଉପରେ କବ୍ଜା କରିଥିଲେ । କମ୍ପାଉଣ୍ଡ ବର୍ଗର ଟିମ୍ ଇଭେଣ୍ଟରେ ପ୍ରିୟାଂଶ, ଓଜସ ପ୍ରବୀଣ ଦେବତାଲେ ଓ ମାନବ ଗଣେଶରାଓ ଜାଧବ ସ୍ୱର୍ଣ୍ଣ ପଦକ ପାଇଥିଲେ । ବ୍ୟକ୍ତିଗତ ବର୍ଗରେ ମଧ୍ୟ ପ୍ରିୟାଂଶ ପ୍ରଥମ ସ୍ଥାନରେ ରହିଥିଲେ । ରିକର୍ଭ ବର୍ଗ ପୁରୁଷ ଟିମ୍ ଇଭେଣ୍ଟରେ ମୃଣାଲ ଚୌହାନ, ଆକାଶ, ପାର୍ଥ ଓ ସୁଶାନ୍ତ ସାଲୁଙ୍କେଙ୍କ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେହିପରି ରିକର୍ଭ ବ୍ୟକ୍ତିଗତ ବର୍ଗରେ ପାର୍ଥ ସୁଶାନ୍ତ ସାଲୁଙ୍କେ କାଂସ୍ୟ ପଦକ ପାଇଥିଲେ । ମିଶ୍ରିତ ଇଭେଣ୍ଟରେ ପାର୍ଥ ସୁଶାନ୍ତ ସାଲୁଙ୍କେ ଓ ତିଶା ପୁନିଆଙ୍କ ଟିମ୍ ରୌପ୍ୟ ପଦକ ହାସଲ କରିଥିଲେ ।
ଭାରତୀୟ ଟିମ୍ର ହାଇପର୍ପର୍ମାନ୍ସ ଡାଇରେକ୍ଟର ସଞ୍ଜୀବ ସିଂହ ଏହି ଐତିହାସିକ ବିଜୟକୁ ଖେଳାଳିମାନଙ୍କ ପରିଶ୍ରମ ଓ ସଠିକ୍ ମ୍ୟାନେଜ୍ମେଣ୍ଟର ପରିଣାମ ବୋଲି କହିଥିଲେ । ଖେଳାଳିମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ଭାରତୀୟ ତୀରନ୍ଦାଜୀ ସଂଘର ସଭାପତି ଅର୍ଜୁନ ମୁଣ୍ଡା ପୂରା ଦଳକୁ ସ୍ୱାଗତ କରିଥିଲେ । ଅର୍ଜୁନ ମୁଣ୍ଡା କହିଥିଲେ ଯେ ଆସନ୍ତା ବର୍ଷ ତୀରନ୍ଦାଜୀ ଖେଳ ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ନେଇ ଆସିବ । ୨୦୨୩ରେ ଆୟରଲାଣ୍ଡରେ ୟୁଥ୍ ଚାମ୍ପିଅନ୍ସିପ୍ ଆୟୋଜିତ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *