୧୭ ପ୍ରସ୍ତାବକୁ ମୋହର
ଭୁବନେଶ୍ୱର, ୨୭ା୧୨ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟରେ ୧୭ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଶତପ୍ରତିଶତ ଗ୍ରାଣ୍ଟ ଇନ୍ ଏଡ୍ (ଅନୁଦାନ) ପାଉଥିବା ସମସ୍ତ ବେସରକାରୀ ହାଇସ୍କୁଲ, ମଇ ସ୍କୁଲ ଓ ମାଦ୍ରାସାର ଶିକ୍ଷକ ଓ କର୍ମଚାରୀ ଏଣିକି ସପ୍ତମ ବେତନ ହାରରେ ଦରମା ପାଇବେ । ୨୦୨୨ ଜାନୁୟାରୀ ପହିଲାରୁ ଏହି ବର୍ଦ୍ଧିତ ଦରମା ସେମାନଙ୍କୁ ମିଳିବ । ଏଥିରେ ପ୍ରାୟ ୨୬୧୬୪ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ ତଥା ରାଜକାଷରୁ ବାର୍ଷିକ ୨୮୦.୪୮ କୋଟିର ଅତିରିକ୍ତ ବ୍ୟୟ ହେବ ।
ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟରେ ମୋଟ ୧୭ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମହିଳାଙ୍କୁ ଛତୁ, ଫୁଲ, ଆଳୁ, ପନିପରିବା ଓ ମସଲା ଆଦି ଚାଷ ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ସରକାର ଗୋଟିଏ ୫ ବର୍ଷିଆ ଓ ଗୋଟିଏ ୩ ବର୍ଷିଆ ଯୋଜନାରେ ପ୍ରାୟ ୧୫୦୦ କୋଟି ବ୍ୟୟ କରିବେ । ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଛତୁ ଓ ଝୁରା ଫୁଲ ଚାଷ ପାଇଁ ମହିଳା ହିତାଧିକାରୀ ଓ ମହିଳା ଏସଏଚଜିଗୁଡ଼ିକୁ କୃଷିରେ ମହିଳାଙ୍କ ସଶକ୍ତିକରଣ ଓ ମହିଳା ଏସଏଚଜିଙ୍କ ପାଇଁ ଉଦ୍ୟୋଗର ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ ହୋଇଛି । ଏଥିରେ ରାଜ୍ୟ ସରକାର ୨୦୨୨-୨୩ରୁ ୨୦୨୬-୨୭ ଯାଏ ୫ବର୍ଷ ପାଇଁ ମୋଟ ୩୬୭.୧୯ କୋଟି ବ୍ୟୟ କରିବେ ।
ଆଳୁ, ପନିପରିବା ଓ ମସଲା ଉନ୍ନୟନ ଯୋଜନାରେ ମହିଳା ଏସଏଚଜି, କୃଷକ ଉତ୍ପାଦନ ସଙ୍ଗଠନ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରୁ ୨୦୨୫-୨୬ ଯାଏ ୩ବର୍ଷ ନିମନ୍ତେ ମୋଟ ୧୧୪୨.୨୪ କୋଟି ବ୍ୟୟ କରିବେ । ଏହାଦ୍ୱାରା ରାଜ୍ୟରେ ଆଳୁ, ପିଆଜ, ପନିପରିବା ଓ ମସଲା ଉତ୍ପାଦନ ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାରଙ୍କ ବହୁଳ ପ୍ରଚାରିତ ‘ଆଳୁ ମିଶନ’ ଫେଲ୍ ମାରିବା ପରେ ଏବେ ନୂତନ ଶୈଳୀରେ ଆଳୁ ଓ ଅନ୍ୟାନ୍ୟ ପରିବା ଉତ୍ପାଦନ ବୃଦ୍ଧି ପାଇଁ ଏତେ ପରିମାଣର ପାଣ୍ଠି ବ୍ୟବସ୍ଥା କରିଥିବା ଜଣାପଡ଼ିଛି ।
ଅନ୍ୟପଟେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ବିମାନ ସେବାକୁ କାର୍ଯ୍ୟକାରୀ କରାଯିବ । ବିଶ୍ୱବ୍ୟାଙ୍କ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେବ ଓଏସସିଆରଜିପିପି ଦୁର୍ବିପାକ ନିରୋଧୀ ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟକ୍ରମ । ଅନ୍ୟପଟେ ଏମଏସଏମଇ ପାଇଁ ନୂଆ ନୀତିକୁ ଅନୁମୋଦନ ଦେଇଛି କ୍ୟାବିନେଟ୍ । ଓଡ଼ିଶା ମେଡିକାଲ ସେବା ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ । ଓଡ଼ିଶା ମିନିଷ୍ଟରିଆଲ ସର୍ଭିସ ନିଯୁକ୍ତି ନିୟମରେ ସଂଶୋଧନ । ପ୍ଲସ୍-୨ ଶିକ୍ଷାରେ ସ୍ୱତନ୍ତ୍ର ବିଶେଷଜ୍ଞ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ନୀତି ।
୧୯୯୪ ସେପ୍ଟେମ୍ବର ୨୬ରୁ ୨୦୧୩ ମାର୍ଚ୍ଚ ୩୧ ଯାଏଁ ଛାଡ଼ । ଆଦାୟ ହେବ କେନ୍ଦ୍ର, ରାଜ୍ୟ ଓ ଘରୋଇ ଶିଳ୍ପର ବକେୟା ଜଳ ବିଲ୍ । ଅନୁଗୁଳରେ ୨ ପାଇପ ଜଳ ଯୋଗାଣ ପ୍ରକଳ୍ପ । ୧୬୮୭ ସ୍ଥାନରେ ବିଏସଏନଏଲକୁ ୨ ହଜାର ବର୍ଗଫୁଟର ୩୦ ବର୍ଷୀୟା ଲିଜ୍ । ଏହାଦ୍ୱାରା ୧୭୯୨ ଅପହଞ୍ଚ ଗାଁର ଲୋକେ ଉପକୃତ ହେବେ । ଲିଜ୍ ବିବାଦରେ ବର୍ଷକୁ ୧ ଟଙ୍କାର ଟୋକନ୍ ମନି ଦେବ ବିଏସଏନଏଲ । ଗଞ୍ଜାମ ହିଞ୍ଜିଳିକାଟୁରେ ଶଙ୍କର ନେତ୍ରାଳୟ ଖୋଲିବ ଶାଖା । ନେତ୍ରାଳୟ ଜମିର ଖଜଣା ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ । ଲଘୁ ଖଣିଜ ସମ୍ପଦ ଅଧିନିୟମରେ ହେବ ସଂଶୋଧନ । ସେହିପରି ମହାନଦୀରେ ୨ ଟି ବ୍ୟାରେଜ ୍ ପାଇଁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ୨ଟି ବ୍ୟାରେଜ୍ ନିର୍ମାଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।