ଧରାପଡ଼ିଲେ ୪ ଅଭିଯୁକ୍ତ

ଛତ୍ରପୁର (ଆପ୍ର): ଜିଏସ୍ଟି ଅଧିକାରୀ କହି ଜାତୀୟ ରାଜପଥରେ ଟ୍ରକ୍ ଅଟକାଇ ଓ ଡ୍ରାଇଭର୍ଙ୍କୁ ମାଡ଼ ମାରି ୬୦ ବସ୍ତା ପାନ ମସଲା ଲୁଟି ନେବା ସହ ଟଙ୍କା ମାଗିବା ଘଟଣାରେ ଛତ୍ରପୁର ପୁଲିସ ୪ଜଣକୁ ଗିରଫ କରିଛି ।
ସୋମବାର ଛତ୍ରପୁର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ଗଞ୍ଜାମର ଅତିରିକ୍ତ ଏସ୍ପି ପିକେ ଦଳେଇ ଘଟଣାର ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଛତ୍ରପୁରର ଦେବାଶିଷ ପଟ୍ଟନାୟକ ଓରଫ ଜଗା, ସୁଶାନ୍ତ କୁମାର ଦଳେଇ ଓରଫ ଦିପୁ, ଟି ଗୋପାଳ ଓ ବ୍ରହ୍ମପୁରର ସୀମାଞ୍ଚଳ ପଣ୍ଡା । ଡିସେମ୍ବର ୨୧ ତାରିଖରେ ଏକ ଟ୍ରକରେ ପାନ ମସଲା ବୋଝେଇ କରାଯାଇ କଲକତାରୁ ବ୍ରହ୍ମପୁର ଆସୁଥିବା ବେଳେ ଛତ୍ରପୁର ଜାତୀୟ ରାଜପଥ ଉଜଳେଶ୍ୱରୀ ମନ୍ଦିର ନିକଟରେ କାର୍ରେ ଆସିଥିବା ଅଭିଯୁକ୍ତମାନେ ନିଜକୁ ଜିଏସ୍ଟି ଅଫିସର କହି ଟ୍ରକ୍ ଅଟକାଇ ଡ୍ରାଇଭର୍ଙ୍କୁ ଟଙ୍କା ମାଗିଥିଲେ । କିନ୍ତୁ ଡ୍ରାଇଭର୍ ଅକ୍ଷମତା ପ୍ରକାଶ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିବା ସହ ୬୦ ବସ୍ତା ପାନ ମସଲା ଲୁଟି ନେଇଥିଲେ ।
ଅଭିଯୁକ୍ତମାନେ ଟ୍ରକ୍ ମାଲିକଙ୍କୁ ୫ଲକ୍ଷ ଟଙ୍କା ଦାବି କରିଥିଲେ । ପରେ ଫୋନ-ପେ ମାଧ୍ୟମରେ ୧.୪ଲକ୍ଷ ଟଙ୍କା ଦେଇଥିଲେ ମାଲିକ । ଘଟଣା ସମ୍ପର୍କରେ ଡ୍ରାଇଭର୍ ଏମ୍ ରମେଶ ୨୫ ତାରିଖରେ ଛତ୍ରପୁର ଥାନାରେ ଅଭିଯୋଗ କରିବାରୁ ୮୨୨/୨୨ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା । ଛତ୍ରପୁର ପୁଲିସ ଉପରୋକ୍ତ ୪ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ୧ଲକ୍ଷ ୪୦ ହଜାର ଟଙ୍କା, ୫ ମୋବାଇଲ୍, ୬୦ ବସ୍ତା ପାନ ମସଲା ଓ ଅପରାଧ ସମୟରେ ବ୍ୟବହାର କରିଥିବା ୨ କାରକୁ ଜବତ କରିଛି । ତଦନ୍ତ ଜାରି ରହିଛି ବୋଲି କହିଥିଲେ ଅତିରିକ୍ତ ଏସ୍ପି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଡିଏସ୍ପି ଅଜୟ କୁମାର ମିଶ୍ର, ସବ୍-ଇନିସପେକ୍ଟର ସିଲୁ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *